ଭୁବନେଶ୍ବର: ସରକାର କହୁଛନ୍ତି ଜଙ୍ଗଲର ପରିମାଣ ବୃଦ୍ଧି ଘଟୁଛି। ଜୀବଜନ୍ତୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି। ହେଲେ ବାସ୍ତବତା ଭିନ୍ନ। ପ୍ରକୃତରେ ଜଙ୍ଗଲର ପରିମାଣ ଯଦି ବଢୁଥାନ୍ତା, ତାହେଲେ ବନ୍ୟଜନ୍ତୁମାନେ ଶିକାରୀଙ୍କ ହାବୁଡ଼ରେ ପଡନ୍ତେ ନାହିଁ। ସେମାନେ ଜଙ୍ଗଲ ଭିତରୁ ଖାଦ୍ୟ ଅନ୍ବେଷଣରେ ବାହାରକୁ ଆସନ୍ତେ ନାହିଁ। ଜଙ୍ଗଲ ବଢ଼ିଲେ ଜୀବଜନ୍ତୁ ସୁରକ୍ଷିତ ରହିବେ। ମାତ୍ର କ୍ରମାଗତ ଭାବେ ଜଙ୍ଗଲ ଅବକ୍ଷୟ କାରଣରୁ ବହୁମୂଲ୍ୟବାନ ଜୀବଜନ୍ତୁଙ୍କର ପ୍ରାଣହାନୀ ଘଟୁଛି। ଏଥିରେ ହାତୀ, ବାଘ ଭଳି ଶକ୍ତିଶାଳୀ ଜନ୍ତୁ ମଧ୍ୟ ସାମିଲ ଅଛନ୍ତି। ଅନେକ ସମୟରେ ଜୀବଜନ୍ତୁଙ୍କ ହାବୁଡ଼ରେ ପଡ଼ି ମନୁଷ୍ୟର ମଧ୍ୟ ମୃତ୍ୟୁ ଘଟୁଛି।
ଆମ ରାଜ୍ୟରେ ପ୍ରତି ସପ୍ତାହରେ ହାତୀ ମୃତ୍ୟୁ ଖବର ଆସୁଛି। ସେହିଭଳି ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ଖବର ମଧ୍ୟ ଗଣମାଧ୍ୟମରୁ ଜାଣିବାକୁ ମିଳୁଛି। ହାତୀ ଦାନ୍ତ କାଟି ନେବା। ବିକ୍ରି ସମୟରେ ପୁଲିସ, ଏସ୍ଟିଏଫ୍ ଓ ବନ ବିଭାଗ ହାତରେ ଧରାପଡ଼ିବା ଭଳି ଘଟଣା ଦେଖିବାକୁ ମିଳୁଛି। କେବଳ ହାତୀ ନୁହଁନ୍ତି କଲପତରିଆ ବାଘ ଛାଲ, ବଜ୍ରକାପ୍ତା ଭଳି ଦୁର୍ଲଭ ପ୍ରାଣୀଙ୍କୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ଆଶାରେ ଗ୍ୟାଙ୍ଗ ଗଢ଼ିଉଠିଛି। ବାଘ ଛାଲ ବିକ୍ରି କରିବା ଘଟଣା ରାଜ୍ୟର ଅନେକ ଜିଲ୍ଲାରୁ ଆସିସାରିଛି। ଏବେ ପୁଣି ଏକାଥରରେ ୩ଟି ବାଘ ଛାଲ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଜବତ ହୋଇଛି।
ତିନି ବର୍ଷରେ ୪୦ ବାଘ ଛାଲ ଜବତ
ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବନବିଭାଗ । ହେଲେ ବଣରେ ବାଘ ସୁରକ୍ଷିତ ନୁହନ୍ତି । ଶିକାରୀମାନେ ଯେଉଁଭଳି ଭାବେ ଶିକାର କରୁଛନ୍ତି, ଲାଗୁଛି ହୁଏତ ଅଳ୍ପଦିନରେ ବାଘ ଆଉ ଦେଖିବାକୁ ମିଳିବନି। ବିଡମ୍ବନାର କଥା ହେଲା, ଶିକାରୀମାନେ ବେଧଡକ ଶିକାର କରୁଥିଲେ ମଧ୍ୟ ନା ବାଘଙ୍କ ମୃତଦେହ ମିଳୁଛି ନା ଶିକାରୀଙ୍କୁ ଧରାଯାଉଛି। କିନ୍ତୁ ବାଘଛାଲ ଡିଲ ବେଳେ ଏସଟିଏଫ ବେପାରୀଙ୍କୁ ଗିରଫ କରୁଛି। କିଛି ମାମଲାରେ ଶିକାରୀ ଧରାପଡୁଥିଲେ ବି କୋହଳ ଦଫା ଯୋଗୁଁ ବେଲ୍ ପାଇ ସେମାନେ ପୁଣି ସକ୍ରିୟ ହୋଇଛନ୍ତି। ୨୦୨୦ ମସିହା ଠାରୁ ୨୦୨୩ ମେ’ ୨୫ ତାରିଖ ଯାଏଁ ଓଡ଼ିଶାରେ ୪୦ଟି କଲରାପତରିଆ ବାଘଛାଲ ଓ ୨ଟି ମହାବଳ ବାଘଛାଲ ଜବତ ହୋଇଛି।
ପୁଣି ୩ ବାଘ ଛାଲ ଜବତ
ଏସ୍ଟିଏଫ୍ ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ବୁଧବାର ଦିନ ୩ଟି ବାଘ ଛାଲ ଜବତ କରିଛି। ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା-କୋରାପୁଟ ନିକଟସ୍ଥ ଏକ ସ୍ଥାନରେ ଏସଟିଏଫ୍ ଚଢ଼ଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ାର ଡମ୍ବରୁଧର ମାଝୀ ବୋଲି ଜଣାପଡ଼ିଛି। ଧରାପଡ଼ିବା ପରେ ଅପରାଧୀ ଶ୍ରୀ ମାଝୀ ନିଜକୁ ଦୋଷମୁକ୍ତ ବୋଲି ପୁଲିସ ଆଗରେ ପ୍ରମାଣ ଦେବାରେ ବିଫଳ ହୋଇଛି। ଅନ୍ୟପଟେ ଜବତ ହୋଇଥିବା ବାଘଛାଲକୁ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ)କୁ ପଠାଯାଇଥିବା ଜଣାପଡିଛି।
ପୂର୍ବରୁ ଘଟିଥିଲା ସମାନ ଘଟଣା
ଗତବର୍ଷ ଅକ୍ଟୋବର ମାସରେ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ୍ର ମିଳିତ ସହଯୋଗରେ ଏସ୍ଟିଏଫ୍ ଏକ ଚଢ଼ଉ କରି ୩ଟି କଲରାପତରିଆ ବାଘ ଛାଲ ଜବତ କରିଥିଲା। ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିର ଥାନା ଅଧିନସ୍ଥ ଝାରସୁଗୁଡ଼ା-କୁଚିଣ୍ଡା ରୋଡ୍ର ମାଲିଧି ଛକର ଓ ସମ୍ବଲପୁର ଜିଲ୍ଲାର ଯୁଯୁମରା ଥାନା ଅଧିନସ୍ଥ ପଲସମଲ ଗାଁରେ ଏହି ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ କଲରାପତରିଆ ବାଘ ଛାଲ ବ୍ୟତୀତ ଆହୁରି ଅନେକ ଅପରାଧୀକ ସାମଗ୍ରୀ ବି ଜବତ ହୋଇଥିଲା। ସେହିପରି ୨୦୨୦ ମସିହା ସେପ୍ଟେମ୍ବର ମାସରେ ନବରଙ୍ଗପୁର ବନ ବିଭାଗ ଖବର ପାଇ ୨ଟି ସ୍ଥାନରେ ଚଢ଼ାଉ କରିଥିଲା। କଳାହାଣ୍ଡି ଓ ନବରଙ୍ଗପୁର ସୀମାରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା କଳହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଂଚଳର ସୁରେନ୍ଦ୍ର ନାୟକ ଓ ତ୍ରିନାଥ ନାୟକଙ୍କୁ ବନ ବିଭାଗ କାବୁ କରିଥିଲା। ଘଟଣା ଦିନ ଏକ କଲରାପତରିଆ ବାଘ ଛାଲ ସହିତ ଏକ ବାଇକ ଜବତ କରିଥିଲା। ସେହିପରି ଭାବେ ବନ ବିଭାଗ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଉସୁରୀପଦର ଛକ ନିକଟରୁ ଗୁପ୍ତ ପ୍ରସାଦ ଟାକରୀ ଓ ପ୍ରହଲ୍ଲାଦ ନାୟକଙ୍କ ଠାରୁ ୨ଟି ବାଘ ଛାଲ ଜବତ କରିଥିଲା।