ଭୁବନେଶ୍ୱର: କରୋନା ସଂକ୍ରମଣ ସମଗ୍ର ବିିଶ୍ୱରେ ଉଗ୍ର ରୂପ ନେଇଛି। ଜାନୁଆରୀ ୬ ତାରିଖରେ ଦୈନିକ ସଂକ୍ରମଣ ୨୪ ଲକ୍ଷ ଅତିକ୍ରମ କରିଛି। ଏଥିରୁ ୨୦ ପ୍ରତିଶତ କେବଳ ଆମେରିକାରେ ହିଁ ସଂକ୍ରମିତ ହୋଇଛନ୍ତି। ବ୍ରିଟେନ୍, ଫ୍ରାନ୍ସ, ସ୍ପେନ, ଜର୍ମାନୀ ଓ ଇଟାଲିର ଅବସ୍ଥା ମଧ୍ୟ ଖରାପ ଆଡ଼କୁ ଗତି କରୁଛି। ଭାରତରେ ଦୈନିକ ସଂକ୍ରମଣ ଏବେ ୮୦ ହଜାର ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହା ୨୦୦୦ ଆଡ଼କୁ ମୁହାଁଇଛି। ତିନି ଦିନ ପୂର୍ବରୁ ରାଜ୍ୟରେ ଦୈନିକ ସଂକ୍ରମଣ ୫୦୦ରୁ ତଳକୁ ରହୁଥିଲା। ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ ବିଶ୍ୱି ସ୍ୱାସ୍ଥ୍ୟ ସଂଗଠନ, ଗବେଷକ ଓ ବିଶେଷଜ୍ଞଙ୍କର ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ସହିତ ସତର୍କତା ଅବଲମ୍ବନ କରିବା।
୨୦୧୯ ମସିହା ଶେଷ ସମୟ ବେଳକୁ ଯେତେବେଳେ କୋଭିଡ୍ ସଂକ୍ରମଣ ବିଶ୍ୱରେ ବ୍ୟାପିବା ଆରମ୍ଭ ହେଲା ସମସ୍ତେ ନିରୁପାୟ ହୋଇଥିଲେ। କାରଣ କୋଭିଡକୁ ନିୟନ୍ତ୍ରିତ କରିବା ପାଇଁ କୌଣସି ପ୍ରକାରର ଅସ୍ତ୍ର ନଥିଲା। ଗତବର୍ଷ ଫେବ୍ରୁଆରୀ ମାସରେ ଦ୍ୱିତୀୟ ଲହର ଆରମ୍ଭ ହେବା ପୂର୍ବରୁ କୋଭିଡ ଟିକାକରଣ ହୋଇସାରିଥିଲା। ତେବେ ଏହି ଲହର ସକ୍ରିୟ ଥିବା ବେଳେ ଦେଶର ଅଧିକାଂଶ ଲୋକ ଅତିକମ୍ରେ କରୋନା ଟିକାର ପ୍ରଥମ ଡୋଜ୍ ନେଇସାରିଥିଲେ। ଏହାରି ମଧ୍ୟରେ ଦେଶରେ ଅଧିକାଂଶ ଲୋକ ଦ୍ୱିତୀୟ ଡୋଜ୍ ମଧ୍ୟ ନେଇସାରିଛନ୍ତି। କିନ୍ତୁ କରୋନା ଟିକାକୁ ସଂକ୍ରମଣ ମାନୁ ନାହିଁ। ବରଂ ରୂପ ବଦଳାଇ ଆହୁରି ଏକ ବିସ୍ଫୋରକ ସ୍ଥିତିରେ ଉପନୀତ ହୋଇଛି।
ରାଜ୍ୟରେ ବଢୁଛି ସଂକ୍ରମଣ
ଉଭୟ ସରକାର ଓ ପ୍ରଶାସନ କୋଭିଡ-୧୯କୁ ନିୟନ୍ତ୍ରିତ କରିବା ପାଇଁ ବହୁତ ଉଦ୍ୟମ କରୁଥିଲେ ବି ସୁଫଳ ମିଳିପାରୁ ନାହିଁ। କିନ୍ତୁ ଯେଉଁମାନେ ସତର୍କତାର ସହିତ ଜୀବନକୁ ପରିଚାଳନା କରୁଛନ୍ତି, କରୋନାରୁ ବର୍ତ୍ତି ଯାଉଥିବା ପରିଲକ୍ଷିତ ହେଉଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଯଦିଓ ଏକ ପ୍ରକାରର ଅସ୍ତ୍ର ତଥାନି ଶରୀରରେ ରୋଗପ୍ରତିଷେଧକ ବଢ଼ାଇବା ପାଇଁ ଯୋଗ, ବ୍ୟାୟାମ, ପ୍ରାଣାୟମ, ପ୍ରାକୃତିକ ଉପାୟ ଅବଲମ୍ବନ କରିପାରିଲେ ଭଲ। ଏବେ ରାଜ୍ୟର ସବୁ ଜିଲ୍ଲାରେ ପୁଣିଥରେ କରୋନା ଚିହ୍ନଟ ହେଉଛନ୍ତି। ଏଥିରେ ଓମିକ୍ରନ୍ର ଉପସ୍ଥିତି ମଧ୍ୟ ରହୁଛି। ସଂକ୍ରମଣ ଆଗକୁ ଆହୁରି ବଢ଼ିବାର ଆଶା ଦେଖାଯାଉଛି। ଜାନୁଆରୀ ୬ ତାରିଖ ୧୮୯୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସୁଦ୍ଧ ରାଜ୍ୟରେ ୫୭୩୯ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଗତକାଲି ୧୨୨୬ ଓ ଜାନୁଆରୀ ୪ ତାରିଖରେ ୬୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ୪୨୪ ଜଣ ଆକ୍ରନ୍ତ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା।
ବଲାଙ୍ଗୀରରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
କୋଭିଡ ଆକ୍ରାନ୍ତଙ୍କ ବ୍ୟତୀତ ରାଜ୍ୟରେ ୧୫ ଦିନ ଭିତରେ ୬୧ ଜଣ ଓମିକ୍ରନ୍ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳର ଡୁଙ୍ଗୁରିପାଲି ଗାଁର ଇନ୍ଦିରା ନାୟକ ରାସ୍ତାରେ ପଡ଼ିଯାଇ ଆହତ ହେବା ପରେ ତାଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଅବସ୍ଥା ଗୁରୁତର ହେବାରୁ, ତାଙ୍କୁ ୨୨ ତାରିଖରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ନମୁନା ସଂଗ୍ରହ କରି କରୋନା ପରୀକ୍ଷା କରାଯାଇଥିଲା। ୨୩ ତାରିଖରେ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ଓମିକ୍ରନ ଟେଷ୍ଟ ରିପୋର୍ଟ ଆସିବା ଆଗରୁ ଗତ ୨୭ ତାରିଖରେ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା।
ଜାନୁଆରୀରେ ବଢ଼ିଲା କଟକଣା
ତେବେ ଦୈନିକ ସଂକ୍ରମଣ ବଢ଼ିବା କାରଣର ସରକାରଙ୍କ ଚିନ୍ତା ବଢ଼ିଛି। ଜାନୁଆରୀ ମାସ ପାଇଁ କଟକଣା ନେଇ ଗାଇଡଲାଇନ୍ କରିଛନ୍ତି। ଏଥିରେ ମୁଖ୍ୟ କଥା ହେଲା ଯେ, ପୂର୍ବ ଭଳି ରାତ୍ରିକାଳୀନ କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ୮ ତାରିଖ ପରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଫ୍ଲାଇନ୍ କ୍ଲାସ ବନ୍ଦ ହୋଇଯିବ। କେବଳ ଅନ୍ଲାଇନ୍ରେ ପାଠପଢ଼ା ହେବ। ସେହିପରି ବିବାହ ଭଳି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲେକ ସାମିଲ ହୋଇପାରିବେ ନାହିଁ। କୋଭିଡ ନେଇ ରାଜ୍ୟ ସରକାର ସତର୍କ ଅଛନ୍ତି। ଆଗାମୀ ଦିନରେ ଯଦି ସଂକ୍ରମଣ ବଢ଼େ ତା’ହେଲେ ଅନ୍ୟ ରାଜ୍ୟ ଭଳି ଆମ ପାଇଁ ମଧ୍ୟ ସଂକଟ ସ୍ଥିତି ଉପୁଜିପାରେ। ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଟିକାକରଣ ଓ ସର୍ଭେଲାନ୍ସ ଜାରି ରହିଛି। ଏବେ ରାଜ୍ୟରେ ଆଇସିୟୁ ଲୋଡ୍ ବହୁତ କମ୍ ରହିଛି। ଆଇସିୟୁ ବେଡ୍ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି। ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି।