Monday, October 14, 2024
Homeକଟକ ପରେ ନକଲି ସାମଗ୍ରୀର ପେଣ୍ଠ ସ୍ଥଳୀ ପାଲଟୁଛି ବ୍ରହ୍ମପୁର
Array

କଟକ ପରେ ନକଲି ସାମଗ୍ରୀର ପେଣ୍ଠ ସ୍ଥଳୀ ପାଲଟୁଛି ବ୍ରହ୍ମପୁର

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ସହର ‘ବ୍ରହ୍ମପୁର’ଦିନକୁ ଦିନ ନକଲି ସାମଗ୍ରୀ ଉତ୍ପାଦନର ପେଣ୍ଠସ୍ଥଳୀ ପାଲଟୁଛି। ଅଧିକ ଟଙ୍କା ରୋଜଗାର କରିବା ଆଶାରେ କିଛି ଲୋକ ନକଲି କାରଖାନା ଛିଡ଼ା କରି ଖାଦ୍ୟ ଓ ପାନୀୟକୁ ବିଷାକ୍ତ କରୁଛନ୍ତି। ଏହି ନକଲି ଖାଦ୍ୟ ଓ ପାନୀୟ ସେବନ କରିବା ଦ୍ୱାରା ଲୋକେ ଅସୁସ୍ଥ ଓ ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଦିନକ ପୂର୍ବରୁ ବ୍ରହ୍ମପୁରରେ ନକଲି ଗୁଟ୍‌ଖା ଓ ସସ୍‌ କାରଖାନା ଠାବ ହୋଇଥିବା ବେଳେ ରବିବାର ଏଠାରେ ନକଲି ପାଣି ବୋତଲ କାରଖାନା ଠାବ ହୋଇଛି।

ଦୀର୍ଘ ଦିନରୁ ଚାଲିଥିଲା ନକଲି କାରଖାନା

ରବିବାର ବ୍ରହ୍ମପୁରର ବଡ଼ବଜାର ଅଂଚଳର ବଡ଼ ଧରଣର ନକଲି ପାଣି ବୋତଲ କାରଖାନା ଉପରେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଲକ୍ଷ୍ମୀବିହାର ୨ୟ ଲେନ୍‌ରେ ଏହି ନକଲି ପାଣି ବୋତଲ କାରଖାନା ଦୀର୍ଘ ଦିନରୁ ପରିଚାଳିତ ହେଉଥିଲା। ଚଢ଼ାଉ ସମୟରେ ପୋଲିସ  ବିପୁଳ ପରିମାଣ ପାଣି ବୋତଲ ଜବତ କରିଥିଲା। ପୋଲିସ ପାଣି ପ୍ୟାକିଂ ମେସିନ୍‌ ମଧ୍ୟ ଜବତ କରିବା ସହ ଏସ୍‌. ରାକେଶ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଥିଲା।

୧୦ ଟଙ୍କାରେ ପାଣି ବୋତଲ

ବେଆଇନ୍‌ ଭାବେ ଚାଲୁଥିଲା କାରଖାନା ବଡ଼ବଜାର ପୋଲିସ ଜାଣିବାକୁ ପାଇଥିଲା ଯେ, ବେଆଇନ ଭାବେ ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା। କାରଖାନାର କୌଣସି ଲାଇସେନ୍‌ସ ମଧ୍ୟ ନଥିଲା। କିଛି ଶ୍ରମିକଙ୍କୁ ସେଠାରେ ନିୟୋଜିତ କରି ପାଣି ବୋତଲ ପ୍ୟାକିଂ କରାଯାଉଥିଲା। ବିଭିନ୍ନ ସ୍ଥାନରୁ ଖାଲି ପାଣି ବୋତଲ ଆଣି ସେଥିରେ ପାଣି ଭର୍ତ୍ତି କରାଯାଉଥିଲା। ଏହି ପାଣି ବୋତଲ ଉପରେ ନାମିଦାମୀ କଂପାନୀର ଲୋଗୋ ଓ ଷ୍ଟିକରିଂ କରାଯାଉଥିଲା। ୧ ଲିଟର ପାଣି ବୋତଲର ମୂଲ୍ୟ ୧୦ ଟଙ୍କା ରଖାଯାଇଥିଲା। ବଜାରରେ ପ୍ରତି କଂପାନୀ ପାଣି ବୋତଲର ମୂଲ୍ୟ ୨୦ ଟଙ୍କା ରଖିଥିବା ବେଳେ ନକଲି ପାଣି ବୋତଲ କଂପାନୀ ୧୦ଟଙ୍କାରେ ଉପଲବ୍ଧ କରୁଥିବାରୁ ବେପାର ଭଲ ଚାଲୁଥିଲା। 

ନକଲି ସସ୍‌ କାରଖାନା ଠାବ

ବ୍ରହ୍ମପୁରରେ ପାଣି ବ୍ୟତୀତ ଅନେକ ପ୍ରକାରର ନକଲି ଖାଦ୍ୟ ପ୍ରସ୍ତୁତ ହେଉଉଛି। ବଡ଼ ବଜାର ଥାନା ଅଧିନ ଫାଷ୍ଟଗେଟ ଗଣପତିନଗରରେ ଶନିବାର ଏକ ନକଲି ସସ୍‌ କାରଖାନା। ଶନିବାର ଦିନ ସକାଳେ ବେଆଇନ ଗୁଟ୍‌ଖା କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା।  ସସ୍‌ ଗୋଦାମକୁ ପୁଲିସ ସିଲ କରିଥିବା ବେଳେ ଜଣେ ମହିଳା ଏହି କାରଖାନାର ପରିଚାଳନା କରୁଥିଲେ ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଥିଲା। କାରଖାନାରୁ ୨୨୦ପେଟି ଟମାଟୋ, ଚିଲି ଓ ସୋୟା ସସ୍‌ ଜବତ ହୋଇଥିଲା। ସେଠାରେ ଅତ୍ୟନ୍ତ ନିମ୍ନମାନର ସସ୍‌ ତିଆରି କରି ବଜାରରେ ବିକ୍ରି କରାଯାଉଥିଲା। ସହରର ବିଭିନ୍ନ ହୋଟେଲ୍‌, ଫାଷ୍ଟଫୁଡ୍‌ ଦୋକାନରେ ଏହି ନକଲି ସସ୍‌ ବ୍ୟବହାର ହେଉଥିଲା।

ବିଶ୍ୱାସ ହରାଇବ ଅନ୍ୟ ବ୍ୟବସାୟ!

ବ୍ରହ୍ମପୁର ସହରରେ ଏକଦା ସ୍ୱଦେଶୀ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। ରାଜ୍ୟର ବିଭିନ୍ନ ବଡ଼ ସହରରୁ ଏଠାରୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଥିଲା। ବ୍ରହ୍ମପୁର ଆଚାର, ପାମ୍ପଡ଼ ଓ ବଡ଼ି ଆଦି ଖାଦ୍ୟ ରାଜ୍ୟରେ ପ୍ରସିଦ୍ଧି ଲାଗ କରିଛି। କିନ୍ତୁ ଏହି ସହରରେ ଖାଦ୍ୟ ଓ ପାନୀୟକୁ ଯେଭଳି ଭାବରେ ନକଟି କରାଯାଉଛି, ଲୋକଙ୍କର ଏଠାକାର ଖାଦ୍ୟ ଉପରେ ଆଉ ସେଭଳି ଭରସା ରହିବ ନାହିଁ। କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ନକଲି ଖାଦ୍ୟ ପ୍ରସ୍ତୁତି ହେବା ଦ୍ୱାରା ଅନ୍ୟମାନଙ୍କର ବ୍ୟବସାୟ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments