ଭୁବନେଶ୍ୱର: କିଛି ଦିନ ପୂର୍ବରୁ ଦେଶରେ କରୋନା ଭାଇରସ୍ର ଦୈନିକ ସଂକ୍ରମଣ ୫ ହଜାର ରହୁଥିବା ବେଳେ ଏବେ ଏହା ଅନେକ ଗୁଣରେ ବଢ଼ିଯାଇଛି। ଜାନୁଆରୀ ୪ ତାରିଖରେ ଦେଶରେ ୩୭,୩୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ଯାଏଁ ସବୁଠି କରୋନାକୁ ନେଇ ଲୋକେ ଚିନ୍ତିତ ଅଛନ୍ତି। ସେହିପରି ପଶ୍ଚିମବଙ୍ଗ, ବିହାର ସମେତ ଓଡ଼ିଶା ଓ ଝାଡ଼ଖଣ୍ଡରେ ମଧ୍ୟ କରୋନା ଉଗ୍ରରୂପ ଦେଖାଇବା ଆରମ୍ଭ କରିଦେଇଛି। କିଛି ଦିନ ପୂର୍ବରୁ ଓଡ଼ିଶାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ କମ୍ କମ୍ ରହୁଥିବା ବେଳେ ତାହା ଏବେ ୪ଗୁଣରୁ ମଧ୍ୟ ଅଧିକ ରହୁଛି। କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ବ୍ୟାପିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ କହୁଛନ୍ତି।
ଦେଶରେ କରୋନା ଭାଇରସ ମହାମାରୀର ଦୈନିକ ସଂକ୍ରମଣରୁ ଯାହା ଜଣାପଡୁଛି ଏହା ହେଉଛି ୩ୟ ଲହରର ପୂର୍ବାଭାସ। ମହାରାଷ୍ଟ୍ରରେ ସୋମବାର ୧୨ ହଜାର ୧୬୦ ଜଣ ଓ ଦିଲ୍ଲୀରେ ମଙ୍ଗଳବାର ୫୪୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ କେବଳ ସୋମବାର ୮୦୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମହାରାଷ୍ଟ୍ରବାସୀଙ୍କୁ ଆଉ ଏକ ଚିନ୍ତା ହେବାର କାରଣ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ୬୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମଧ୍ୟ ସମାନ ଅବସ୍ଥା, ଯେଉଁଥି ପାଇଁ ସରକାର ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହାନ୍ତ ସଟ୍ଡାଉନ୍ ମଧ୍ୟ ଲାଗୁ କରିଦେଇଛନ୍ତି।
କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖ: ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ଓମିକ୍ରନ୍ ସମେତ କୋଭିଡ-୧୯ ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କିତ ସମୀକ୍ଷା କରିଛନ୍ତି। ଆଗାମୀ ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦ୍ଵିତୀୟ ଲହରି ସମୟରେ ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍ରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୂତାଣୁ ସଂକ୍ରମଣକୁ କମ୍ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମହାରାଷ୍ଟ୍ରରେ ୫୭୮ ଓମିକ୍ରନ୍ ଆକ୍ରାନ୍ତ
କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ମହରାଷ୍ଟ୍ର। ଏଠାରେ ରବିବାର ୮୦୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ସୋମବାର ୧୨ ହଜାରରୁ ଅଧିକ ଆକ୍ରାନ୍ତ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାରରୁ ଊର୍ଦ୍ଧ୍ୱ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ମୋଟ୍ ସଂକ୍ରମିତଙ୍କ ତୁଳାନାରେ ମୁମ୍ବାଇରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବିଢ଼ିଛି। ସହରରେ ସକ୍ରିୟ ସକ୍ରମିତଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି। ମୁମ୍ବାଇରେ ଯେଉଁମାନେ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି, ସେଥିରୁ ୯୦ ପ୍ରତିଶତ ଲକ୍ଷଣ ବିହୀନ। ସୋମବାର ୬୮ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮ରେ ପହଞ୍ଚିଛି।
ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ
କରୋନା ସଂକ୍ରମଣ ବଢ଼ି ଚାଲିିଥିବାରୁ ଦିଲ୍ଲୀ ସରକାର ମଧ୍ୟ କଟକଣାକୁ ଜୋରଦାର୍ କରିଛନ୍ତି। ଓମିକ୍ରନ୍ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ସପ୍ତାହାନ୍ତ କଫ୍ୟୁ ସହ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। କିନ୍ତୁ ଦିଲ୍ଲୀରେ ମେଟ୍ରୋ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରେ ହେଉଥିବା ଭିଡ଼କୁ ଏଡ଼ାଇବା ପାଇଁ ବସ୍ ଏବଂ ମେଟ୍ରୋ ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ଚାଲିବ। ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ଜରୁରିକାଳୀନ ସେବାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଘରୁ କାମ କରିବେ। ବେସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ।
ବିହାରରେ ୧୫୬ ଡାକ୍ତର ପଜିଟିଭ୍
ବିହାରରେ ବିଗତ ୨ ଦିନ ଭିତରେ ୧୫୬ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ପାଟଣାସ୍ଥିତ ନାଳନ୍ଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏନ୍ଏମ୍ସିଏଚ୍)ରେ ଲଗାତାର ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି, ଯେଉଁଥି ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବ୍ୟଥା ହୋଇଛି। ସୋମବାର ୧୩୩ ଜଣ ଡାକ୍ତର ଓ ମେଡିକାଲ ଛାତ୍ରଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୭୨ ଜଣଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଛି। ସେହିପରି ରବିବାର ଦିନ ୧୯୪ ଜଣ ଡାକ୍ତରଙ୍କ ଆରଟି-ପିସିଆର ଯାଞ୍ଚ କରାଯାଇଥିଲା ବେଳେ ଏଥିରୁ ୮୪ ଜଣ ଡାକ୍ତର ସଂକ୍ରମିତ ଚିହ୍ନଟ ହୋଇଛନ୍ତି।