Friday, February 14, 2025
Homeକରୋନା ସାଜୁଛି କାଳ; ସଂକଟରେ ମାଓବାଦୀଙ୍କ ଜୀବନ
Array

କରୋନା ସାଜୁଛି କାଳ; ସଂକଟରେ ମାଓବାଦୀଙ୍କ ଜୀବନ

ଭୁବନେଶ୍ୱର: କରୋନା ଭାଇରସ୍‌ର ଲହର ସମଗ୍ର ବିଶ୍ୱରେ ମାଡ଼ି ଚାଲିଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଭାରତ । ଗାଁ ଠାରୁ ସହର ପର୍ଯ୍ୟନ୍ତ ଏବେ ଚାରିଆଡେ କରୋନା ପାଇଁ ହାହାକାର । ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସାମ୍ବାଦିକ ଓ ଅନ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସହିତ ଚାଷୀ-ମୂଲିଆ, ଗରିବ-ଧନି ଆଦି ସବୁ ଶ୍ରେଣୀର ଲୋକେ କରୋନାକୁ ନେଇ ଚିନ୍ତିତ ଥିବାବେଳେ ବଣ-ପାହାଡ଼ ଘେରା ଘଂଚ ଜଙ୍ଗଲରେ ଦିନ କାଟୁଥିବା ମାଓବାଦୀଙ୍କ ଜୀବନ ମଧ୍ୟ ଏକ ଘଡ଼ିସନ୍ଧି ଦେଇ ଚାଲିଛି । ସାଧାରଣ ମଣିଷ କରୋନା ହେଉ ଅଥବା ସ୍ୱାସ୍ଥ୍ୟ ଜନିତ କୌଣସି ଅସୁବିଧା ଥିଲେ ଡାକ୍ତରଖାନା ଯାଇ ପରାମର୍ଶ କରିବାର ବିକଳ୍ପ ଅଛି । କିନ୍ତୁ ବିଚରା ମାଓବାଦୀ କରିବ କ’ଣ ।

କରୋନା ପଜିଟିଭ୍ ହୋଇଥିଲେ ବା ସ୍ୱାସ୍ଥ୍ୟଗତ ଅସୁବିଧା ଥିଲେ ମଧ୍ୟ ମାଓବାଦୀମାନେ ଦମ୍ଭର ସହିତ ମେଡିକାଲ ଯାଇପାରୁ ନାହାନ୍ତି । କାରଣ ମାଓବାଦୀଙ୍କୁ ପ୍ରଶାସନର ଭୟ ରହୁଛି । ସେହିଭଳି ଗାଁଗୁଡ଼ିକରେ ଲୋକେ ମାଓବାଦୀଙ୍କୁ ଘରକୁ ପ୍ରବେଶ କରିବାକୁ ଦେଉନାହାନ୍ତି । ଏବେ ମାଓବାଦୀଙ୍କ ପାଖରେ ଏକମାତ୍ର ବିକଳ୍ପ ହେଲା ପୋଲିସ ନିକଟରେ ଆତ୍ମସମର୍ପଣ କରି ଜୀବନ ବଂଚାଇବା । କିନ୍ତୁ ସେହି ସୁଯୋଗ ସେମାନଙ୍କୁ ମିଳିବା ସହଜ ନୁହେଁ । କାରଣ ସାଧାରଣ ମାଓବାଦୀମାନେ ସେମାନଙ୍କର କମାଣ୍ଡର ଅଧିନରେ ଥାଆନ୍ତି । ସେଠାରୁ ଖସି ଆସିବା ସହଜ ନୁହେଁ ।

ମାଓ ଦଂପତ୍ତି କରୋନା ପଜିଟିଭ୍‌

ପଡୋଶୀ ଛତିଶଗଡ଼ ରାଜ୍ୟର କାଂକେର ଜିଲ୍ଲାରେ ଚଳିତ ମାସ ୧୨ ତାରିଖ (ବୁଧବାର) ବିଏସ୍‌ଏଫ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓ ଦଂପତ୍ତି ଏବେ କରୋନା ଚିହ୍ନଟ ହୋଇଛନ୍ତି । ଅର୍ଜୁନ ତାତି ଓ ତା’ର ପତ୍ନୀ ଲକ୍ଷ୍ମୀ କାମତେଡାସ୍ଥିତ ସେନା ଶିବିରରେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କର ନମୁନା ପରୀକ୍ଷା ଜଣାଯାଇଛି ଯେ, କରୋନା ପଜିଟିଭ ଅଛନ୍ତି । କେବଳ ଅର୍ଜୁନ ଓ ଲକ୍ଷ୍ମୀ ନୁହଁନ୍ତି ବରଂ ଶତାଧିକ ମାଓବାଦୀ କରୋନାରେ ସଂକ୍ରମିତ ଅଛନ୍ତି । କିନ୍ତୁ ସେମାନେ ନିଜର ନମୁନା ପରୀକ୍ଷା କରାଇ ପାରୁ ନଥିବାରୁ ତାହା ଲୋକଲୋଚନାକୁ ଆସିପାରୁ ନାହିଁ । କିନ୍ତୁ ପୋଲିସ ମାଓବାଦୀଙ୍କୁ ଆହ୍ୱାନ ଦେଇଛି ଯେ, ନକ୍ସଲ ଶିବିରରୁ ଆସିଲେ ସେମାନଙ୍କୁ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯିବ ଏବଂ ସୁସ୍ଥ ହେବା ପରେ ଆତ୍ମସମର୍ପଣ ପ୍ରକ୍ରିୟା କରାଯିବ ।

୧୦୦ ମାଓବାଦୀ କରୋନା ପଜିଟିଭ

ମାଓବାଦୀମାନେ ସଭ୍ୟ ସମାଜ ଠାରୁ ଦୂରରେ ଥିଲେ ବି, ସେମାନଙ୍କ ପାଖକୁ କେମିତ କରୋନା ଭାଇରସ ସଂକ୍ରମଣ ଗଲା, ତାହା ଆଶ୍ଚର୍ଯ୍ୟର କଥା । କିନ୍ତୁ ମାଓବାଦୀ ସାଧାରଣ ନାଗରିକଙ୍କ ଭଳି ଜନଗହଳି ଭିତରକୁ ଆସୁଥିବାରୁ କୌଣସି ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଥାଇପାରନ୍ତି ବୋଲି କୁହାଯାଇପାରିବ । ଛତିଶଗଡ଼ରେ କରୋନା ଭାଇରସ ମହାମାରୀ ସୀମା ଅତିକ୍ରମ କରିଛି । ଦୈନିକ ସଂକ୍ରମଣ ୧୭ ହଜାର ପାର ହୋଇଛି । ବେସରକାରୀ ସୂତ୍ର ଅନୁସାରେ ଶତାଧିକ ମାଓବାଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୦ ଜଣ ପ୍ରାଣ ହାରିଛନ୍ତି । ଦନ୍ତେୱାଡା ଆରକ୍ଷୀ ଅଧିକ୍ଷକ ଅଭିଷେକ ପଲ୍ଲବ ଦୁଇ ଦିନ ପୂର୍ବରୁ ଏହା କହିଛନ୍ତି ।

ମାଲକାନଗିରିରେ ମାଓବାଦୀଙ୍କ ଲାଗି ବ୍ୟବସ୍ଥା

ପଡୋଶୀ ଛତିଶଗଡ଼ରେ ମାଓବାଦୀମାନେ କରୋନା ପଜିଟିଭ ଚିହ୍ନଟ ହେବା ନେଇ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ମାଲକାନଗିରି ପୋଲିସର ଚିନ୍ତା ବଢ଼ିଯାଇଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସୀମା ଲାଗିଥିବାରୁ ମାଓବାଦୀ ମାନେ କରୋନା ସଂକ୍ରମିତ ହୋଇଥିବା ସଂଦେହ ହେଉଛି । ପୋଲିସକୁ ସୂଚନା ମିଳିଛି ଯେ, କିଛି ମାଓବାଦୀ କରୋନାରେ ପୀଡିତ ଅଛନ୍ତି । ଏସ୍‌ପି ଋଷିକେଶ ଖିଲାରୀ କହିଛନ୍ତି ଯେ, ମାଓବାଦୀମାନେ ଯଦି ସ୍ୱଇଚ୍ଛାରେ ଆସନ୍ତି, ତାହେଲେ ସେମାନଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ । ସେମାନଙ୍କର ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ କରାଯିବ ନାହିଁ । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଜେଲରେ ରଖା ନଯାଇ, ମୁଖ୍ୟ ସ୍ରୋତରେ ସାମିଲ କରାଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments