Wednesday, October 9, 2024
Homeକରୋନାରେ ବେପାର ପ୍ରଭାବିତ, ବ୍ୟବସାୟୀଙ୍କ ଆତ୍ମହତ୍ୟା
Array

କରୋନାରେ ବେପାର ପ୍ରଭାବିତ, ବ୍ୟବସାୟୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: କରୋନା ଭାଇରସ ମହାମାରୀ ଲକ୍ଷ ଲକ୍ଷ ପରିବାର ଉଜାଡି ଦେଇଛି। ସଂକ୍ରମଣ ଯୋଗୁଁ କେବଳ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇ ନାହିଁ। ବରଂ କୋଭିଡ-୧୯ ଯୋଗୁଁ ବ୍ୟାପକ କ୍ଷତିର ସାମ୍ନା କରିଥିବା ହଜାର ହଜାର ଲୋକ ଆତ୍ମହତ୍ୟା କରିଛନ୍ତି। ଏହି ଆତ୍ମହତ୍ୟା ତାଲିକାରେ ବ୍ୟବସାୟୀ ଓ ଚାଷୀ ସଂଖ୍ୟା ସର୍ବାଧିକ। କରୋନାରେ ବ୍ୟାପକ କ୍ଷତି ସହ୍ୟ କରିବା ପରେ ଲୋକେ ମାନସିକ ଭାରସାମ୍ୟ ହରାଇ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟାକୁ ଶ୍ରେଷ୍ଠ ପନ୍ଥା ଭାବିନେଇଛନ୍ତି।

କରୋନା ଯୋଗୁଁ ୨୦୨୦ ମସିହାରେ ଲକଡାଉନ୍‌ ଓ ସଟଡାଉନ୍‌ ହେବା ପରେ ଉଭୟ ଚାଷ ଓ ବ୍ୟବସାୟ ବ୍ୟାପକ ପ୍ରଭାବିତ ହୋଇଛି। ଉଭୟ ଚାଷୀ ଓ ବ୍ୟବସାୟୀ ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଋଣ ଆଣି ରୋଜଗାର କରିଥିବା ବେଳେ ୨୦୨୦ ମାର୍ଚ୍ଚ ୨୫ ତାରିଖ ଠାରୁ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଲକଡାଉନ୍‌ ଓ ସଟ୍‌ଡାଉନ ଲାଗୁ ହୋଇଥିଲା। ଜୁନ୍‌ ପରେ କଟକଣାରେ ଧୀରେ ଧୀରେ କୋହଳ ହୋଇଥିଲା। କିନ୍ତୁ କଟକଣା ସଂପୂର୍ଣ୍ଣ ରୂପେ କୋହଳ‌ ହେବା ବେଳକୁ ଡିସେମ୍ବର ପହଞ୍ଚି ଯାଇଥିଲା। ତା’ ପୂର୍ବରୁ ଚାଷୀ ଓ ବ୍ୟବସାୟୀ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲା।

ବ୍ୟାପକ ବ୍ୟବସାୟିକ କ୍ଷତି

ଲକଡାଉନରେ ସାମାନ୍ୟ କଟକଣା କୋହଳ ହେବା ପରେ ଚାଷୀମାନେ ତ ଏକ ପ୍ରକାର ଫସଲ ଉପୁଜାଇଥିଲେ। କିନ୍ତୁ ବ୍ୟବସାୟୀଙ୍କ ପାଇଁ ଦୋକାନ ବଜାର ମାସ ମାସ ଧରି ବନ୍ଦ ରହିବା ଫଳରେ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଦୋକାନ ନ ଖୋଲି ଏହାର ଘର ମାଲିକଙ୍କୁ ଭଡା ଦେବାକୁ ପଡ଼ିଥିଲା। ବ୍ୟବସାୟୀ ନିଜର କର୍ମଚାରୀଙ୍କୁ କିଛି ମାତ୍ରାରେ ଟଙ୍କା ଦେଉଥିଲେ। କାରଖାନାରେ ଉତ୍ପାଦନ କମ ହୋଇଥିଲେ ବି କର୍ମଚାରୀଙ୍କୁ ଦରମା ଦେବାକୁ ପଡୁଥିଲା। କରୋନା ଯୋଗୁଁ ଅନେକ କାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ହୋଇଯାଇଥିଲା।

୨୯% ଅଧିକ ବ୍ୟବସାୟୀ ଆତ୍ମହତ୍ୟା

କରୋନା ଭାଇରସ ଯୋଗୁଁ ୨୦୨୦ରେ ଅଧିକ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ନେଇ କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ କହିଛନ୍ତି। ୨୦୨୦ରେ ୧୧ ହଜାର ୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି, ଯାହାକି ୨୦୧୯ ତୁଳନାରେ ୨୯ ପ୍ରତିଶତ ଅଧିକ। ଗୃହ ମନ୍ତ୍ରାଳୟ ଅଧିନରେ ପରିଚାଳିତ ହେଉଥିବା ଏନସିଆରବିର ରିପୋର୍ଟରେ କୁହାଯାଇଛି ଯେ,  ୨୦୧୯ରେ ବ୍ୟବସାୟ ସହିତ ଜଡ଼ିତ ୯୦୫୨ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ସରକାରଙ୍କ କହିବା ଅନୁସାରେ ଆତ୍ମହତ୍ୟା କରିଥିବା ଅଧିକାଂଶ ବ୍ୟବସାୟୀ ଏମ୍‌ଏସ୍‌ଏମଇ ସହିତ ଜଡ଼ିତ।

ମହାରାଷ୍ଟ୍ରରେ ସର୍ବାଧିକ ଚାଷୀ ଆତ୍ମହତ୍ୟା

ଏନସିଆରବି ରିପୋର୍ଟ ଅନୁସାରେ ୨୦୨୦‌ ମସିହାରେ ୨୦୧୯ ତୁଳାନାରେ ଚାଷୀ ଆତ୍ମହତ୍ୟା ମାମଲା ହ୍ରାସ ପାଇଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଙ୍ଗଳବାର ଲୋକସଭାରେ କହିଛନ୍ତି ଯେ, ୨୦୨୦ରେ ୫୫୭୯ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ୨୦୧୯ରେ ଏହି ସଂଖ୍ୟା ୫୯୫୭ ଥିଲା। ପାରିବାରିକ ସମସ୍ୟା, ପ୍ରେମ ବିଫଳ, ବୈବାହିକ ସମସ୍ୟା, ବେକାରୀ, କ୍ୟାରିୟର ଓ ସମ୍ପତ୍ତି ବିବାଦ ନେଇ ଆତ୍ମହତ୍ୟାଜନିତ ଘଟଣା ଘଟୁଛି। ମହାରାଷ୍ଟ୍ରରେ ସର୍ବାଧିକ ୨୫୬୭, କର୍ଣ୍ଣାଟକରେ ୧୦୭୨, ଆନ୍ଧ୍ରପ୍ରଦେଶରେ ୫୬୪, ତେଲେଙ୍ଗାନାରେ ୪୬୬, ମଧ୍ୟପ୍ରଦେଶରେ ୨୩୫ ଓ ଛତିଶଗଡ଼ରେ ୨୨୭ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।    

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments