Tuesday, September 17, 2024
Homeଓଡ଼ିଶାରେ ୮ ମାସରେ ୩ ଲକ୍ଷ କରୋନା ଆକ୍ରାନ୍ତ
Array

ଓଡ଼ିଶାରେ ୮ ମାସରେ ୩ ଲକ୍ଷ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟର ୩୧ଟି ଜିଲ୍ଲାରୁ ୧୩୭୨ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ହୋଇଛି । ରାଜ୍ୟରେ ଆଜି ୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହି ସଂଖ୍ୟା ୧୪୧୦ଛୁଇଁଛି । କିନ୍ତୁ ଖୁସିର ଖବର ଯେ, ରାଜ୍ୟରେ ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୯୫.୦୧ ପ୍ରତିଶତ ଅର୍ଥାତ ୨ ଲକ୍ଷ ୮୫ ହଜାର ୧୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗଂଜାମକୁ ଟପିଲା ଖୋର୍ଦ୍ଧା

କରୋନା ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାକୁ ଅଧିକ ଗ୍ରାସ କରିଛି । ନଭେମ୍ବର ୧ ତାରିଖ ସୁଦ୍ଧା ଜିଲ୍ଲାରେ ୪୮ ହଜାର ୯୭୯ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରେ ୨୬ ହଜାର ୧୧୪ ଓ ଗଂଜାମ ଜିଲ୍ଲାରେ ୨୧ ହଜାର ୧୯୯ ଜଣ ଆକ୍ରାନ୍ତ ହୋଇଛନ୍ତି । ପୁରୀ ଜିଲ୍ଲାରେ ୧୨ ହଜାର ୬୪୩, ମୟୂରଭଂଜ ଜିଲ୍ଲାରେ ୧୧ ହଜାର ୫୦୮ ଜଣ, ସୁନ୍ଦରଗଡ଼ ଜିଲ୍ଳାରେ ୧୧ ହଜାର ୨୨୮ ଜଣ, ଯାଜପୁର ଜିଲ୍ଲାରେ ୧୦ ହଜାର ୯୪୧ ଜଣ ଓ ବାଲେଶ୍ୱର ଜିଲ୍ଲାରେ ୧୦, ୩୮୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ୧୦ ହଜାରରୁ କମ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୨ ହଜାର ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ପ୍ରଥମ କରୋନାଜନିତ ମୃତ୍ୟୁ ମାର୍ଚ୍ଚ ୧୨ ତାରିଖରେ ହୋଇଥିଲା । କର୍ଣ୍ଣାଟକର କୁଲବର୍ଗୀ ଅଚଂଳର ଜଣେ ୭୨ ବର୍ଷୀୟଙ୍କ ସେଦିନ ମୃତ୍ୟୁ ହୋଇଥିଲା । ସେ ସାଉଦୀ ଆରବରୁ ଫେରିଥିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ଗତ ମାର୍ଚ୍ଚ ୧୫ ତାରିଖରେ ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଂପୃକ୍ତ ଯୁବକ ଜଣକ ବିଦେଶରୁ ଫେରିଥିଲେ । ଗୋଟିଏ ମାସ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୧୦୦ରୁ କମ ଥିଲା । କିନ୍ତୁ ଆଜି ୮ ମାସ ଭିତରେ ଏତେ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଯିବେ ତାହା କେହିବି ଭାବି ପାରୁ ନଥିଲେ । ପ୍ରଥମ କରୋନା ମୃତ୍ୟୁ ଘଟଣା ଏପ୍ରିଲ ୬ ତାରିଖରେ ଜଣାପଡ଼ିଥିଲା । ଠିକ ମାସକ ପରେ ଅର୍ଥାତ ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ୨ୟ ବ୍ୟକ୍ତି କରୋନାରେ ପ୍ରାଣ ହାରିଥିଲେ । ସେହି ସମୟ ବେଳକୁ ରାଜ୍ୟର ୧୭୭ ଜଣ ଲୋକ କରୋନାର ପଂଝାରେ ଫସିଯାଇଥିଲେ । କିନ୍ତୁ ଏଥିରୁ ୬୦ ଜଣ ସୁସ୍ଥ ହୋଇସାରିଥିଲେ ।

ରାଜ୍ୟରେ ବଢ଼ିଛି ନମୁନା ପରୀକ୍ଷା କେନ୍ଦ୍ର

କେନ୍ଦ୍ର ସରକାରଙ୍କ ସମର୍ଥନରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୪ ଲକ୍ଷ ୮୮ ହଜାର ୫୦୯ ଜଣଙ୍କର କରୋନା ନମୁନା ପରୀକ୍ଷା କରାଇଛନ୍ତି । ରାଜ୍ୟ ସରକାରଙ୍କ କହିବା ଅନୁସାରେ ଯଦି ଓଡ଼ିଶାର ଲୋକ ସଂଖ୍ୟା ସାଢ଼େ ୪ କୋଟି ତା’ହେଲେ ନମୁନା ପରୀକ୍ଷା ସାମାନ୍ୟ କହିଲେ କିଛି ଭୁଲ ହେବ ନାହିଁ । ଏକଦା ରାଜ୍ୟରେ ଦିନକୁ ପ୍ରାୟ ୫୫ ହଜାର ପର୍ଯ୍ୟନ୍ତ ନମୁନା ପରୀକ୍ଷା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପରୀପ୍ରେକ୍ଷିରେ ଆଉ ସେହି ପରିମାଣରେ ନମୁନା ପରୀକ୍ଷା କରାଯାଉ ନାହିଁ । କରୋନାର ପ୍ରାଥମିକ ଅବସ୍ଥାରେ ବହୁତ କମ ଲୋକଙ୍କର ନମୁନା ପରୀକ୍ଷା କରାଯାଉଥିଲା । ଏପରିକି ଗୋଟିଏ ପରୀକ୍ଷାଗାରରେ ଦିନକୁ ୨୫ଟି ନମୁନା ପରୀକ୍ଷା କରାଯାଉଥିଲା । ରିପୋର୍ଟ ଆସିବାକୁ ୨ ଦିନ ଲାଗୁଥିଲା । ଧୀରେ ଧୀରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକଶିତ ହେବା ପରେ ଏବେ ଗୋଟିଏ ଲ୍ୟାବରେ ହଜାର ହଜାର ନମୁନା ପରୀକ୍ଷା ହୋଇପାରୁଛି । ରାଜ୍ୟରେ ଏକାଧିକ ସରକାରୀ ଓ ଘରୋଇ ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଇପାରୁଛି । ଏପରିକି କ୍ୟାମ୍ପ ମାଧ୍ୟମରେ ମଧ୍ୟ ନମୁନା ପରୀକ୍ଷା କରାଯାଇପାରୁଛି ।

ଅଧିକ ଟେଷ୍ଟ ହେଲେ ବଢ଼ିବ ପଜିଟିଭ ସଂଖ୍ୟା !

ରାଜ୍ୟ ସରକାର କହୁଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ କମୁଛି । ପୂର୍ବଭଳି ସଂକ୍ରମଣ ବ୍ୟାପୁନାହିଁ । କିନ୍ତୁ କରୋନା ସଂକ୍ରମିତ ସଂଖ୍ୟା ପ୍ରକୃତରେ କମି ନଥିବା । ଆଶା କରାଯାଉଛି ଯେ, ପୂର୍ବ ଭଳି ଯଦି ନମୁନା ପରୀକ୍ଷା କରାଯାଆନ୍ତା ତା’ହେଲେ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ହାରାହାରି ୧୫୦୦ରୁ ଅଧିକ ରହିବ । ଅନ୍ୟପଟରେ କୁହାଯାଇପାରିବ ଯେ, ଯଦି କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି, ତାହେଲେ ମୃତ୍ୟୁ ସଂଖ୍ୟାର ଦୈନିକ ହାର କମୁନାହିଁ କାହିଁକି । ଯେଉଁ ସମୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪ ହଜାର ରହୁଥିଲା, ସେହି ସମୟରେ ମଧ୍ୟ ପ୍ରାୟ ୧୫ ଜଣଙ୍କର କରୋନାରେ ମୃତ୍ୟୁ ହେଉଥିଲା । ଏବେବି ସେହି ଟ୍ରେଣ୍ଡ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments