ଭୁବନେଶ୍ୱର: ଗତ ବର୍ଷ ଏପ୍ରିଲ ମାସ ଠାରୁ ୨୦୨୧ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୦ ଲକ୍ଷ ୧୩ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୨୦୨୧ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ୯ ଲକ୍ଷ ୯୮ ହଜାର ୫୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି। କିନ୍ତୁ ଦୁଃଖର ବିଷୟ ହେଲା ରାଜ୍ୟରେ ୮ ହଜାରରୁ ଅଧିକ ଲୋକ କରୋନାରେ ଜୀବନ ହାରିଛନ୍ତି। ଏହାରି ମଧ୍ୟରେ ସମଗ୍ର ପୃଥିବୀକୁ କରୋନାର ୩ୟ ଲହର ଡରାଉଛି। ବିଶେଷଜ୍ଞମାନେ ବୟାନ ଦେଇସାରିଛନ୍ତି ଯେ, ସେପ୍ଟେମ୍ବର ଶେଷ ଅଥବା ଅକ୍ଟୋବର ମାସରେ କରୋନାର ୩ୟ ଲହର ଆସିବ। ଏହି ଲହରରେ ଶିଶୁମାନଙ୍କୁ ଅଧିକ ବିପଦ ବୋଲି କୁହାଯାଉଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୁକାବିଲା ପାଇଁ ଭିତ୍ତିଭୂମିକୁ ସଜାଡୁଥିବା ପରିଲକ୍ଷିତ ହେଉଛି।
ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୦୦୦ ତଳକୁ ରହିଛି। ଲୋକେ ସତର୍କ ନରହିଲେ ପାର୍ବଣ ଋତୁରେ ଅଚାନକ ବଢ଼ିବାର ଆଶଙ୍କା ଦେଖାଯାଇଛି। କରୋନାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ପରାମର୍ଶ ଦେବା ସହିତ ସେ କହିଛନ୍ତି ଯେ, ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିଛି। ତେଣୁ ଚିନ୍ତା ବଢ଼ିଛି। ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ। ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ।
ଅବହେଳା ନହେଉ କୋଭିଡ ନିୟମ ପାଳନ
କୋଭିଡ ଆଚରଣବିଧି ହେଉଛି, କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି। ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ। କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ। ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ଚିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ଉଚିତ୍। ହାଟ-ବଜାର, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୁଲିସ ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଟିକାକରଣ ଯୋଗାଣରେ ଉନ୍ନତି
ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛ। ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଛି। କେରଳରେ ଓନାମ୍ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧି ଘଟିଥିଲା। ସେଥିପାଇଁ ସମସ୍ତଙ୍କୁ ଅଧିକ ସତର୍କ ରହିବାକୁ ହେବ। ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏହାଦ୍ଵାରା ଆମେ ଭବିଷ୍ୟତରେ ଲକ୍ଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ।
ପାର୍ବଣରେ ସତର୍କ
ପାର୍ବଣ ଋତୁ ସମୟରେ ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା। ତେଣୁ ଯଦି ଆବଶ୍ୟକ ପଡେ, ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।