ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଦେଶରେ ଦିନକୁ ଏହା ୨ ଲକ୍ଷ ଟପିଥିବା ବେଳେ ରାଜ୍ୟରେ ଏହା ୩ ହଜାର ଅତିକ୍ରମ କରିଛି। କୋଭିଡ-୧୯ର ୨ୟ ଲହର ପୂର୍ବ ସଂସ୍କରଣ ତୁଳନାରେ ଅଧିକ ସକ୍ରିୟ। ବିଶ୍ୱର ସମସ୍ତ ରାଷ୍ଟ୍ର ସମେତ ଭାରତ ମଧ୍ୟ କରୋନା ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିଛି। କେନ୍ଦ୍ର ସରକାରଙ୍କ କରୋନା ସମୀକ୍ଷା ପରେ ରାଜ୍ୟ ସରକାର ଗୁରୁବାର ନୂଆ କଟକଣା ଲାଗୁ କରିଛନ୍ତି। ଏପ୍ରିଲ ୧୬ ତାରିଖ ଠାରୁ ଲାଗୁ ହୋଇଥିବା କଟକଣା ପରବର୍ତ୍ତୀ ଆଦେଶ ଯାଏଁ ବଳବତ୍ତର ରହିବ ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
ଅଟୋରେ ବସିବେ ୨ ଜଣ ଯାତ୍ରୀ
କରୋନା ପାଇଁ କଟକଣା ଲାଗୁ ହୋଇଯିବା ପରେ ପୁଣି ଥରେ ରାଜ୍ୟର ଜନତା ପ୍ରଭାବିତ ହେବା ଆରମ୍ଭ ହୋଇଯାଇଛି। ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ଯାଇପାରୁଛନ୍ତି। ଏହି ନୂଆ ନିୟମ ଦ୍ୱାରା ସାଧାରଣ ଜନତାକୁ ବହୁତ ବାଧିବ। କାରଣ ସାଧାରଣ ଜନତାଙ୍କୁ ଅତିରିକ୍ତ ଆର୍ଥିକ ବୋଝ ବୋହିବାକୁ ପଡ଼ିବ। ପୂର୍ବରୁ ଗୋଟିଏ ଅଟୋରେ ପ୍ରାୟ ୪ ଜଣ ଯାଉଥିଲେ। ଅଳ୍ପ ଦୂର ପାଇଁ ୧୦ରୁ ୧୫ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏହା ଅଧିକ ହୋଇଯିବ। ଅଟୋ ମାଲିକମାନେ ଗ୍ରାହକଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବେ। ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ବ୍ୟବସାୟୀ ଓ ଦୋକାନୀମାନେ ପୂର୍ବଭଳି ବ୍ୟବସାୟ କରିପାରିବେ ନାହିଁ। କାରଣ ପୂର୍ବରୁ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଭଳି ବଡ଼ ସହରରେ ରାତି ୧୧ଟା ପର୍ଯ୍ୟନ୍ତ ବ୍ୟବସାୟ ଚାଲୁଥିଲା। ଅନ୍ୟ ଛୋଟ ସହରଗୁଡ଼ିକରେ ରାତି ୧୦ଟା ପର୍ଯ୍ୟନ୍ତ କାରବାର ହେଉଥିଲା।
ମୀନାବଜାରରେ ୨୦୦ ଗ୍ରାହକ
ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ବୁଲିବା ଓ ଜିନିଷ କିଣିବା ପାଇଁ ଅନୁମତି ମିଳିବ। ଫଳରେ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିବେ। କାରଣ ମେଳାକୁ ଯେତିକି ଅଧିକ ପରିମାଣରେ ଗ୍ରାହକ ଆସିବେ, ସେତିକି ଅଧିକ ବିକ୍ରି ହୋଇପାରିବ। ଅପେରା ପରିବେଷଣ ପାଇଁ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା ଏବେ କିନ୍ତୁ ଏବେ ୧୦୦୦ ଲୋକ ଯାତ୍ରା ଦେଖିବାକୁ ଯାଇପାରିବେ। ଫଳରେ ମାଲିକମାନେ କ୍ଷତି ସହିବେ। ସିନେମା ହଲରେ ମଧ୍ୟ ଅନୁରୂପ ବ୍ୟବସ୍ଥା। ସିନେମା ହଲଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବା ଦ୍ୱାରା ଆର୍ଥିକ କ୍ଷତି ସହିବେ।
ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ନଜର
ବର୍ତ୍ତମାନ ପରିପ୍ରେକ୍ଷୀରେ ଛତିଶଗଡ଼କୁ ଲାଗିଥିବା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଂଗପୁର, ମାଲକାନଗିର ଓ କୋରାପୁଟ ଜିଲ୍ଲାରେ ସଂକ୍ରମଣ ଅଧିକ ବ୍ୟାପୁଛି। ତେଣୁ ରାଜ୍ୟ ସରକାର ଏହି ସବୁ ଜିଲ୍ଲାଗୁଡ଼ିକରେ ଥିବା ସହରାଂଚଳରେ କଟକଣାକୁ ଅଧିକ ଶକ୍ତ କରିଦେଇଛନ୍ତି। ପୂର୍ବରୁ ଏହି ସବୁ ଜିଲ୍ଲା ଗୁଡ଼ିକରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ନୂଆ ନିୟମ ଅନୁସାରେ ଏକ ଘଣ୍ଟା ପୂର୍ବରୁ କଟକଣା ଲାଗୁ ହୋଇଛି। ଅର୍ଥାତ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଛତିଶଗଡ଼ ସୀମାକୁ ଲାଗି ଥିବା ୧୦ଟି ଜିଲ୍ଲାରେ ଏପ୍ରିଲ ୧୭ ତାରିଖ ଠାରୁ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ ଲାଗୁ ହେବ। ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ଥିବା ସହରରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ। ମୁଖ୍ୟ ଶାସନ ସଚିବ ନୂଆ କଟକଣା ଘୋଷଣା କରିବା ସହ ଲୋକେ ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
କର୍ଫ୍ୟୁ ସମୟରେ ରୁହନ୍ତୁ ସତର୍କ
-ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି
-ବିଦ୍ୟୁତ, ସ୍ୱାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ ଡେଲିଭରି ସେବା ଜାରି ରହି
-ଉପରୋକ୍ତ କାମରେ ନିୟୋଜିତ କର୍ମଚାରୀ ପୁଲିସକୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ
-ଜରୁରୀକାଳୀନ ସେବାରେ ନିୟାଜିତଙ୍କ ପାଇଁ ସ୍ୱତନ୍ତ୍ର ପାସ୍ର ଆବଶ୍ୟକ ନାହିଁ
ବିବାହରେ ୫୦ ଜଣଙ୍କୁ ଅନୁମତି
ରାଜ୍ୟ ସରକାର କର୍ଫ୍ୟୁ ସମୟରେ ମାଲ ପରିବହନ କରୁଥିବା ଯାନବାହାନକୁ କଟକଣା ଭିତରେ ସାମିଲ କରିନାହାନ୍ତି। ପରିବହନ ଗାଡ଼ିଗୁଡ଼ିକ ପୂର୍ବରୁ ଯେମିତି ଚାଲିଥିଲା, ଏବେ ବି ସେମିତି ଚାଲିବ। କରୋନା ସଂକ୍ରମଣକୁ ରୋକିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଏଣିକି ବିବାହରେ ୫୦ ଜଣ ଲୋକ ସାମିଲ ହୋଇପାରିବେ। ବିନା ଶୋଭାଯାତ୍ରାରେ ବିବାହ ଅନୁଷ୍ଠିତ ହେବ। ଶୁଦ୍ଧି କ୍ରିୟାରେ ୨୦ ଜଣ ଲୋକ ସାମିଲ ହୋଇପାରିବେ। ରାଜନୈତିକ ଶୋଭାଯାତ୍ରା ହୋଇପାରିବ ନାହିଁ। ସଭା-ସମିତି କରିପାରିବେନି ରାଜନେତା। ମନ୍ଦିରରେ କେବଳ ରୀତିନୀତି ସହ ପୂଜାର୍ଚ୍ଚନା ହୋଇପାରିବ। ମନ୍ଦିରଗୁଡ଼ିକ କେମିତି ପରିଚାଳିତ ହୋଇପାରିବ ସେ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ।