ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ବିପର୍ଯ୍ୟୟ ହେଉଛି କରୋନା ଭାଇରସ୍, ଯେଉଁଥିରେ କି କେବଳ ଭାରତ କି ଆମେରିକାର ଅବସ୍ଥା ଶୋଚନୀୟ ହୋଇ ନାହିଁ। ବରଂ ଏହି ଭାଇରସ୍ ଏତେ ଘାତକ ରୂପ ନେଇଛି ଯେ, ସମଗ୍ର ବିଶ୍ବର ଜନତାଙ୍କ ଆଖିରୁ ଲୁହ ବାହାରିଛି। ଲକ୍ଷ ଲକ୍ଷ ପରିବାର ଉଜାଡି ଦେଇଥିବା ବେଳେ କୋଟି କୋଟି ଜନତାଙ୍କୁ ହତାଶ କରିପକାଇଛି। ଆକସ୍ମିକ ଭାବରେ କରୋନା ରୋଗ ଚାରିଆଡେ ବ୍ୟାପିବାରୁ ଘରୁ ଗୋଡ଼ କାଢ଼ିବାକୁ ମଧ୍ୟ ମନରେ ଭୟ ଜାତ ହୋଇଛି। ବିଶେଷ ଭାବରେ କରୋନା ଯୋଗୁଁ ସାମାଜିକ ଓ ଆର୍ଥିକ ଜୀବନ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ଏହା ଆହୁରି କେତେଦିନ ମନୁଷ୍ୟ ସଭ୍ୟତା ପାଇଁ ଅଭିଶାପ ହେବ, ତାହା ବି ଜଣା ନାହିଁ।
କରୋନା ଭାଇରସ୍ ମହାମାରୀକୁ ନିୟନ୍ତ୍ରିତ କରିବା ପାଇଁ ଯଦିଓ ଲକ୍ଡାଉନ୍, ସଟ୍ଡାଉନ୍, ରାତ୍ରିକାଳୀନ କର୍ଫ୍ୟୁ, ମାସ୍କ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ବଡ଼ ଅସ୍ତ୍ର ବୋଲି କୁହାଯାଉଛି, ତଥାପି ଟିକାକରଣକୁ ଏହି ତାଲିକାରୁ ବାଦ୍ ଦିଆଯାଇ ନପାରେ। କାରଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତେବେଳେ ମହାମାରୀ ବ୍ୟାପିଚାଲିଥିଲା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ୟ ଚିକିତ୍ସୀୟ ଗବେଷଣା ସଂସ୍ଥା ହୃଦବୋଧ କରିଥିଲେ ଯେ, ଟିକାକରଣ ମାଧ୍ୟମରେ କରୋନାକୁ ରୋକାଯାଇ ପାରିବ।
ବିଦେଶକୁ ଟିକୋ ଯୋଗାଉଛି ଭାରତ
୧୦୦ କୋଟି ଟିକାକରଣ ପୂର୍ଣ୍ଣ ହେବା କଠିନ କିନ୍ତୁ ଅସାଧାରଣ ଲକ୍ଷ୍ୟ ପ୍ରାପ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି। ଏହା ହେଉଛି ଭାରତର ସଫଳତା ଏବଂ ନୂଆ ଭାରତର ଚିତ୍ର। ଯେତେବେଳେ ଭାରତରେ ଉତ୍ପାଦନ ବ୍ୟବସ୍ଥା ନଥିଲା ବିଦେଶରୁ ଟିକା କିଣାଯାଉଥିଲା, ଯେଉଁଥିରେ କୋଟି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ କିନ୍ତୁ ସମୟ ବଳଦିଛି। ଭାରତ ଉନ୍ନତ ରାଷ୍ଟ୍ରମାନଙ୍କୁ କରୋନା ଟିକା ଯୋଗାଉଛି। ଦେଶରେ ଟିକାକରଣକୁ ବୈଜ୍ଞାନିକ ପଦ୍ଧତି ଆଧାରରେ କରାଯାଇଛି। ବୈଜ୍ଞାନିକ ଫର୍ମୁଲାକୁ ଗୁରୁତ୍ବ ଦିଆଯାଇଛି। ଭାରତ କଠିନ ଲକ୍ଷ୍ୟ ନିର୍ଦ୍ଧାରିତ କରି ଏହାକୁ ହାସଲ କରି ଜାଣିଛି। କରୋନାକୁ ନିୟନ୍ତ୍ରିତ ରଖିବାକୁ ହେଲେ, ପାର୍ବଣ ଋତୁରେ ଲୋକଙ୍କୁ ସତର୍କ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।
ସଂକ୍ରମଣ ରୋକୁଛି ଟିକାକରଣ
ତେବେ ଟିକାକରଣ କ୍ଷେତ୍ରରେ ବିଶ୍ବର ଅନ୍ୟ ଯେକୌଣସି କ୍ଷେତ୍ରରେ ବେଶ ଆଗୁଆ। ସର୍ବାଧିକ ଟିକାକରଣ କରି ଭାରତ ଇତିହାସ ରଚିଛି। ୨୦୨୧ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଦେଶରେ ୧୦୦ କୋଟି ୬୨ ଲକ୍ଷ ୩୪ ହଜାର ୮୦୩ ଡୋଜ କରୋନା ଟିକା ଦିଆଯାଇଛି। ଏଥିରୁ ୭୧ କୋଟି ୯ ଲକ୍ଷ ୮୦ ହଜାର ୬୮୬ ଲୋକ ଟିକାର ଗୋଟିଏ ଡୋଜ ନେଇଛନ୍ତି। ୨୯ କୋଟି ୫୩ ଲକ୍ଷ ୨ ହଜାର ୬୭୬ ଜଣ ପୂରା ଡୋଜ ନେଇସାରିଛନ୍ତି। ଟିକାକରଣ ଯଦିଓ କରେନାକୁ ସଂପୂର୍ଣ୍ଣ ଭାବରେ ପ୍ରତିହତ କରିପାରି ନାହିଁ, କିନ୍ତୁ ମୃତ୍ୟୁ ହାର ଢେର ହ୍ରାସ କରିପାରିଛି।
୪୯.୪୫ ଲକ୍ଷ କରୋନାରେ ମୃତ
କରୋନା ଭାଇରସରେ ବିଶ୍ବବ୍ୟାପୀ ୪୯ ଲକ୍ଷ ୪୫ ହଜାର ଲୋକ ପ୍ରାଣ ହରାଇ ଥିବା ବେଳେ ୨୪ କୋଟି ୩୫ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଛିନ୍ତି। ଭାରତରେ ଆଜି ପର୍ଯ୍ୟନ୍ତ ଦେଶରେ ୩ କୋଟି ୪୧ ଲକ୍ଷ ୪୨ ହଜାର ୪୪୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୫ ଲକ୍ଷ ୬ ହଜାର ୮୧୭ ଜଣ ସୁସ୍ଥ ହୋଇଛନ୍ତି। ୪ ଲକ୍ଷ ୫୩ ହଜାର ୭୬ ଲୋକ କରୋନାଜନିତ ମୃତ୍ୟୁ ହୋଇଛି।
ସ୍ମରଣୀୟ ରହିବ ୧୦୦ କୋଟି ଡୋଜ
ଭାରତର ୧୦୦ କୋଟି ଡୋଜ ଟିକାକରଣ ଅଭିଯାନ ୨୦୨୧ ଅକ୍ଟୋବର ୨୧ରେ ପୂର୍ଣ୍ଣ ହୋଇଛି। ନିଶ୍ଚିତ ଭାବେ ଏହା ଏକ ଆନନ୍ଦର ମୁହୂର୍ତ୍ତ। ଏହି ସ୍ମରଣୀୟ ମୁହୂର୍ତ୍ତକୁ ଅଧିକ ଜୀବନ୍ତ କରିବା ପାଇଁ ଦେଶର ୧୦୦ ଐତିହ୍ୟସ୍ଥଳୀରେ ତ୍ରିରଙ୍ଗା ରଂଗରେ ଏଲଇଡି ଆଲୋକମାଳା ଭାସି ଉଠିଛି, ଯେଉଁଥିରେ କି ବିଶ୍ବପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ମଧ୍ୟ ସାମିଲ ହୋଇଛି। କୋଟି ଡୋଜ ପୂରଣ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।