Wednesday, September 11, 2024
Home‘ଓମିକ୍ରନ୍‌‘ ବଢ଼ାଉଛି ବିଶ୍ବବାସୀଙ୍କ ଚିନ୍ତା
Array

‘ଓମିକ୍ରନ୍‌‘ ବଢ଼ାଉଛି ବିଶ୍ବବାସୀଙ୍କ ଚିନ୍ତା

ଭୁବନେଶ୍ବର: କରୋନା ଭାଇରସ୍‌ ୨ ବର୍ଷ ପୂର୍ତ୍ତି ଅବସରରେ ଏକ ବଡ଼ ଉପହାର ସ୍ବରୂପ ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ଆଣିଛି। ଏହା ପୂର୍ବରୁ କୋଭିଡ-୧୯ ଯେତେ ପ୍ରକାରର ଭ୍ୟାରିଆଣ୍ଟ ଆଣିଥିଲା, ଓମିକ୍ରନ୍‌ ଭଳି କମ ସମୟ ମଧ୍ୟରେ ଚର୍ଚ୍ଚା ହୋଇପାରି ନଥିଲା। କୋଭିଡ-୧୯ ଯେତେବେଳେ ୨୦୧୯ ଡିସେମ୍ବରରେ ଚୀନର ଉହାନ ସହରରେ ପ୍ରଥମ ଥର ପାଇଁ ଦେଖାଯାଇଥିଲା, ସେହି ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ୟ ରାଷ୍ଟ୍ରମାନେ ଏହାକୁ ଖାତିର କରି ନଥିଲେ। ପ୍ରାୟ ୨ରୁ ଅଢ଼େଇ ମାସ ପରେ ବିଶ୍ବବାସୀଙ୍କୁ ଚିନ୍ତା ଘାରିଥିଲା। କିନ୍ତୁ କରୋନା ଭାଇରସ୍‌ରୁ ସୃଷ୍ଟ ଓମିକ୍ରନ୍‌କୁ ଗୋଟିଏ ମାସ ପୂରି ନଥିବା ବେଳେ ସମଗ୍ର ବିଶ୍ବରେ ହାହାକାର ଦେଖାଯାଇଛି।

୨୦୨୨ରେ ପୁଣି ୨୦୨୦ ଅବସ୍ଥା!

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡ-୧୯ ନେଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଚୁପ୍‌ ଥିଲା ବେଳେ ଓମିକ୍ରନ୍‌କୁ ନେଇ ମୁହଁ ଫିଟାଇଛି। ନୂଆ ପ୍ରାରୂପର ସଂକ୍ରମଣ ଖୁବ ଶୀଘ୍ର ବ୍ୟାପୁଥିବାରୁ ଚିକିତ୍ସକ ଓ ଗବେଷକମାନଙ୍କର ମଧ୍ୟ ଚିନ୍ତା ବଢ଼ିଛି। ସେହିଭଳି ସରକାର ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି। ସଂକ୍ରମଣ ଯଦି ନିୟନ୍ତ୍ରିତ ନହୁଏ, ତା’ହେଲେ ୨୦୨୦ ମସିହାର ଫେବ୍ରୁଆରୀରୁ ଜୁନ୍‌ ମାସ ପର୍ଯ୍ୟନ୍ତ ବିଶ୍ବର ଅବସ୍ଥା ଯାହା ଥିଲା, ୨୦୨୨ ମସିହାର ଆରମ୍ଭ ବେଳକୁ ସମାନ ବ୍ୟବସ୍ଥା ପୁଣି ଥରେ ଲାଗୁ ହେବାକୁ ଏଡେଇ ହେବ ନାହିଁ। ଅନ୍ୟପଟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ରାତ୍ରୀକାଳୀନ କର୍ଫ୍ୟୁ, ଜନତା କର୍ଫ୍ୟୁ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ଅଧିକ କଡ଼ାକଡ଼ି କରି ଦିଆଯାଇପାରେ।

ଚିନ୍ତା ବଢ଼ାଉଛି ଓମିକ୍ରନ୍‌

କରୋନା ଭାଇରସ୍‌ ପ୍ରକୋପରୁ ଭଲଭାବରେ ଆଶ୍ବସ୍ତି ମିଳିପାରି ନାହିଁ, ନୂଆ ଭାଇରସ୍‌ ‘ଓମିକ୍ରନ୍‌’ ବିଶ୍ବବ୍ୟାପୀ ଚିନ୍ତା ବଢ଼ାଇ ସାରିଛି। ଦକ୍ଷିଣ ଆଫ୍ରିକାରେ ମିଳିଥିବା ଏହି ଭ୍ୟାରିଆଣ୍ଟକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଇଟାଲୀର ଗବେଷକମାନେ କୋଭିଡ-୧୯ ଓମିକ୍ରନ୍‌ ଭ୍ୟାରିଆଣ୍ଟ(B.1.1.529)ର ପ୍ରଥମ ଫଟୋ ମଧ୍ୟ ଜାରି କରିସାରିଛନ୍ତି। ରୋମ୍‌ର ବୋମ୍ବିନୋ ଗେସୋ ହସ୍ପିଟାଲରେ କରାଯାଇଥିବା ଗବେଷଣା ପରେ ଏହି ଫଟୋକୁ ନିଆଯାଇଛି। ପ୍ରଫେସର କାର୍ଲୋ ଫେଦେରିକୋ ପର୍ନୋ କୋ-ଅର୍ଡିନେଟ କରିଛନ୍ତି ଏବଂ ମିଲାନର ଷ୍ଟେଟ୍‌ ୟୁନିଭରସିଟିର ପ୍ରଫେସର କ୍ଲାଡିୟୋ ଅଲ୍ଟେରୀ ଏହି ଗବେଷଣାକୁ ସୁପରଭାଇଜ କରିଛନ୍ତି। ଏହି ଫଟୋରେ ଓମିକ୍ରନ୍‌ ସ୍ପାଇକ୍‌ ପ୍ରୋଟିନ୍‌ର ଢ଼ାଞ୍ଚା ଦେଖାଯାଇ ପାରିବ। ଫଟୋ‌ରୁ ସ୍ପଷ୍ଟ ହେଉଛି ଯେ, ଓମିକ୍ରନ୍‌ର ମ୍ୟୁଟେଶନ ରେଟ୍‌ ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଅନେକ ଗୁଣ ଆଗରେ।

ମୁକାବିଲା ପାଇଁ ବାହାରିନି ରାସ୍ତା

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ରେ ଏପର୍ଯ୍ୟନ୍ତ ବୋତ୍ସୱାନାରେ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ହଙ୍ଗକଙ୍ଗ ଲୋକେ ସଂକ୍ରମିତ ହୋଇସାରିଛନ୍ତି। କୋଭିଡ-୧୯ ଭ୍ୟାରିଆଣ୍ଟ ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କହିବା ଅନୁସାରେ ଏହି ଭ୍ୟାରିଆଣ୍ଟରେ ବହୁତ ଅଧିକ ମ୍ୟୁଟେଶନ ହୋଇପାରେ। ସଂପର୍କର ଅଧିକ ତଥ୍ୟ ମିଳିବା ପରେ ପୂରା ବିଶ୍ବର ଜନତାଙ୍କ ଚିନ୍ତା ବଢ଼ିଯାଇଛି। ଲୋକେ ଏହି ନୂଆ ଭ୍ୟାରିଆଣ୍ଟ ସଂପର୍କରେ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ‘ଓମିକ୍ରନ୍‌’କୁ କେମିତି ମୁକାବିଲା କରାଯାଇ ପାରିବ, ବହୁତ କିଛି ତଥ୍ୟ ମିଳିପାରି ନାହିଁ।

ଆଫ୍ରିକା ପାଇଁ ବିଦେଶରେ କଟକଣା

କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ବ୍ୟାପିବା ଫଳରେ ଏକାଧିକ ଦେଶରେ ଅଧିକ କଟକଣା ଲାଗୁ ହୋଇଯାଇଛି। ଆଫ୍ରିକୀୟ ଦେଶଗୁଡ଼ିକରେ ପାଇଁ ବିଦେଶୀ ରାଷ୍ଟ୍ରମାନେ କଠୋର ଆଭିମୁଖ୍ୟ ରଖିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଲା ପରେ ଭାରତ ସମେତ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଇରାନ, ଜାପାନ, ଥାଇଲାଣ୍ଡ, ଆମେରିକା, ୟୁରୋପୀୟ ସଂଘର ଦେଶ ସମୂହ କଟକଣାକୁ ଅଧିପ ପାଳନ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏହି କରୋନାର ନୂଆ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ନୂଆ ଯାତ୍ରା ଉପରେ କଟକଣା ଲଗାଇ ସେ କହିଛନ୍ତି, ଆମକୁ ସତର୍କତାର ସହିତ ବଞ୍ଚିବାକୁ ହେବ। ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଆଫ୍ରିକା ଓ ଅନ୍ୟ ୭ଟି ଦେଶର ନାଗରିକଙ୍କ ପାଇଁ କଟକଣା ଲାଗୁ କରାଯାଇଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments