Friday, February 7, 2025
Homeକରୋନା ଟିକା ନନେଲେ ବଢ଼ିବ ସଂକଟ!
Array

କରୋନା ଟିକା ନନେଲେ ବଢ଼ିବ ସଂକଟ!

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ନେଇ ସମଗ୍ର ବିଶ୍ୱବାସୀ ଚିନ୍ତିତ ଅଛନ୍ତି । ଏହାର ମୁକାବିଲା ପାଇଁ ବିଶ୍ୱର ସବୁ ଦେଶ ଉଦ୍ୟମ କରୁଛନ୍ତି । ଗବେଷକ, ବୈଜ୍ଞାନିକ ଓ ଡାକ୍ତରମାନେ ଦିନରାତି ଏକ କରିଦେଇଛନ୍ତି । ସରକାର ଓ ପ୍ରଶାସନ ମଧ୍ୟ ଦିନରାତି କାମ କରୁଛନ୍ତି । ହେଲେ ସଂକ୍ରମଣ ହ୍ରାସ ପାଉ ନାହିଁ । ଗୋଟିଏ ଦେଶରେ କିଛି ମାସ ପାଇଁ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନ୍ୟ ଦେଶରେ ଏହା ବଢ଼ିବାରେ ଲାଗିଛି । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । କିନ୍ତୁ ଟିକା ନେଇଥିବା ଲୋକ ମଧ୍ୟ କରୋନାରେ ସଂକ୍ରମିତ ହେଉଥିବା ନଜରି ରହିଛି । କିଛି ଲୋକ ୨ଟି ଟିକା ନେଇ ମଧ୍ୟ ଜୀବନ ହାରୁଥିବା ଉଦାହରଣ ରହିଛି । ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

ଗୁଜବଠୁ ଦୂରେଇ ରୁହନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ରବିବାର କହିଛନ୍ତି ଯେ, ଟିକାକରଣକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି । ତେଣୁ ଏହି ଗୁଜବରୁ ଆପଣମାନେ ଦୂରେଇ ରୁହନ୍ତୁ । ଟିକା ନେବା ପାଇଁ ଆଦୌ ସଂକୋଚ ନକରନ୍ତୁ । ମୋ ମା’ ମଧ୍ୟ କୋଭିଡ-୧୯ର ଉଭୟ ଡୋଜ୍ ନେଇଛନ୍ତି । ମୁଁ ଚାହିଁବି ଯେ ଗାଁର ମହିଳାମାନେ, ଆମର ମା’-ଭଉଣୀମାନେ ଟିକାକରଣ ନେଇ ଅନ୍ୟମାନଙ୍କୁ ବୁଝାନ୍ତୁ । କାରଣ ମା’-ଭଉଣୀମାନେ ଯେତେବେଳେ ପରାମର୍ଶ ଦେବେ, ଲୋକେ ସହଜରେ ବୁଝିପାରିବେ । କେବଳ କରୋନା ଟିକା ନେଲେ ଚଳିବ ନାହିଁ । ଏଥି ପାଇଁ ଆମକୁ ସତର୍କ ମଧ୍ୟ ରହିବାକୁ ହେବ । ଗାଁର ପ୍ରତ୍ୟେକ ଲୋକ ଟିକା ନେବା ଦରକାର । ଏହା ପ୍ରତ୍ୟେକ ଗାଁର ଲକ୍ଷ୍ୟ ହେବା ଦରକାର । କୌଣସି ଅପପ୍ରଚାରରେ ଭୁଲି ଯାଆନ୍ତୁ ନାହିଁ । ନିଜର ଉଦ୍ୟମ ଜାରି ରଖନ୍ତୁ ।

ରୂପ ବଦଳାଏ ସଂକ୍ରମଣ

ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକେ ମନରେ ଭାବନ୍ତୁ ନାହିଁ ଯେ, କରୋନା ଭାଇରସ ମହାମାରୀ ଶେଷ ହୋଇଯାଇଛି । ସଂକ୍ରମଣ ନିଜର ରୂପ ପରିବର୍ତ୍ତନ କରିଥାଏ । ଏଥି ପାଇଁ ଏହା ଠାରୁ ସତର୍କ ରହିବାର ଆବଶ୍ୟକତା ଅଛି । କରୋନା ସଂପର୍କିତ ସମସ୍ତ ମାର୍ଗଦର୍ଶିକାକୁ ପାଳନ କରିବା ଉଚିତ । ଟିକା ଲଗାଇବା ହେଉଛି ଅନ୍ୟ ବଡ଼ ଉପାୟ । ଟିକା ନ ନେଲେ ବଡ଼ ବିପଦ ହୋଇପାରେ । ଜଣେ ବ୍ୟକ୍ତି ଟିକା ନ ନେବା ଦ୍ୱାର କେବଳ ସେ ନୁହେଁ, ବରଂ ପରିବାର ଓ ଗାଁକୁ ମଧ୍ୟ ସଂକଟକୁ ନେଇଯାଇଥାଏ । ଦେଶର କିଛି ଗାଁ ଶତପ୍ରତିଶତ ଅଥବା ଏହାର ନିକଟତର ଟିକାକରଣ ହୋଇସାରିଛି । ଏହାର ଉଦାହରଣ ହେଉଛି ଜମ୍ମୁ କଶ୍ମୀରର ବାନ୍ଦୀପୋରା ଜିଲ୍ଲା ଓ ନାଗାଲାଣ୍ଡର ୩ଟି ଗାଁ ।

ଡେଲ୍ଟା ଭ୍ୟାରିଆଣ୍ଟ ବଢ଼ାଉଛି ଚିନ୍ତା

ଭାରତରେ କରୋନା ଭାଇରସ ସଂକ୍ରମଣର ୨ୟ ଲହର ଜୁନ ମାସ ଠାରୁ ଧୀରେ ଧୀରେ ତଳମୁହାଁ ହେଉଥିବା ସମୟରେ ହଠାତ୍ ଡେଲ୍‌ଟା ଭ୍ୟାରିଆଣ୍ଟର ପ୍ରଭାବ ଯୋଗୁଁ ସରକାର, ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ଡେଲ୍ଟା ଭାଇରସ ସଂକ୍ରମଣ ଦେଶର ୧୦ଟି ରାଜ୍ୟକୁ ପ୍ରବେଶ କରିଛି, ଯେଉଁଥିରେ ଓଡ଼ିଶାର ଜଣେ ବ୍ୟକ୍ତି ଦେବଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । କୁହାଯାଉଛି ଯେ, କୋଭିଡ-୧୯ର ଏହି ପ୍ରାରୁପ ମାରାତ୍ମକ ।

ଶିଶୁ ଓ କିଶୋରଙ୍କ ଲାଗି ଆସିବ ଟିକା!

କରୋନା ମୁକାବିଲା କରିବା ପାଇଁ ଦେଶରେ ଗତ ଜାନୁଆରୀ ୧୬ ତାରିଖ ଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏବେ ଏହା ଅଧିକ ତୀବ୍ର ହୋଇଛି । ପୂର୍ବରୁ କେବଳ ସହରାଂଚଳରେ ଟିକାକରଣ କରାଯାଉଥିବା ବେଳେ ଏବେ ଗ୍ରାମାଂଚଳରେ ଟିକାକରଣ କେନ୍ଦ୍ର ଖୋଲିଛି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ରେକର୍ଡ ପରିମାଣରେ ଟିକାକରଣ ହୋଇଛି । କରୋନାର ସମ୍ଭାବିତ ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ କିଶୋର ଓ ଶିଶୁମାନଙ୍କ ପାଇଁ ଟିକାର ପରୀକ୍ଷଣ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments