ଭୁବନେଶ୍ୱର: କୋଭିଡ-୧୯ର ଅନ୍ୟତମ ଭାରିଆଣ୍ଟ ‘ଓମିକ୍ରନ୍’ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ବ୍ୟାପିଛି। ଭାରତରେ ଓମିକ୍ରନ୍ କାରଣରୁ ୧୯ ରାଜ୍ୟରେ ପ୍ରାୟ ୬୦୦ ଲୋକ ସଂକ୍ରମିତ ହୋଇ ସାରିଥିଲା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଗତ ୨୧ ତାରିଖରେ ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ୍ ଚିହ୍ନଟ ହୋଇଥିଲେ। ତେବେ ଏଥିରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ଓମିକ୍ରନ୍ କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଶୀଘ୍ର ବ୍ୟାପୁଥିବାରୁ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଛି। ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଓମିକ୍ରନ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟରେ ୨୦୨୨ ଜାନୁଆରୀ ୩ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲୁ। ଏହା ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଚାହୁଁ ନାହାନ୍ତି। ପିଲାମାନଙ୍କ ଭବିଷ୍ୟତ ପାଇଁ ଏହା ସରକାରଙ୍କର ନିଜସ୍ୱ ଇଚ୍ଛା। ୬ରୁ ୧୦ ବର୍ଷର ପିଲାମାନଙ୍କ ପାଇଁ କୋଭିଡ ଟିକା ନ ଆସିଥିବାରୁ ତଥା ପିଲାମାନେ ବିଦ୍ୟାଳୟରେ କଟକଣାକୁ ସତର୍କତାର ସହିତ ପାଳନ କରିବା ନେଇ ସନ୍ଦେହ ଥିବାରୁ ସମସ୍ତଙ୍କର ଚିନ୍ତା ହେବା ସ୍ୱାଭାବିକ। ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେବା ପରେ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଉଛି। କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କା ଥିବା ବେଳେ ସରକାର ୨୭ ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲି ଶିଶୁମାନଙ୍କୁ ବିପଦ ଆଡ଼କୁ ଠେଲୁଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଉଛି। ଲୋକଙ୍କର ଅଭିଯୋଗ ହେଲା ଯେ, ପିଲାଙ୍କୁ ପ୍ରଥମେ ଟିକା ଦିଆଯାଉ ପରେ ପାଠପଢ଼ା ଆରମ୍ଭ ହେଉ।
ଅନ୍ଲାଇନ୍ କ୍ଲାସ ଜାରି ରହିବ: ମନ୍ତ୍ରୀ
ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସାଢ଼େ ୨୧ ମାସ ପରେ ଖୋଲୁଛି। ଏଥି ପାଇଁ ପିଲାମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଯାଇଛି। କିନ୍ତୁ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ିଛି। ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ଡାକ୍ତରଙ୍କୁ ପରାମର୍ଶ କରିବା ସହଜ। ହେଲେ ଛୋଟ ପିଲା ଯଦି କରୋନା ସଂକ୍ରମିତ ହୁଅନ୍ତି, ତା’ହେଲେ ଅଭିଭାବକ ହଇରାଣ ହେବା ସ୍ୱାଭାବିକ। ରାଜ୍ୟ ସରକାର କହିଛନ୍ତି ଯେ, ଅନ୍ଲାଇନ୍ ସହିତ ଅଫ୍ଲାଇନ୍ରେ ମଧ୍ୟ ପାଠପଢ଼ା ହେବ। ତେଣୁ ପିଲା କେଉଁ ମାଧ୍ୟମରେ ପଢ଼ିବେ ତାହା ଅଭିଭାବକ ମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ବିଦ୍ୟାଳୟରେଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଠ ପଢ଼ା ହେବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଡ୍ରାଏ୍-ରାସନ୍ ସାମଗ୍ରୀ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ।
ବିପଦକୁ ଅସ୍ୱୀକାର କରାଯାଇପାରିବନି?
୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମର ବଢ଼ିବା ପରେ ରାଜ୍ୟ ସରକାର ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରଖିବା ପାଇଁ ଅଚାନକ ନିର୍ଦ୍ଦେଶନାମା ଜାରି କରିଥିଲେ। ଗତବର୍ଷ ମାର୍ଚ୍ଚ ୧୭ ତାରିଖ ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଏଯାଏଁ ବନ୍ଦ ରହିଛି। ଗତ ଦଶହରା ଛୁଟି ପରେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲା ଥିଲା। ଏହା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ନବମ ଠାରୁ ଦ୍ୱାଦଶ ଏବଂ କଲେଜ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଥିଲା। ରାଜ୍ୟରେ ଯଦିଓ କୋଭିଡ-୧୯ ଗାଇଡଲାଇନ୍ ଅନୁସାରେ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଯାଉଛି ବୋଲି କୁହାଯାଉଛି, ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ। ଗ୍ରାମାଞ୍ଚଳରେ ଚରମ ଅବହେଳା ଦେଖାଯାଉଛି। ପୁଣି ଥରେ ଯଦି ସଂକ୍ରମଣ ବଢ଼ିଚାଲେ ସ୍ଥିତି ଖରାପ ଆଡ଼କୁ ନ ଯିବ, ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ।
ଏସ୍ଓପିରେ କ’ଣ ରହିଛି
ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହେଲେ ବି ଅନ୍ଲାଇନ୍ରେ କ୍ଲାସ ଜାରି ରହିବ। କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଥିବା ସ୍କୁଲ ଗୁଡ଼ିିକ ଖୋଲିବ ନାହିଁ। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ରହିଛି। ସହିତ ସ୍କଲକୁ ପ୍ରତିଦିନ ସଫା ରଖିବା, ସ୍କୁଲ ଆସବାବ ପତ୍ର ସଫା ଏବଂ ପାଣିଟାଙ୍କିକୁ ମଧ୍ୟ ସଫା ରଖିବାକୁ ଏସଓପିରେ ଉଲ୍ଲେଖ କରାଯାଇଛି। ସ୍କୁଲରେ ହାତ ଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି। ସ୍କୁଲ ମଧ୍ୟରେ ପିଲାମାନେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରଖି ବସିବେ। ଯଦି ସମ୍ଭବ ହୁଏ ତେବେ ଗୋଟିଏ ବେଞ୍ଚରେ ମଧ୍ୟ ଗୋଟିଏ ପିଲା ବସିବାକୁ ବ୍ୟବସ୍ଥା କରିବାକୁ ଏସଓପିରେ କୁହାଯାଇଛି ବିଦ୍ୟାଳୟର ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା, ସମସ୍ତେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।