ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ପ୍ରବେଶ କରିଛନ୍ତି। କେସିଆର ତାଙ୍କର ରାଜନୈତିକ ଦଳ ‘ଭାରତ ରାଷ୍ଟ୍ର ସମିତି (ବିଆରଏସ୍)’ ମାଧ୍ୟମରେ ଓଡ଼ିଶାର ୯ ଜଣ ଚିହ୍ନା ରାଜନେତାଙ୍କୁ ସାମିଲ କରିଛନ୍ତି। ଗତ ୨୭ ତାରିଖରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ତଥା ପତ୍ନୀ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ନବନିର୍ମାଣ କୃଷକ ସଂଗଠନର ଚାଷୀ ନେତା ଓ ସୂଚନା ଅଧିକାର କର୍ମୀ ସାମିଲ ହୋଇଛନ୍ତି।
ତେଲେଙ୍ଗାନାରେ ଓଡ଼ିଶାର ୯ ଜଣ ନେତା ଏକକାଳୀନ ବିଆରଏସ୍ରେ ଯୋଗଦେବା ପରେ ରାଜ୍ୟ ରାଜନୀତି ହଲଚଲ ହୋଇଛି। ଏହା ହେବା ସ୍ବାଭାବିକ ମଧ୍ୟ। କାରଣ ଆଗାମୀ ଦିନରେ ଏହି ୯ ଜଣଙ୍କ ନେତୃତ୍ବରେ ଆହୁରି ଅନେକ ନେତା ଯୋଗଦେବାର ଆଶଙ୍କା ରହିଛି। କାରଣ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଆରଏସ୍ ଓଡ଼ିଶାରେ ନିଜର ଦଖଲ ଦେବ। ଏହା ପୂର୍ବରୁ ଦଳ ନିଜକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କ ସଂଖ୍ୟା ବଢ଼ାଇବ। ଦେବେ ଆଗକୁ ଆଉ କେଉଁ ନେତା କେସିଆରଙ୍କ ବିଆରଏସ ଦଳରେ ସାମିଲ ହେବେ, ସେ ନେଇ ଆଲୋଚନା ହେଉଛି । ବିଆରଏସରେ ଯୋଗ ଦେବା ନେଇ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ବି କିଏ ସାମିଲ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ କେସିଆର ଜଣେ ତୃଣମୂଳ ସ୍ତରର ନେତା ଓ ତାଙ୍କ ଷ୍ଟ୍ରାଟେଜୀ ଭିନ୍ନ ହୋଇଥିବାରୁ ସେ ଓଡ଼ିଶାରେ ଖେଳ ବିଗାଡିବେ କି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆକର୍ଷିତ କରିବ କି କେସିଆରଙ୍କ ଯୋଜନା?
ବିଆରଏସ୍ ଆଗାମୀ ନିର୍ବାଚନରେ ଯେଉଁ ଘୋଷଣା ପତ୍ର ପ୍ରକାଶ କରିବ, ଏହା ଦ୍ବାରା ମତଦାତା ଆକର୍ଷିତ ହୋଇପାରନ୍ତି। କାରଣ ତେଲେଙ୍ଗାନା ସରକାର ‘ଆଶାର’ପେନସନ ଯୋଜନାରେ, ବୃଦ୍ଧ-ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କୁ ମାସିକ ହଜାରେ ଟଙ୍କା ଲେଖାଏଁ ଭତ୍ତା ଦେଉଛନ୍ତି। ଓଡ଼ିଶାରେ ଏହା ୫୦୦ରୁ ୭୦୦ ଟଙ୍କା ଅଛି। ପ୍ରଧାନମନ୍ତ୍ରୀ ଆବାସ ପରେ, ତେଲେଙ୍ଗାନାରେ ଗରିବ ଲୋକଙ୍କ ପାଇଁ ନିଜସ୍ୱ ଯୋଜନାରେ ଦୁଇ ବଖରା ଲେଖାଏଁ ଘର ଯୋଗାଇ ଦିଆଯାଉଛି। ଓଡ଼ିଶାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସୁଛି। ତେଲେଙ୍ଗାନା ସରକାର ଗର୍ଭବତୀ ମହିଳା ଓ ପିଲାଙ୍କୁ କ୍ଷୀର ଦେଉଥିବା ବେଳେ ଓଡ଼ିଶାରେ ଏହା ନାହିଁ। ସେହିପରି ତେଲେଙ୍ଗାନାରେ ଶିଶୁମାନଙ୍କୁ ପ୍ରତିଦିନ ଗୋଟିଏ ଅଣ୍ଡା ଦିଆଯାଉଛି। ଓଡ଼ିଶାରେ ମାସକୁ ମିଲେ ୧୨ଟି ଅଣ୍ଡା। କେସିଆରଙ୍କ ଏହି ସବୁ ଯୋଜନା ତାଙ୍କୁ ତେଲେଙ୍ଗାନାରେ ଲଗାତାର ବିଜୟୀ କରୁଛି ବୋଲି କୁହାଯାଉଛି। ଆଉ ଏବେ ସେହି ସବୁ ଲୋକପ୍ରିୟ ଯୋଜନାକୁ ନେଇ ଓଡିଶାବାସୀଙ୍କୁ ସ୍ୱପ୍ନ ଦେଖାଇବାକୁ କେସିଆର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।
ଦକ୍ଷିଣ ଓଡ଼ିଶା ଉପରେ ଫୋକସ୍
କେସିଆର ନିଜ ମଡେଲକୁ ଆଧାର କରି ଓଡ଼ିଶାରେ ର୍ନିବାଚନ ଲଢିବେ। ବିଧାନସଭା ଓ ଲୋକସଭା ଆସନରେ ଲଢିବାକୁ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛୁ। ଦକ୍ଷିଣ ଓଡ଼ିଶାରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ତେଲୁଗୁ ଭୋଟରଙ୍କ ଉପସ୍ଥିତି ଥିବା ବେଳେ ୨୦ ବିଧାନସଭା ଆସନରେ ଏମାନଙ୍କ ଭୋଟ ନିର୍ଣ୍ଣାୟକ ବି ହୋଇପାରେ। କାରଣ ତେଲେଙ୍ଗାନା ଦକ୍ଷିଣର ନିକଟ ହୋଇଥିବାରୁ ସେମାନେ ଓଡ଼ିଶା ଓ ସେଠାକାର ବିକାଶ ମଧ୍ୟରେ ପାର୍ଥକ୍ୟ ଜାଣୁଛନ୍ତି। ଅନ୍ୟପଟରେ ବିଆରଏସ୍ ଚାଷୀ, ଆଦିବାସୀ ଓ ତେଲଗୁ ଭୋଟରଙ୍କୁ ନଜରରେ ରଖି ଓଡ଼ିଶାକୁ ପ୍ରାଥମିକତା ଦେଇଛି। ରାଜ୍ୟରେ ତେଜୁଥିବା ଚାଷୀ ଅସନ୍ତୋଷରୁ ଫାଇଦା ମାରିବାକୁ ବି ବିଆରଏସ୍ ରଣନୀତି ପ୍ରସ୍ତୁତ କରିଛି।
ବିକଳ୍ପ ହେବ କି ବିଆରଏସ୍
ଆଗାମୀ ସାଧାରଣ ନିର୍ବାଚନ ପାଇଁ ଓଡିଶାର ପ୍ରମୁଖ ଦଳଗୁଡିକ ନିଜ ରଣନୀତି ଆରମ୍ଭ କରିସାରିଦେଇଥିବା ବେଳେ ବିଆର୍ଏସ୍କୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି। ବିଜୁ ଜନତା ଦଳକୁ ଟକ୍କର ଦେବା ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଲୋକବଳ ମଜଭୁତ କରିବାରେ ଲାଗିଛି। ‘ଭାରତ ଯୋଡୋ ଯାତ୍ରା’, ‘ହାତ୍ ସେ ହାତ୍ ଯୋଡୋ’ ଅଭିଯାନକୁ ଆଧାରକରି କଂଗ୍ରେସ ମଧ୍ୟ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଚଲାଇଛି। ଅନ୍ୟାନ୍ୟ ଦଳମାନେ ନିର୍ବାଚନୀ ରଣନୀତି ଆରମ୍ଭ କରିଛନ୍ତି। ଓଡ଼ିଶାରେ ବିଜୁ ଜନତା ଦଳ କ୍ରମାଗତ ୫ ଥର ଲାଗି କ୍ଷମତାରେ ଥିବା ବେଳେ ବିଜେପି ଏହାକୁ ଗାଦିଚ୍ୟୁତ କରିବାରେ ସଫଳ ହୋଇନାହିଁ। କଂଗ୍ରେସ କ୍ରମାଗତ ଭାବେ ଦୁର୍ବଳ ହେବା ସହ ଅସ୍ଥିତ୍ୱ ବଜାୟ ରଖିବାକୁ ସଂଘର୍ଷ କରୁଛି। ଏଭଳି ସ୍ଥିତିରେ ବିଆରଏସ୍ ବିକଳ୍ପ ଭାବେ ଛିଡ଼ା ହେବାର ସମର୍ଥ ହେବକି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି।
କ’ଣ କୁହନ୍ତି ପିନାକୀ-ବିଜୟ
ଅନ୍ୟପଟରେ ସାଂସଦ ପିନାକୀ ମିଶ୍ର କହିଛନ୍ତି, ଯେଉଁମାନେ ବିଆରସି ଯାଇଛନ୍ତି, ସେମାନେ ବିଜେପିରୁ ଯାଇଛନ୍ତି। ଗିରିଧର ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା। ଏବେ ସେ ବିଆରଏସ୍ ଯାଇଛନ୍ତି, ମାନେ ତାଙ୍କ ପକେଟ ଭୋଟ ବିଆରଏସ୍କୁ ଯିବ। ଦକ୍ଷିଣ ଓଡ଼ିଶାର ୨ରୁ ୩ ଜିଲ୍ଲାରେ ବିଆରଏସ୍ କିଛି ହଜାର ଭୋଟ ପାଇପାରେ। ଯିଏ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିବେ, ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ସେହିପରି ବରିଷ୍ଠ ବିଜେପି ନେତା ଏନେଇ ପ୍ରତିକ୍ରିୟା ରଖିବା ସହିତ ତାଙ୍କ ପାଖକୁ କେସିଆରଙ୍କ ଫୋନ୍ ଆସିନଥିବା ସୂଚନା ଦେଇଛନ୍ତି । ତାଙ୍କ କହିବା କଥା ହେଲା, ତେଲେଙ୍ଗାନା ଓଡ଼ିଶାର ପଡୋଶୀ ରାଜ୍ୟ ହୋଇଥିବାରୁ ବିଆରଏସ୍ ଓଡ଼ିଶା ରାଜନୀତିରେ ଏଣ୍ଟ୍ରି ମାରିବାକୁ ଚେଷ୍ଟା କରୁଛି। ଏସବୁ ସ୍ୱାଭାବିକ କଥା। ଆସନ୍ତା ଦୁଇ କିମ୍ବା ତିନି ମାସ ଭିତରେ ଓଡ଼ିଶାର ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ।