ଭୁବନେଶ୍ୱର: ସମଗ୍ର ଦେଶରେ କରୋନା ପାଇଁ ହାହାକାର ଦେଖାଯାଇଥିବା ବେଳେ କଟକଣାକୁ ଅଧିକ ଶକ୍ତ କରି ଦିଆଯାଇଛି । ଦେଶରେ ଗୋଟିଏ ଦିନରେ ପ୍ରାୟ ୩ କୋଟି ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ନିୟନ୍ତ୍ରଣ ହରାଇଛି । ଏପ୍ରିଲ ୨୧ ତାରିଖରେ ରାଜ୍ୟରେ ୪ ହଜାର ୮୫୧ ଜଣ ସକ୍ରମିତ ହୋଇଛନ୍ତି । କରୋନା କଟକଣା ଯୋଗୁଁ ସାଧାରଣ ଜନତା ଘୋର ପ୍ରଭାବିତ ହେଉଛନ୍ତି । ଲୋକଙ୍କର ରୋଜଗାର ପ୍ରତି ବିପଦ ମାଡ଼ି ଆସୁଛି । ଶିଳ୍ପ କାମ ପାଇଁ ଯଦିଓ କୋହଳ କରାଯାଇଛି, ତଥାପି ସଂସ୍ଥାନ ଗୁଡ଼ିକ ବନ୍ଦ ହୋଇଯାଉଥିବାରୁ ଗରିବ ପରିବାରର ଜୀବନଧାରଣ ନେଇ ଅନେକ ପ୍ରଶ୍ନ ଉଠୁଛି ।
ସରକାରଙ୍କ ଅଦ୍ଭୁତ ନିୟମ
କରୋନା ଭାଇରସ ମହାମାରୀ କାଳରେ ସରକାର ବିବାହ ଓ ଶୁଦ୍ଧିକ୍ରିୟାକୁ ଏବେ ଟାର୍ଗେଟ କରୁଥିବା ଦେଖାଯାଉଛି । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଓ ଶୁଦ୍ଧି କ୍ରିୟାରେ ୨୦ ଜଣ ଯୋଗଦେଇପାରିବେ । ବିବାହ କାର୍ଯ୍ୟରେ ପରିବାରର ଲୋକ, ବ୍ରାହ୍ମଣ, ଗୋପାଳ, କ୍ୟାଟରିଙ୍ଗ, ବାରିକ, ବନ୍ଧୁବାନ୍ଧବ ଓ ଏଥି ପାଇଁ ଆବଶ୍ୟକ ଲୋକଙ୍କୁ ମିଶାଇ ୫୦ ଜଣ ଯୋଗଦେଇପାରିବେ । ଅନୁରୂପ ଭାବରେ ଶୁଦ୍ଧି କ୍ରିୟାରେ ଯଦି ୨୦ରୁ ଅଧିକ ଲୋକ ସାମିଲ ହୁଅନ୍ତି, ତା’ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ନିମନ୍ତ୍ରିତ ଅତିଥିଙ୍କୁ ମନା କରିବେ କି?
ବିବାହ ପାଇଁ ଗତ ୧୫ ତାରିଖ ଦିନ ଗାଇଡଲାଇନ୍ ଜାରି ହୋଇଥିବା ବେଳେ ପୁଣି ଥରେ ଏହାକୁ ଚଳିତ ମାସ ୧୯ ତାରିଖରେ ସଂଶୋଧନ କରାଯାଇଛି । ସଂଶୋଧନ କରାଯାଇଥିବା ଗାଇଡଲାଇନ୍ରେ ବିବାହ ପାଇଁ ୫୦ ଜଣିଆ ତାଲିକା କାର୍ଯ୍ୟକ୍ରମ ଆୟୋଜନର ୨୪ଘଣ୍ଟା ପୂର୍ବରୁ ପ୍ରଶାସନକୁ ଦିଆଯିବ । ସରକାରଙ୍କ ନୂଆ ଗାଇଡଲାଇନ ନେଇ ଚଳିତ ମାସ ଶେଷ ସପ୍ତାହ ଓ ମେ’ମାସରେ ବିବାହ କରିବାକୁ ଯାଉଥିବା ପରିବାର ଲୋକେ ସଂକଟରେ ପଡ଼ିଯାଇଛନ୍ତି । ଏହାର କାରଣ ହେଲା ଯେ, ରାଜ୍ୟ ସରକାର ଗାଇଡଲାଇନ ବାହାର କରିବାର ଢେର ଦିନ ଆଗରୁ ନିମୟନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ । ଅତି କମରେ ସରକାରଙ୍କୁ ଚିନ୍ତା କରିବା ଦରକାର ଯେ, ସଂଶୋଧିତ ଗାଇଡଲାଇନ ପ୍ରକାଶନର ୧୫ ଦିନ ଭିତରେ ଅନୁଷ୍ଠିତ ବିବାହ କାର୍ଯ୍ୟ ପାଇଁ କିଛି ପରିମାଣରେ କୋହଳ କରାଯାଇପାରିବ । କାରଣ ଯେଉଁ ଅତିଥିମାନଙ୍କୁ ନିମନ୍ତ୍ରଣ ଦିଆଯାଇସାରିଛି, ସେମାନଙ୍କୁ ପୁଣି ଥରେ କେମିତି ମନା କରାଯାଇ ପାରିବ । ମାତ୍ର ଏଥି ପାଇଁ ପରାମର୍ଶ ଦିଆଯାଇପାରିବ ଯେ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରାଯିବା ସହ ଡିଜେ ଓ ସାଉଣ୍ଡକୁ ବାରଣ କରାଯାଉ । କରୋନା ନିୟମ ଉଲ୍ଲଂଘନ କରାଗଲେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।
ବିଜେପି ରାଲିରେ ୫୦୦
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ଜନସଭା ଓ ରାଲି କରିବ ନାହିଁ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି । ବିଜେଡି ଜନସଭା ଓ ରାଲି କରିବନି ସତ । କିନ୍ତୁ ଦଳୀୟ ପ୍ରାର୍ଥୀ ବା ନେତା କୌଣସି ମତଦାତାଙ୍କ ସହତ ଯୋଗାଯୋଗ ନକରି ରହିପାରିବ କି? ଏପ୍ରିଲ ୧୪ ତାରିଖ ପୂର୍ବରୁ ବିଜେଡି ସମେତ ଅନ୍ୟ ଦଳର ନେତାମାନେ ପିପିଲି ପାଇଁ ଜୋରଦାର ପ୍ରଚାର କରୁଥିଲେ । ପିପିଲି ନିର୍ବାଚନ ମଣ୍ଡଳୀ ଅଧିନ ଗାଁ ଗୁଡ଼ିକରେ ଶହ ଶହ ଲୋକ ଭୋଜିଭାତ ଖାଉଥିଲେ । ସେଠାରେ କରୋନା ନଥିଲା ବୋଧେ । ଅନ୍ୟପଟରେ ଭାରତୀୟ ଜନତା ପାର୍ଟି ସୋମବାର ରାଲିରେ ଅଧିକ ଭିଡକୁ ମନା କରିଦେଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଦଳୀୟ ନେତାଙ୍କ ପ୍ରଚାରରେ ୫୦୦ ଲୋକଙ୍କୁ ଯୋଗଦେବା ଲାଗି ଅନୁମତି ମିଳିବ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ବିଜେପି ଛୋଟ ଛୋଟ ଜନସଭା କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଥିରେ କି ୫୦୦ରୁ କମ ଲୋକଙ୍କ ଅନୁପସ୍ଥିତି ରହିବ ।
ବଜାରରେ ହଜାର ହଜାର ଲୋକଙ୍କ ଭିଡ
କରୋନା ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟ ସରକାର ସାରା ସହରାଂଚଳରେ ସପ୍ତାହନ୍ତ ସଟ୍ଡାଉନ ଲାଗୁ କରିଦେଇଥିବା ବେଳେ ଅନ୍ୟ ୫ ଦିନ (ସୋମବାର ଠାରୁ ଶୁକ୍ରବାର) ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି । ଏହି କାରଣରୁ ବଜାରମାନଙ୍କରେ ଅଧିକ ଭିଡ ରହୁଛି । ସାପ୍ତାହିକ ହାଟ ଓ ଦୈନିକ ବଜାରରେ ହଜାର ହଜାର ଲୋକଙ୍କର ଭିଡ ଯୋଗୁଁ ପାଦ ଥାପିବାକୁ ସ୍ଥାନ ମିଳୁ ନାହିଁ । ସାଧାରଣତଃ ଗୋଟିଏ ବଜାରରେ ଦିନସାରା ପ୍ରାୟ ୬ ଘଣ୍ଟା ଯାଏଁ ଭିଡ ରହିଥାଏ । କିନ୍ତୁ ବିବାହ କାର୍ଯ୍ୟକ୍ରମରେ ଅଧିକାଂଶ ୩ ଘଣ୍ଟା ଜନଗହଳି ଲାଗିଥାଏ । ପୁଣି ବଜାରରେ ଆଦୌ ସାମାଜିକ ଦୂରତା ରକ୍ଷା କରାଯାଉ ନଥିବା ବେଳେ ବିବାହରେ ଏହା ରକ୍ଷା କରାଯାଇ ପାରିବ । ଟ୍ରେନର ଗୋଟିଏ ବଗିରେ ପ୍ରାୟ ୯୦ ଜଣ ଲୋକ ବସିଥାନ୍ତି । ବିବାହରେ ସେତିକି ସ୍ଥାନରେ ଆହୁରି କମ ଲୋକ ଥାଆନ୍ତି । ତେଣୁ ସରକାର ବିବାହ କାର୍ଯ୍ୟକ୍ରମକୁ କାହିଁକି ଏମିତି ଟାର୍ଗେଟ କରୁଛନ୍ତି ତାହା ବୁଝି ହେଉନାହିଁ । ବିବାହ କାର୍ଯ୍ୟକ୍ରମରେ ପରିବାର ସଦସ୍ୟ ଛଡ଼ା ଅନ୍ୟ ଅତିଥି ମାନେ ଘଣ୍ଟାଏ ବା ୨ ଘଣ୍ଟା ପାଇଁ ଆସିଥାନ୍ତି । ସାଧାରଣ ଅତିଥିମାନେ ଅଧିକାଂଶ ଭାବରେ ଅଧ ଘଣ୍ଟା ରହିଥାନ୍ତି । କିନ୍ତୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଟ୍ରେନ ଗୁଡ଼ିକରେ ଯାତ୍ରୀମାନେ ୩୦ରୁ ୩୫ ଘଣ୍ଟା ପର୍ଯ୍ୟନ୍ତ ଥାଆନ୍ତି ।