Tuesday, September 10, 2024
Homeକରୋନା କାଳରେ ମାଟ୍ରିକ୍ ପାଠ ଓ ପିଲାଙ୍କ ଭବିଷ୍ୟତ
Array

କରୋନା କାଳରେ ମାଟ୍ରିକ୍ ପାଠ ଓ ପିଲାଙ୍କ ଭବିଷ୍ୟତ

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ପାଇଁ ମାଟ୍ରିକ ଶ୍ରେଣୀର ପିଲାଙ୍କ ପାଠ ପଢ଼ା ବ୍ୟାପକ ଭାବରେ ପ୍ରଭାବିତ ହୋଇଛି । ପିଲାମାନଙ୍କର ଭବିଷ୍ୟତ ରସାତଳକୁ ଠେଲି ହୋଇଯାଉଛି । ପିଲାମାନଙ୍କର ଭବିଷ୍ୟତ ନେଇ ଅଭିଭାବକଙ୍କର ଚିନ୍ତା ବଢୁଛି । କିନ୍ତୁ କରୋନା ଭାଇରସ ଯୋଗୁଁ ବାଧ୍ୟ ହୋଇ ଚୁପ ରହୁଛନ୍ତି । କାହାରିକୁ ଦୋଷ ଦେଇପାରୁ ନାହାନ୍ତି । କାରଣ କରୋନା ସଂକ୍ରମଣ ସମଗ୍ର ବିଶ୍ୱବାସୀଙ୍କୁ ଚୁପ କରାଇ ଦେଇଛି ।

ଚଳିତ ବର୍ଷ ଯେଉଁମାନେ ମାଟ୍ରିକ ପରୀକ୍ଷା ଦେଇଥିଲେ, ବିଳମ୍ବରେ ପରୀକ୍ଷା ଫଳ ଯୋଗୁଁ ବିନା ଯୋଜନାରେ ଯୁକ୍ତ ୨ ପ୍ରଥମ ବର୍ଷରେ ନାଁ ଲେଖାଇଥିଲେ । କରୋନା ଯୋଗୁଁ ମାତ୍ର ୨ରୁ ଅଢ଼େଇ ମାସ ପାଇଁ ଅଫଲାଇନ୍‌ରେ କ୍ଲାସ କରିପାରିଥିଲେ । ଚଳିତ ବର୍ଷ ଯେଉଁମାନେ ମାଟ୍ରିକ ପଢୁଥିଲେ, ବିନା ପରୀକ୍ଷାରେ ମାଟ୍ରିକ ପାସ କରିବେ । ଆସନ୍ତା ବର୍ଷ ଯେଉଁମାନେ ମାଟ୍ରିକ ପଢ଼ିବେ ସ୍ଥିତି କ’ଣ ହେବ, ତାହା ଏବେଠାରୁ କହିହେବ ନାହିଁ । ବର୍ତ୍ତମାନ ସ୍ଥିତିକୁ ଦେଖି ମୋଟାମୋଟି ଭାବେ କୁହାଯାଇପାରିବ ଯେ, ଶିକ୍ଷାବର୍ଷ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ମାଟ୍ରିକ ପଢ଼ିଥିବା ପିଲାମାନଙ୍କ କ୍ୟାରିୟର ପ୍ରତି ବହୁ ପ୍ରଭାବିତ ହେବ ।

ଜୁନ ୩୦ ସୁଦ୍ଧା ମାଟ୍ରିକ ଫଳ

ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ ରଖିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ । ଏନେଇ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ନେଇ ବୋର୍ଡ ତରଫରୁ ପଦ୍ଧତି ଚୂଡ଼ାନ୍ତ ହୋଇଛି । ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନକୁ ନେଇ ପରୀକ୍ଷା ଫଳ ପ୍ରକାଶ ପାଇବ । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାରକୁ ନିଆଯିବ । ଦଶମ ଶ୍ରେଣୀର ୨ୟ, ୩ୟ ଓ ୪ର୍ଥ ଅଭ୍ୟାସ ପରୀକ୍ଷାର ଫଳକୁ ଆଧାର କରାଯିବ । ଦଶମ ଶ୍ରେଣୀର ୩ଟି ଅଭ୍ୟାସ ପରୀକ୍ଷାର ୨ଟି ସର୍ବୋଚ୍ଚ ମାର୍କ ଓ ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ

ଶିକ୍ଷା ପ୍ରଭାବିତ

ଗତବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ଠାରୁ ସମଗ୍ର ବିଶ୍ୱ ସହିତ ଓଡ଼ିଶାରେ ମଧ୍ୟ କରୋନା ଭାଇରସ ମହାମାରୀ ଲୋକଙ୍କୁ କଲବଲ କରିଚାଲିଛି । କରୋନା ଭାଇରସ ଯୋଗୁଁ ଶିକ୍ଷା ବର୍ଷ ୨୦୨୦-୨୧ରେ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାପକ ପ୍ରଭାବିତ ହୋଇଛି । କେବଳ ଦଶମ ଶ୍ରେଣୀ ନୁହେଁ ବରଂ ପ୍ରଥମରୁ ନବମ ଶ୍ରେଣୀ ଓ ଅନ୍ୟ ଉଚ୍ଚ ଶିକ୍ଷାଦାନ ପଦ୍ଧତିରେ ମଧ୍ୟ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି, ଯେଉଁଥି ପାଇଁ ସରକାର ଅନ୍‌ଲାଇନ୍ କ୍ଲାସକୁ ଏକ ମାଧ୍ୟମ କରିଥିଲେ । ଗତ ଜାନୁଆରି ପ୍ରଥମ ସପ୍ତାହ ପରେ ପ୍ରାୟ ୩ ମାସ ଯାଏଁ ନବମ ଓ ଦଶମ ଶ୍ରେଣୀର କ୍ଲାସ ଅଫଲାଇନ୍‌ରେ ଆରମ୍ଭ ହୋଇଥିଲା । କିନ୍ତୁ ୧୦୦ ଦିନର କ୍ଲାସ ପୂରା ହେବା ପୂର୍ବରୁ କରୋନା ପୁଣି ଥରେ କାଳ ସାଜିଥିଲା । ପୂର୍ବରୁ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଶେଷ ପର୍ଯ୍ୟାୟରେ କରୋନାର ୨ୟ ଲହର ମାଡ଼ିଚାଲିବାରୁ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା ।

ବୋର୍ଡ ପାଇଁ ଏକ ଆହ୍ୱାନ

ଶିକ୍ଷାବର୍ଷ ୨୦୨୦-୨୧ ପାଇଁ ହାଇସ୍କୁଲ ସାର୍ଟିଫିକେଟ/ମଧ୍ୟମା/ମୁକ୍ତ ବିଦ୍ୟାଳୟ ପରୀକ୍ଷା ଗତ ୩ ତାରିଖରେ ଆରମ୍ଭ ହେବାର ଥିଲା । କୋଭିଡ-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ । ତେଣୁ ମାଧ୍ୟମିକ ଶିକ୍ଷା ପରିଷଦକୁ ମୂଲ୍ୟ ନିର୍ଦ୍ଧାରଣ କରିବାର ବିକଳ୍ପ ପଦ୍ଧତି ତିଆରି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ମହାମାରୀ ଅବସ୍ଥାରେ ନ୍ୟାୟ ସଙ୍ଗତ ଓ ବିନା ପକ୍ଷପାତରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ କରିବା ବୋର୍ଡ ପାଇଁ ଏକ ଆହ୍ୱାନ । ଏହି ପ୍ରକାର ପରିସ୍ଥିତି ପୂର୍ବରୁ ନା କେବେ ହୋଇଥିଲା ନା ବୋର୍ଡ ଆଗରୁ କେବେ ଏହି ପ୍ରକାର ବିକଳ୍ପ ପଦ୍ଧତି ତିଆରି କରିଛି । ତାହା ସତ୍ତ୍ୱେ, ଏହିପରି ମହାମାରୀ ଅବସ୍ଥାରେ ବୋର୍ଡ ବିଭିନ୍ନ ଷ୍ଟେକହୋଲଡର୍ସମାନଙ୍କ ସହିତ ଆଲୋଚନା କରି ପରୀକ୍ଷା ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରିଅଛି । ମୂଲ୍ୟ ନିର୍ଦ୍ଧାରଣ ପ୍ରଣାଳୀ ନିର୍ଦ୍ଧିଷ୍ଟ ପରୀକ୍ଷା ପାଇଁ ଭିନ୍ନ ହେବ । ବିଭିନ୍ନ ପ୍ରକାରର ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରଣାଳୀ ନିୟୋଜିତ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments