ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ମାଓ ଦମନ ନୀତି ଜାରି ଥିଲେ ମଧ୍ୟ ମାଓବାଦୀମାନେ ଏହାକୁ ଖାତିର କରୁନାହାନ୍ତି। ମାଓଦୁର୍ଗ ଭାଙ୍ଗୁଛି ବୋଲି ସରକାର କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଓଡ଼ିଶା ସମେତ ଏହାର ପଡୋଶୀ ରାଜ୍ୟରେ ମାଓବାଦୀମାନେ ପୁଣି ଥରେ ଉତ୍ପାତ ହେଉଛନ୍ତି। ଚଳିତ ମାସ ଏକାଧିକ ଆକ୍ରମଣ କରିଛନ୍ତି। ଯବାନଙ୍କୁ ହତ୍ୟା କରିବା ପରେ ଗାଡ଼ିରେ ନିଆଁ ଲଗାଇବା, ରେଳଧାରଣା ଉଡ଼ାଇବା ଓ ସୁରକ୍ଷାବଳର ଅପରେସନକୁ ଭୃକ୍ଷେପ ନକରିବା ମାଓବାଦୀଙ୍କର ଉତ୍ପାତତାକୁ ଦର୍ଶାଉଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ନକ୍ସଲମାନେ ପଡ଼ୋଶୀ ଛତିଶଗଡ଼ ଓ ରାଉରକେଲାରେ ବଡ଼ଧରଣର ହିଂସା ଘଟାଇଥିଲେ। ଛତିଶଗଡ଼ର ସୁକମା ଜିଲ୍ଲାରେ ବିଜେପି ନେତାଙ୍କ ଗାଡ଼ି ଉପରକୁ ଆକ୍ରମଣ ସହ ଯାତ୍ରୀବାହୀ ବସ୍ ଓ ଅନ୍ୟ ଗାଡ଼ିରେ ଅଗ୍ନି ସଂଯୋଗ କରିବା ପରେ ଝାଡ଼ଖଣ୍ଡରେ ରେଳଧାରଣାରେ ବିସ୍ଫୋରଣ କରିଥିଲେ।
ମାଓବାଦୀମାନେ ଗୁରୁବାର ରାତି ପ୍ରାୟ ୧୧ଟାରେ ଝାଡ଼ଖଣ୍ଡର କୋଇଲକେରା ଓ ପୋସୈତା ଷ୍ଟେସନ ମଝିରେ ବୋମା ବିସ୍ଫୋରଣ କରି ରେଳଧାରଣାକୁ କ୍ଷତି ପହଞ୍ଚାଇଥିଲେ। ଏହି ଘଟଣା ପରେ ହାୱଡା-ମୁମ୍ବାଇ ମୁଖ୍ୟ ରେଳପଥରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମାଓ ସଂଗଠନ ‘ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟି’ ଡିସେମ୍ବର ୨୨ ତାରିଖରେ ଭାରତ ବନ୍ଦ ଆହ୍ବାନ କରିଥିଲେ। ତେବେ ବନ୍ଦ ପାଳନ ଆରମ୍ଭ ହେବା ପୂର୍ବରୁ ଚକ୍ରଧରପୁର ରେଳ ଡିଭିଜନ ଅଧୀନ ଗୋଇଲକେରା ଓ ପୋସୈତା ରେଳ ଷ୍ଟେସନ ମଝିରେ ଖୁଣ୍ଟ ସଂଖ୍ୟା ୩୫୬/୨୯ଏ ଏବଂ ୩/ଏ ତୃତୀୟ ଲାଇନ୍ରେ ବିସ୍ଫୋରଣ କରିଥିଲେ।
ଛତିଶଗଡ଼ରେ ଯବାନ ସହିଦ, ଲଙ୍କାକାଣ୍ଡ
ଗତ ୨୦ ତାରିଖରେ ସୁକମାରେ ମାଓବାଦୀମାନେ ଲଙ୍କାକାଣ୍ଡ କରିଥିଲେ। ବସ୍ ଓ ଅନ୍ୟ ଗାଡ଼ିରେ ନିଆଁ ଲଗାଇ ବଡ଼ଧରଣର କ୍ଷୟକ୍ଷତି କରିଥିଲେ। ମାଓବାଦୀମାନେ ଏହା ପୂର୍ବରୁ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଲିସକୁ ମୁକବେିଏେ କରିଥିଲେ। ଜଗରଗୁଣ୍ଡା ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ମାଓ ଗୁଳିରେ ସିଆରପିଏଫର ଏସଆଇ ସୁଧାକର ରେଡ୍ହୀ ସହିଦ ହୋଇଥିଲେ। ନିୟମିତ କମ୍ବିଂ ଅପରେସନରେ ଯବାନମାନେ ବାହାରିଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ତେବେ ଯବାନମାନେ ୪ ସନ୍ଦିଗ୍ଧ ମାଓବାଦୀଙ୍କୁ କାବୁ କରିଥିଲେ।
ବୌଦ୍ଧ ଜଙ୍ଗଲରେ ମାଓ ଶିବିର
ନିକଟରେ ଦୁଇ ଦିନ ଧରି ଚାଲିଥିବା କମ୍ବିଂ ଅପରେସନରେ ବୌଦ୍ଧ ପୁଲିସ ବିପୁଳ ମାଓବାଦୀ ସାମଗ୍ରୀ ସହ ବିସ୍ଫୋରକ ଜବତ କରିଥିଲା। ଏସ୍ପି ରାଜ ପ୍ରସାଦ ସୂଚନା ଦେଇଥିଲେ ଯେ, ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ରହିଥିବା ସୂଚନା ମିଳିଥିଲା। ୧୩ ତାରିଖ ଦିନ ଏସ୍ଓଜି ଯବାନ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ପରଦିନ ମଧ୍ୟାହ୍ନରେ ମାଓବାଦୀ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିବା ସହ ବୋମା ଫିଙ୍ଗିଥିଲେ। ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳନା କରିଥିଲେ। ପ୍ରାୟ ୨୦/୨୫ ମିନିଟ ଗୁଳି ବିନିମୟ ହେବା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା କର୍ମୀ ପ୍ରାୟ ୮୦ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ମାଓବାଦୀ ପ୍ରାୟ ୨୦୦ ଶହ ରାଉଣ୍ଡ ସହ ବୋମା ଫିଙ୍ଗିଥିଲେ। ଜୋରଦାର କମ୍ବିଂ ଅପରେସନ କରାଯିବା ବେଳେ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ବିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ସହ ୧୨ଟି ଆଇଡି ଉଦ୍ଧାର କରାଯାଇଛି।
ମାଓବାଦୀଙ୍କ ପିଏଲଜିଏ ସପ୍ତାହ
ଡିସେମ୍ବର ମାସରେ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରିଥାନ୍ତି। ଏହି ସମୟରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଜାରି କରିଥାନ୍ତି। ଏଥିରେ ସେମାନେ ଏକ ଦିବସୀୟ ଭାରତ ବନ୍ଦ ଘୋଷଣା କରିଥାନ୍ତି। ଏହି ଭାରତ ବନ୍ଦ ଆହ୍ବାନ ସମୟରେ ମାଓବାଦୀମାନେ ନିଜର ଉପସ୍ଥିତି ଦର୍ଶାଇଥାନ୍ତି। ଏହି ପରିପ୍ରେକ୍ଷୀରେ ମାଓବାଦୀମାନେ ଡିସେମ୍ବର ୨୨ରେ ଭାରତ ବନ୍ଦ ଆହ୍ବାନ କରିଥିଲେ। ଏହି କାରଣରୁ ସୁରକ୍ଷା ବାହିନୀ ମଧ୍ୟ ସତର୍କ ରହିଥିଲା। ନକ୍ସଲମାନେ ଶୁକ୍ରବାର ମାଓପ୍ରଭାବିତ ଅଞ୍ଚଳରେ ରାଲି କରିଥିଲେ। ଏଥିରେ ସେମାନେ ଦୁର୍ଗମ ଅଞ୍ଚଳର ଗ୍ରାମବାସୀଙ୍କୁ ମଧ୍ୟ ସଂପୃକ୍ତ କରିଥିଲେ।