Friday, September 13, 2024
Homeକରୋନା ଟିକାକରଣରେ ଅବ୍ୟବସ୍ଥା, ଲୋକେ ହେଉଛନ୍ତି ହୀନସ୍ତା
Array

କରୋନା ଟିକାକରଣରେ ଅବ୍ୟବସ୍ଥା, ଲୋକେ ହେଉଛନ୍ତି ହୀନସ୍ତା

ଭୁବନେଶ୍ୱର: ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ଗତ ଜାନୁଆରୀ ୧୬ ତାରିଖଠାରୁ କରୋନା ମୁକାବିଲା ପାଇଁ ଟିକାକରଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ଦ୍ୱିତୀୟ ଦଫାରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବା ପରେ ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଟିକା ଦିଆଯାଇଛି । ଚତୁର୍ଥ ପର୍ଯ୍ୟାୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ମେ’ ମାସ ପହିଲା ପ୍ରଥମ ସପ୍ତାହଠାରୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ପରିତାପର ବିଷୟରେ ଟିକାକରଣ ପାଇଁ ସୁବ୍ୟବସ୍ଥିତ ଯୋଜନା କରାଯାଇ ନାହିଁ, ଯେଉଁଥି ପାଇଁ ରାଜ୍ୟର କିଛି ସ୍ଥାନରେ ଟିକାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି ।
କେବଳ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଶତପ୍ରତିଶତ ଟିକାକରଣ କରାଯାଇ ପାରିଛି । ବରିଷ୍ଠ ନାଗରିକ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବହୁରୋଗରେ ପୀଡ଼ିତ ରୋଗୀଙ୍କୁ ମଧ୍ୟ କିଛି ସ୍ଥାନରେ ଟିକା ମିଳିପାରି ନାହିଁ । ଭୁବନେଶ୍ୱର ଓ କଟକରେ ଟିକାକରଣ ଏକ ପ୍ରକାର ସୂଚାରୂରୂପେ ପରିଚାଳିତ ହେଉଥିବା ବେଳେ ଅନ୍ୟ ସହରରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି । ଟିକାକରଣ ପାଇଁ ଲୋକଙ୍କୁ ତାରିଖ ମିଳିଥିବା ବେଳେ କେନ୍ଦ୍ରରେ ଏହା ଉପଲବ୍ଧ ହୋଇପାରୁ ନାହିଁ । ତେଣୁ ଲୋକଙ୍କୁ ଟିକାକରଣ କେନ୍ଦ୍ରରେ ଟିକା ନ ମିଳିଥିବାରୁ ହୀନସ୍ତା ହେବାକୁ ପଡୁଛି ।

ଟିକା ପାଇଁ ରାତି ୪ଟାରୁ ଲାଇନ୍‌

ରାଉରକେଲାରେ ସୋମବାର ଟିକାକରଣରେ ବ୍ୟପକ ଅବ୍ୟବସ୍ଥା ଦେଖାଯାଇଛି । ସରକାରୀ ଡାକ୍ତରଖାନା ସମେତ ଅନ୍ୟ ଟିକାକରଣ କେନ୍ଦ୍ରରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ଟିକା ଦିଆଯାଇ ପାରି ନାହିଁ । ଟିକା ନେବା ପାଇଁ ଲୋକେ ରାତି ୪ଟାରୁ ଲାଇନ୍‌ରେ ଛିଡ଼ା ହୋଇଥିଲେ । କିନ୍ତୁ ଟିକା ନଥିବାରୁ କେନ୍ଦ୍ର ନିର୍ଦ୍ଧାରିତ ସମୟରେ ଖୋଲି ନଥିଲା, ଯେଉଁଥି ପାଇଁ ଲୋକେ ଉତ୍ତେଜନା ସୃଷ୍ଟି କରିଥିଲେ । ସବୁଠାରୁ ଦୁଃଖର ବିଷୟ ଯେ, ପ୍ରଶାସନ ଲୋକଙ୍କୁ ସୂଚନା ଦେଇ ନଥିଲା । ପୂର୍ବରୁ ଯଦି ଲୋକେ ସୂଚନା ପାଇପାରିଥାନ୍ତେ, ତାହେଲେ ରାତି ୪ଟାରୁ ଧାଡ଼ିରେ ରହି ନଥାନ୍ତେ ।

କରୋନା ଟିକା ପାଇଁ ଲୋକେ ବ୍ୟାକୁଳ

ଦେଶରେ କରୋନାର ୨ୟ ଲହର ଆଗକୁ ବଢ଼ି ବଢ଼ି ଚାଲିଛି । ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ଯଦିଓ ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ରୋକ ନାହିଁ । ଦୈନିକ ମୃତ୍ୟୁ ହାର ୪ହଜାର ଉପରେ ରହୁଛି । ଓଡ଼ିଶାରେ ସ୍ଥିତି ଜଟିଳ ଅବସ୍ଥାରେ ରହିଛି । ଦୈନିକ ସଂକ୍ରମଣ ୧୦ ହଜାର ଉପରେ ଥିବା ବେଳେ ହାରାହାରୀ ମୃତ୍ୟୁ ୨୦ ରହୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକିୟାକୁ ସରକାର ତୀବ୍ର କରିବାକୁ ଚାହୁଁଥିବା ବେଳେ ଲୋକେ ମଧ୍ୟ ଜୀବନ ରକ୍ଷା ପାଇଁ ବ୍ୟାକୁଳ ହୋଇପଡୁଛନ୍ତି । କିନ୍ତୁ ଅନ୍‌ଲାଇନ୍ ମାଧ୍ୟମରେ ସ୍ଲଟ ବୁକିଂ ବ୍ୟବସ୍ଥା ଯୋଗୁଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଟିକା ନେବା ପାଇଁ ରାଜ୍ୟରେ ଯେତିକି ହିତାଧିକାରୀ ଅଛନ୍ତି, ପ୍ରଶାସନିକ ସ୍ତରରେ ସୁଚିନ୍ତିତ ଭାବରେ ଟିକା ପହଂଚିପାରିଲେ ଲୋକେ ସହଜରେ ଟିକା ନେଇପାରନ୍ତେ ।

ଅନ୍‌ଲାଇନ୍ ବୁକିଂରେ ଦୁର୍ନୀତି ସଂଦେହ

ସରକାର ଭାବୁଛନ୍ତି ଯେ, ଅନ୍‌ଲାଇନ୍ ମାଧ୍ୟମରେ ଟିକା ପାଇଁ ସ୍ଲଟ ବୁକିଂ କରାଗଲେ ଲୋକେ ସହଜରେ ଟିକା ନେଇପାରିବେ । କିନ୍ତୁ ମାଧ୍ୟମରେ ଏପର୍ଯ୍ୟନ୍ତ ସହରାଂଚଳର ଲୋକେ ଉପକୃତ ହୋଇଛନ୍ତି । ଗ୍ରାମାଂଚଳରେ ରହୁଥିବା ଲୋକେ ହାତଗଣତି ଟିକା ନେଇପାରିଛନ୍ତି । ଚଳିତ ମାସ ୧୦ ତାରିଖ ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରେ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ପୂର୍ବରୁ ସୂଚନା ଦିଆଯାଇଥିଲା । ୫ ଦିନ ପାଇଁ ସ୍ଲଟ ବୁକିଂ ବ୍ୟବସ୍ଥା ଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଠିକ ୬ଟା ବେଳକୁ ୧୫୦୦ ଟିକା ବୁକିଂ ହୋଇସାରିଥିଲା । ଯେଉଁମାନେ ସ୍ଲଟ ବୁକିଂ କରିପାରି ନଥିଲେ ତାଙ୍କ ମନରେ ସଂଦେହ ହେଉଛି ଟିକାକରଣରେ ଦୁର୍ନୀତି ହୋଇଥାଇପାରେ । ଏହା ତ ଭୁବନେଶ୍ୱରର କଥା, ରାଜ୍ୟର ଅନ୍ୟ ସ୍ଥାନ ପାଇଁ ମଧ୍ୟ ସମାନ ଦଶା ପରିଲକ୍ଷିତ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments