Tuesday, October 15, 2024
Homeକରୋନା ପାଇଁ ରୋଜଗାର ହରାଉଛନ୍ତି ପ୍ରବାସୀ ଶ୍ରମିକ, ଏବେ ପରିବାର ପାଇଁ ଚିନ୍ତା
Array

କରୋନା ପାଇଁ ରୋଜଗାର ହରାଉଛନ୍ତି ପ୍ରବାସୀ ଶ୍ରମିକ, ଏବେ ପରିବାର ପାଇଁ ଚିନ୍ତା

ଭୁବନେଶ୍ୱର: କୋଭିଡ-୧୯ ଦ୍ୱିତୀୟ ଲହର ସମଗ୍ର ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି । କେବଳ ଭାରତ ନୁହେଁ, ଶକ୍ତିଶାଳୀ ଆମେରିକା, ଜାପାନ, ରୁଷିଆ, ଫ୍ରାନ୍ସ, ବ୍ରିଟେନ ଭଳି ଦେଶଗୁଡ଼ିକ କରୋନା ଭାଇରସକୁ ସଠିକ ମୁକାବିଲା କରିପାରି ନାହାନ୍ତି । କରୋନ ପାଇଁ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଟିକାକରଣ ଚାଲିଛି । ତଥାପି ସଂକ୍ରମଣ ଅୟତ୍ତକୁ ଆସିପାରି ନାହିଁ । ପ୍ରଶାସନ, ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଔଷଧ କଂପାନୀ ଓ ଗବେଷକଙ୍କ ଆଖିରୁ ନିଦ ହଜିଯାଇଛି । କରୋନା ଭାଇରସ ମହାମାରୀ ସାମାଜିକ, ଆର୍ଥିକ, ଆଧ୍ୟାତ୍ମିକତା ଓ କ୍ରୀଡ଼ା ଉପରେ ଘୋର ପ୍ରଭାବ ପକାଇଛି । ବିଶ୍ୱରେ ପ୍ରାୟ ୩୧ ଲକ୍ଷ ଲୋକଙ୍କର ମୃତ୍ୟୁ କରୋନା ଯୋଗୁଁ ହିଁ ହୋଇଛି । ହଜାର ହଜାର ପରିବାର ଉଜୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସ୍ଥିତି ଏଭଳି ଏକ ଘଡ଼ିସନ୍ଧି ସମୟରେ ପହଂଚିଛି ଯେ, ଆଗକୁ କିଛି ବି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ତେବେ କରୋନା ସଂକ୍ରମଣ ଯୋଗୁଁ ଗରିବ, କୁଲିମଜୁରୀଆ ଓ ଶ୍ରମିକଙ୍କ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଗତବର୍ଷ କରୋନା ପ୍ରାଥମିକ ଅବସ୍ଥାରେ ଥିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଡାଲି, ଚାଉଳ, ଗ୍ୟାସ ଓ ଅନ୍ୟ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । ଏଥିରେ ଗରିବ, ଦିନ ମଜୁରିଆ ଓ ଖଟିଖିଆଙ୍କ ପରିବାର ପ୍ରାୟ ୬ ମାସ ଯାଏଁ ଚାଲିଥିଲା । ୨୦୨୦ ମାର୍ଚ୍ଚ ୨୫ ତାରିଖରେ ଦେଶ ଲକଡାଉନ୍ ହେବା ପରେ ଏହା ଧୀରେ ଧୀରେ ସ୍ୱାଭାବିକ ସ୍ତରକୁ ଆସିବା ପାଇଁ ପ୍ରାୟ ୬ ମାସ ଲାଗିଥିଲା । ଗରିବ ଶ୍ରେଣୀର ଲୋକଙ୍କ ମୁହଁରେ ପୁଣି ଥରେ ହସ ଦେଖିବାକୁ ମିଳିଥିଲା ।

ଘର ବାହୁଡ଼ା ପ୍ରବାସୀ ଶ୍ରମିକ

ପ୍ରବାସୀ ଶ୍ରମିକମାନେ ଯେଉଁ କର୍ମସ୍ଥଳୀରୁ ଗତବର୍ଷ ଫେରି ଆସିଥିଲେ, ସେମାନେ ପୁଣି ଥରେ କିଛି ମାସ ପୂର୍ବରୁ ଫେରିଯାଇଥିଲେ । ସେଠାରେ ବିଭିନ୍ନ କଂପାନୀରେ କାମ କରି ପରିବାରକୁ ଟଙ୍କା ପଠାଉଥିଲେ । ଏବେ କିନ୍ତୁ କରୋନା ପୁଣି ଉଗ୍ର ରୂପ ନେବା ପରେ ଦେଶର କଳକାରଖାନା ଗୁଡ଼ିକ ବନ୍ଦ ହେବାରେ ଲାଗିଛି । ସରକାର ଯଦି ଓ ଶିଳ୍ପାନୁଷ୍ଠାନକୁ ବନ୍ଦ କରିବାକୁ ଆଦେଶ ଦେଇ ନାହାନ୍ତି, ତଥାପି ମାଲିକମାନେ ସଂକ୍ରମଣ ଭୟରେ ଏଭଳି ପଦକ୍ଷେପ ନେଉଛନ୍ତି । ଏହି କାରଣରୁ ପ୍ରବାସୀମାନେ ପୁଣି ଥରେ ଘର ବାହୁଡ଼ା ହେଉଥିବା ଦେଖାଯାଉଛି ।

ବଢୁଛି ପ୍ରବାସୀଙ୍କ ଦୁର୍ଦ୍ଦଶା

ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ଲକଡାଉନ୍ ଆରମ୍ଭ ହୋଇଯାଇଛି । ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ବଡ଼ ବଡ଼ ମହାନଗରରେ ରାତ୍ରିକାଳୀନ କର୍ଫ୍ୟୁ ଓ ସଟ୍‌ଡାଉନ ଲାଗୁ ହୋଇଛି । ଏସବୁ ଦ୍ୱାରା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିଛି । କାରଣ ରାଜ୍ୟରେ କାମଧନ୍ଦା ଅଭାବ ଯୋଗୁଁ, ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟରେ ଯାଇ କାମ କରୁଥିଲେ । ଏବେ କଳକାରଖାନା ବନ୍ଦ ହୋଇଯିବା ପରେ ବାଧ୍ୟ ହୋଇ ଘରକୁ ଫେରିବେ । ଘରକୁ ଆସିଲା ପରେ ପରିବାର ଲୋକଙ୍କୁ କେମିତି ପାଳନ କରିବେ, ତାହା ଏବେ ବଡ଼ ପ୍ରଶ୍ନ ଉଠିଛି ।

ଲକ୍‌ଡାଉନ୍ ଦୁଃଖ ଭୁଲିହେବନି

ପ୍ରବାସୀ ଶ୍ରମିକମାନେ ଗତବର୍ଷର ଦୁଃଖକୁ ଭୁଲିପାରି ନାହାନ୍ତି । ଗତବର୍ଷ ଚେନ୍ନାଇରୁ ଶ୍ରମିକମାନେ ଦୀର୍ଘ ୧୨୦୦ କିଲୋମିଟର ପାଦରେ ଚାଲିଚାଲି ଓଡ଼ିଶା ଆସିଥିଲେ । କିଛି ଶ୍ରମିକଙ୍କୁ ଜଳପଥ ଦେଇ ଡଙ୍ଗାରେ ଆସିବାକୁ ପଡ଼ିଥିଲା । ଅନ୍ୟ ରାଜ୍ୟର ଶ୍ରମିକମାନେ ଯେତେବେଳେ ଓଡ଼ିଶା ଦେଇ ଚାଲିଚାଲି ଯାଉଥିଲେ ସେହି ଦୃଶ୍ୟ ଯେଉଁମାନେ ଦେଖିଛନ୍ତି, ନିଶ୍ଚିତ ଭାବେ ଆଖିରୁ ଲୁହ ବାହାରି ପଡ଼ିବ । ବହୁ ପ୍ରବାସୀ ଶ୍ରମିକ ଘରକୁ ଆସିବା ବାଟରେ ଖାଇବା-ପିଇବା ଆଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ପ୍ରବାସୀ ନିଜ କଂପାନୀରୁ ନିଜର ପାରିଶ୍ରମିକ ପାଇପାରି ନଥିଲେ । ଗତବର୍ଷର ସ୍ଥିତି ଏଯାଏଁ ଆସିନାହିଁ, କିନ୍ତୁ ନଆସିବ ବୋଲି ମଧ୍ୟ କହିହେବ ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments