ଭୁବନେଶ୍ବର: ହକି ଖେଳ ଓ ଏହି ଖେଳରେ ରୁଚି ରଖିଥିବା ଖେଳାଳିମାନଙ୍କ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସଜାଡୁଛନ୍ତି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିଅନ୍ସିପ ଟ୍ରଫି-୨୦୧୪, ପୁରୁଷ ହକି ବିଶ୍ବ ଲିଗ୍-୨୦୧୬-୧୭, ପୁରୁଷ ହକି ବିଶ୍ବକପ୍-୨୦୧୮, ୨୦୧୯ରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲିମ୍ପିକ୍ସ କ୍ବାଲିଫାୟର ଆଦି ମ୍ୟାଚର ସଫଳତାପୂର୍ବକ ଆୟୋଜନ ପରେ ରାଜ୍ୟ ସରକାର ଭୁବନେଶ୍ବର ଓ ରାଉରକେଲାରେ ଅଗାମୀ ହକି ବିଶ୍ବକପର ଆୟୋଜନ ନେଇ ଜୋରଦାର କାମ କରୁଛନ୍ତି। ହକି ଇଣ୍ଡିଆର ପ୍ରାୟୋଜକ ଥିବାରୁ ରାଜ୍ୟ ସରକାର ଅନ୍ୟ ସହରରେ ମଧ୍ୟ ହକିର ବିକାଶ ପାଇଁ ସରକାର କାମ କରୁଛନ୍ତି।
ରାଜ୍ୟ ସରକାର ନିଜେ ସବୁବେଳେ ଦାବି କରି ଆସୁଛନ୍ତି, ଭୁବନେଶ୍ବର ହେଉଛି ଦେଶର କ୍ରୀଡ଼ାର ରାଜଧାନୀ। ତାହା ସତ ହେଉ କି ନହେଉ ଅଥବା ଲୋକେ ଗ୍ରହଣ କରନ୍ତୁ ବା ନ କରନ୍ତୁ, ବିଗତ କିଛି ବର୍ଷରେ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆସିଛି। ବଡ଼ ବଡ଼ ଜାତୀୟସ୍ତରୀୟ କ୍ରୀଡ଼ାର ଆୟୋଜନ ହେଉଛି। ସରକାର ଏବେ ଫୁଟବଲ୍ ର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ୍ ମୁମ୍ବାଇ ଓ ଗୋଆ ସହିତ ଭୁବନେଶ୍ବର ମଧ୍ୟ ଯୋଡ଼ି ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ କଳିଙ୍ଗ ଷ୍ଟାଡିୟମରେ ଦର୍ଶକମାନେ ଫୁଟବଲ ମ୍ୟାଚ ଦେଖିବାକୁ ଭିଡ଼ ଲଗାଇଛନ୍ତି। ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଯାଇଛି।
ମାଗଣାରେ ପିଲାଙ୍କୁ ମିଳିବ ଫୁଟବଲ୍
ହକି ଭଳି ଫୁଟବଲ୍ ଖେଳର ମଧ୍ୟ ବିକାଶ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ସ୍କୁଲ ପିଲାଙ୍କୁ ମାଗଣାରେ ଫୁଟବଲ ଦେଇ ଏହି ଖେଳ ପ୍ରତି ଆକର୍ଷଣ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି। ଫୁଟବଲ ଖେଳ ବିଦେଶରେ ଯେଭଳି ଗ୍ରହଣୀୟ ହୋଇପାରିଛି, ଓଡ଼ିଶାରେ ମଧ୍ୟ ଏହାର ଲୋକପ୍ରିୟତା ବଢ଼ାଇବା ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ ହୋଇଛି। ସ୍କୁଲ ପିଲାଙ୍କ ଫୁଟବଲ ପ୍ରତି ଆଗ୍ରହ ବଢ଼ାଇବା ପାଇଁ ‘ଫୁଟବଲ୍ ଫର୍ ଅଲ୍’ ଯୋଜନା ଆରମ୍ଭ ହୋଇଯାଇଛି। ଏହାରି ମାଧ୍ୟମରେ ରାଜ୍ୟର ୨ ହଜାର ସ୍କୁଲରେ ପିଲାମାନଙ୍କୁ ୪୩ ହଜାର ଫୁଟବଲ ବଣ୍ଟନ କରାଯିବ। ତୃଣମୂଳସ୍ତରରେ ଫୁଟବଲ୍ ଖେଳର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଫୁଟବଲର ବିକାଶ ହେବ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଫୁଟବଲ ହେଉଛି ଅନ୍ୟତମ ଲୋକପ୍ରିୟ ଖେଳ ମଧ୍ୟରୁ ଏକ। କାରଣ ପୂରା ବିଶ୍ବରେ ଫୁଟବଲ ଖେଳାଯାଉଛି। ତେଣୁ ଆମ ଦେଶରେ ମଧ୍ୟ ଫୁଟବଲ ଖେଳର ବିକାଶ କରାଯାଇପାରିବ। ମହିଳା ଫୁଟବଲ ଉପରେ ଆମକୁ ଅଧିକ ଗୁରୁତ୍ବ ଦେବାର ଅଛି। ବିଶ୍ବକପକୁ ଦୃଷ୍ଟିରେ ରଖି ଆମେ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିଛେ। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍) ଓ ଫିଫା ଓଡ଼ିଶା ସମେତ ଦେଶରେ ଫୁଟ ବଲ୍ ଖେଳର ବିକାଶ ପାଇ କାମ କରୁଛି। କେନ୍ଦ୍ର ସରକାରଙ୍କ ଯୋଜନା ଯେ, ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ।
ସୁର ରାତଉତରାୟଙ୍କୁ ଫେରାଇଦେଲେ
କଳିଙ୍ଗ ଷ୍ଟାଡିୟମ୍ର ଅକ୍ଟୋବର ୧୧ ତାରିଖ ଠାରୁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଜଣେ ସୁରକ୍ଷାକର୍ମୀଙ୍କ ଦ୍ବାରା ଅପମାନିତ ହେବାକୁ ପଡ଼ିଛି। ବିଧାୟକ ଶ୍ରୀ ରାଉତରାୟଙ୍କ ପାଖରେ ମ୍ୟାଚ ଦେଖିବା ପାଇଁ ପାସ୍ ଥିଲେ ମଧ୍ୟ ତାଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଦିଆଯାଇ ନାହିଁ। ବରଂ ତାଙ୍କ ବାହାକୁ ଧରି ବାହାରକୁ ଠେଲି ଦିଆଯାଇଛି। ଏହି ଅପମାନ ପାଇବା ପରେ ସୁର ରାଉତରାୟ ଆଉ ମ୍ୟାଚ ନ ଦେଖି ଫେରିଯାଇଥିଲେ। ଗେଟ୍ ପାଖରେ ମୁତୟନ ହୋଇଥିବା ଜଣେ ବିଦେଶୀ ସୁରକ୍ଷାକର୍ମୀ ବାହୁଧରି ବାହାର କରିଦେଇଥିବା ସୁର ରାଉତରାୟ ଅଭିଯୋଗ କରିଛନ୍ତି। ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ନବୀନ ବାବୁ ଷ୍ଟାଡିୟମ୍ ପାଇଁ ତୁମର କିଛି ଦାନ ନାହିଁ। ତୁମେ କେବଳ ଆଧୁନିକୀକରଣ କରିଛ ଓ ଖେଳ କରାଉଛ। ଆମେ କଳିଙ୍ଗ ଷ୍ଟାଡିୟମ୍କୁ କରିଛୁ। ଆଉ ଆମକୁ ଗୋଟିଏ ପାସ୍ ଦେଇ ଗେଟ୍ ପାଖରୁ ଫେରାଇଦିଆଯିବା ଘୋର ଲଜ୍ଜ୍ୟାର ବିଷୟ।