Wednesday, December 11, 2024
Homeକରୋନା ସଂକଟ ଭିତରେ ରଥଯାତ୍ରା!
Array

କରୋନା ସଂକଟ ଭିତରେ ରଥଯାତ୍ରା!

ଭୁବନେଶ୍ବର: ଭାରତ ସମେତ ଓଡ଼ିଶାରେ ମଧ୍ୟ କୋଭିଡ-୧୯ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ହେଉଛି। ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଜନସମାଗମ ଆରମ୍ଭ ହୋଇଯାଇଛି। ଜୁଲାଇ ୧ ତାରିଖ ବେଳକୁ ପୁରୀରେ ପ୍ରାୟ ୧୫ ଲକ୍ଷ ଲୋକଙ୍କର ଭିଡ଼ ହୋଇସାରିଥିବା ବୋଲି ଆକଳନ କରାଯାଉଛି। ଏଥି ପାଇଁ ରାଜ୍ୟ ସରକାର, ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି।

କରୋନା ସଂକ୍ରମଣ ଯୋଗୁଁ ବିଗତ ୨ ବର୍ଷ ହେଲା ଘୋଷଯାତ୍ରାରେ ସର୍ବସାଧାରଣ ଦର୍ଶକଙ୍କୁ ସାମିଲ କରାଯାଉ ନଥିଲା। ସେଥି ପାଇଁ ଭକ୍ତମାନେ ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ବ୍ୟସ୍ତ ହୋଇପଡ଼ିଛନ୍ତି। କିନ୍ତୁ କରୋନା ଯେଭଳି ରୂପ ନେଇଛି, ସରକାର ଓ ପ୍ରଶାସନର ଚିନ୍ତା ବଢ଼ିଯାଇଛି। କାରଣ ରଥଯାତ୍ରା ପରେ ଯଦି କୋଭିଡ-୧୯ ବଢ଼ିଯାଏ ତା’ହେଲେ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହୁଛି। କୋଭିଡ-୧୯ ନିୟନ୍ତ୍ରଣ ପାଇଁ ସରକାର ବ୍ୟାପକ ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥା କରିଥିଲେ, ସଂକ୍ରମଣ ଯଦି ଉପରମୁହାଁ ହେବ, କେହି ଅଟକାଇ ପାରିବେ ନାହିଁ। କାରର କୋଭିଡ-୧୯ର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ମଧ୍ୟ ସରକାର ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ, କିନ୍ତୁ କରୋନା ମାନି ନଥିଲା।

ରଥଯାତ୍ରାରେ ଜୁଟିବେ ୧୫ ଲକ୍ଷ ଭକ୍ତ!

ଚଳିତ ରଥଯାତ୍ରାରେ ପୁରୀରେ ୧୫ ଲକ୍ଷ ଭକ୍ତଙ୍କ ସାମାଗମ ଲକ୍ଷ୍ୟ ରଖାଯାଇଥିବା ବେୟଳେ ସରକାର ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ବିତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ଯଦି ପୁରୀକୁ ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁ ଆସନ୍ତି, ତା’ହେଲେ ବାକି ୫ ଲକ୍ଷ ଶ୍ରଦ୍ଧାଳୁଙ୍କୁ ମାଗଣାରେ ମାସ୍କ ମିଳିବ ନାହିଁ। ରଥଯାତ୍ରାରେ କେତେ ଭକ୍ତଙ୍କ ସମାଗମ ହେବେ ଯଦିଓ ଏହା ସ୍ପଷ୍ଟ ଭାବରେ କେହି କହିପାରିବେ ନାହିଁ, କିନ୍ତୁ ଏତିକି କୁହାଯାଇ ପାରିବ ଯେ, ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ଥିବାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବଙ୍କ ସମାଗମ ହେବା ସୁନିଶ୍ଚିତ। ଏତେ ପରିମାଣରେ ଭକ୍ତଙ୍କୁ ସୁବ୍ୟସ୍ଥିତ ଭାବେ ମାସ୍କ ଯୋଗାଇବା ସହଜ କଥା ନୁହେଁ।

ସୁବ୍ୟବସ୍ଥିତ ହେବ କି ମାସ୍କ ବିତରଣ?

ରାଜ୍ୟ ସରକାର କରୋନାକୁ ନେଇ ସତର୍କ ଅଛନ୍ତି। କିନ୍ତୁ ପ୍ରବଳ ଭିଡ଼ ଭିତରେ କରୋନାକୁ ଅଟକାଇ ପାରିବା ଭଳି ସରକାରଙ୍କ ପାଖରେ ବଳ ନାହିଁ। ତେଣୁ କୋଭିଡ ଲକ୍ଷଣ ଥିଲେ ଭକ୍ତ ପୁରୀକୁ ନ ଆସନ୍ତୁ ବୋଲି କହିଛନ୍ତି। ରାଜ୍ୟ ଓ ଦେଶ ବାହାରୁ ଭକ୍ତଙ୍କ ସମାଗମ ହେବାକୁ ଯାଉଥିବାରୁ କୋଭିଡ୍ ସଂକ୍ରମଣ ଭୟ ରହିଛି। ଥଣ୍ଡା, କାଶ କିମ୍ବା କୋଭିଡ୍ର କୌଣସି ଲକ୍ଷଣ ଦେଖାଗଲେ ସେମାନେ ଘରେ ରୁହନ୍ତୁ, ରଥଯାତ୍ରା ଭଳି ବିପୁଳ ସମାଗମ ସ୍ଥଳକୁ ନଆସନ୍ତୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରଥଯାତ୍ରାରେ ସମସ୍ତ ଭକ୍ତ ଯେପରି ମାସ୍କ ପିନ୍ଧିବେ, ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୦ଲକ୍ଷ ମାସ୍କ ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନ ଭକ୍ତମାନଙ୍କୁ ଏହି ମାସ୍କ ବଣ୍ଟନ କରିବେ। କିନ୍ତୁ ରଥଯାତ୍ରାରେ ଭକ୍ତଙ୍କୁ ସୁବ୍ୟବସ୍ଥିତ ଭାବେ ମାସ୍କ ବାଣ୍ଟିବା ସହଜ ହେବ ନାହିଁ ବୋଲି ବୁଦ୍ଧିଜୀବୀମାନେ ଅନୁମାନ କରୁଛନ୍ତି।

 ମାସ୍କ ବିତରଣ ସ୍ବଚ୍ଛ ରହିବ ତ?

ରଥଯାତ୍ରା ସମୟରେ କୋଭିଡ ମୁକାବିଲା ପାଇଁ ମାସ୍କ ନ ବାଣ୍ଟିଲେ ମଧ୍ୟ ହୋଇପାରିବ। କାରଣ ସରକାରଙ୍କ ଗୋଟିଏ ବିଜ୍ଞପ୍ତି ଯଥେଷ୍ଟ। ଲୋକେ କରୋନା ନେଇ ସଚେତନ ଅଛନ୍ତି। ସଂକ୍ରମଣ ବଢ଼ିଥିବାରୁ ଓ ସରକାରଙ୍କ ତାଗିଦ ଯୋଗୁଁ ଲୋକେ ବାଧ୍ୟତାମୂଳକ ଭାବେ ନିଜ ଟଙ୍କାରେ ମାସ୍କ ପିନ୍ଧି ପୁରୀକୁ ଯାଇପାରିବେ। କିନ୍ତୁ ସରକାର ଯେଉଁ ୧୦ ଲକ୍ଷ ମାସ୍କ ବାଣ୍ଟିବା ପାଇଁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ କରିବେ। ଏହା ସଫଳ ହେବା ଆଶା କମ୍ ରହୁଛି। କାରଣ ମାସ୍କ କିଣିବା ଓ ବିତରଣ କରିବାରେ ମଧ୍ୟ ଦୁର୍ନୀତି ହେବାର ଆଶଙ୍କା କରାଯାଉଛି। ଏହାର କାରଣ ହେଲା ଯେ, ୨୦୨୦ରେ ଯେତେବେଳେ କରୋନା ପଦାର୍ପଣ କରିଥିଲା, ସେହି ସମୟରେ ମଧ୍ୟ ମାସ୍କ-ପିପିଇ କିଟ୍ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା।

ଟିଭିରେ ଦେଖନ୍ତୁ ରଥଯାତ୍ରା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁରୀରେ ପ୍ରବଳ ଜନସମାଗମ ଆଶା କରାଯାଉଛି। କରୋନା ସଂକ୍ରମଣ ଆହୁରି ବଢ଼ିଯାଇପାରେ। ତେଣୁ କରୋନା ଲକ୍ଷଣ ଥିବା ବ୍ୟକ୍ତିମାନେ ପୁରୀ ନ ଯାଇ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ ବୋଲି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି। ଖୋର୍ଧାରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ବଢ଼ାଯିବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପୁରୀ ଷ୍ଟେସନ୍, ବସଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲ୍ଥ କ୍ୟାମ୍ପ ଖୋଲିବ। ଲକ୍ଷଣ ଥିଲେ ହେଲ୍ଥ କ୍ୟାମ୍ପ ଯାଇ ଚିକିତ୍ସା କରନ୍ତୁ ବୋଲି ଡା.ମହାପାତ୍ର କହିଛନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments