ଭୁବନେଶ୍ବର: ବର୍ଷର ୧୨ ମାସ ଭିତରେ କାର୍ତ୍ତିକ ହେଉଛି ଅନ୍ୟତମ ପୂଣ୍ୟମାସ। ଶ୍ରାବଣ ଭଳି ଏହି ମାସରେ ମଧ୍ୟ ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି। ମନ୍ଦିରକୁ ଯାଉ ନ ଥିବା ଲୋକେ ମଧ୍ୟ ସକାଳୁ ଗାଧୋଇ ଘରେ ତୁଳସୀ ଚଉରାରେ ପୂଜା କର, ଦାନ-ଦକ୍ଷିଣା ଦିଅନ୍ତି। ଜନସେବା କରି ଆତ୍ମତୃପ୍ତିଲାଭ କରିଥାନ୍ତି। ଅନେକ ଲୋକ ବେସାହାରା, ଭିକାରୀ, ଅନାଥାଳୟକୁ ଯାଇ ଆର୍ଥିକ ଭାବେ ସହଯୋଗ କରିଥାନ୍ତି। ସେହିପରି ମନ୍ଦିର ଯାଉ ନ ଥିବା ଅନେକ ଲୋକ ମଧ୍ୟ ନିରାମିଷ ଖାଦ୍ୟକୁ ଭଲ ପାଆନ୍ତି ନାହିଁ।
କାର୍ତ୍ତିକ ମାସରେ କିନ୍ତୁ ଆଉ ପୂର୍ବ ଭଳି ଉତ୍ସାହ ଦେଖାଯାଉ ନାହିଁ। ଗତ ଦଶନ୍ଧିରେ କାର୍ତ୍ତିକମାସରେ ଭୋର ସକାଳୁ ଗାଁ ପୋଖରୀ ଓ ଅନ୍ୟ ଜଳାଶୟଗୁଡ଼ିକରେ ଶହ ଶହ ଲୋକ ଗାଧୋଉଥିବା ଦେଖିବାକୁ ମିଳୁଥିଲା। ପ୍ରବଳ ଶୀତରେ ମଧ୍ୟ ଲୋକେ ଥରି ଥରି ଯାଉ ଗାଧୋଉଥିଲେ। ମନ୍ଦିରଗୁଡ଼ିକରେ ସକାଳୁ ସକାଳୁ ଯେଉଁଭଳି ଭିଡ଼ ପରିଲକ୍ଷିତ ହେଉଥିଲା, ଆଜିକାଲି ତାହା ଆଉ ଦେଖାଯାଉନି। କାଁ ଭାଁ କିଛି ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ପୂର୍ବରୁ ଲୋକେ ଗାଁ ଗଣ୍ଡାରେ କାର୍ତ୍ତିକମାସରେ ଏକତ୍ର ଅରୁଆ ଅନ୍ନ ସହ ଡାଲମା ଓ ଖଟା କରି ଖାଉଥିଲେ। ସେହି ପରଂପରା ମଧ୍ୟ ଫିକା ପଡ଼ିସାରିଛି।
ପରିବା ଦର ଆକାଶ ଛୁଆଁ
କାର୍ତ୍ତିକ ମାସ ୧୦ ଦିନ ଅତିକ୍ରାନ୍ତ କରିସାରିଛି। କିନ୍ତୁ ବଜାରରେ ପରିବା ଦର ହ୍ରାସ ପାଇନାହିଁ। ଗାଁରୁ ସହର ପର୍ଯ୍ୟନ୍ତ ପରିବା ଦର ଆକାଶ ଛୁଆଁ ହୋଇଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଭଳି ବଡ଼ ସହରରେ ପରିବାଦ ଦର ଏହିଭଳି ଭାବେ ବଢ଼ିଯାଇଛି ଯେ, ଗରିବ ଓ ମଧ୍ୟମଧରଣର ପରିବାରକୁ ବାଧୁଛି। ବାଇଗଲ, ଟମାଟୋ, ଭେଣ୍ଡି, କଲାରା, କାକୁଡି, ମାଟିଆଳୁ କିଲୋ ୬୦ ଟଙ୍କାରୁ ତଳକୁ ନାହିଁ। ଚାଷ କାମ ପ୍ରତି ଚାଷୀ ମୁହଁ ଫେରାଉଥିବାରୁ ପରିବା ଦର ହ୍ରାସ ପାଉ ନାହିଁ। ପନିପରିବା ପୂର୍ବ ଭଳି ଆଉ ଉତ୍ପାଦନ ହୋଇପାରୁ ନାହିଁ। ଏହାର ମୂଳ କାରଣ ହେଉଛି ଦର ବୃଦ୍ଧି।
ଆମିଷ ଦୋକାନରେ ଭିଡ
କେବଳ ପନିପରିବା କାହିଁ, ପିଆଜ ଓ ରସୁଣକୁ ଆମିଷ ଖାଦ୍ୟ ଭିତରେ ଗଣତି କରାଯାଇଥାଏ। କିନ୍ତୁ ଚଳିତ ଥର କାର୍ତ୍ତିକ ମାସରେ ମଧ୍ୟ ପିଆଜ ଓ ରସୁଣ ମୂଲ୍ୟ କମିବାର ନାଁ ଧରୁନାହିଁ। ମାଛ କିଲୋ ୨୨୦ ଟଙ୍କା, ବ୍ରଏଲର କୁକୁଡ଼ା କିଲୋ ୨୨୦ ଟଙ୍କା, ଦେଶୀ କୁକୁଡା ମାଂସ ୪୫୦ ଟଙ୍କା, ଖାସି ମାଂସ କିଲୋ ୭୦୦ ଟଙ୍କା ରହିଛି। ବିଗତ ବର୍ଷଗୁଡ଼ିକରେ ଦେଖିବାକୁ ମିଳିଥିଲା ଯେ, କାର୍ତ୍ତିକ ମାସ ଆରମ୍ଭ ହୋଇଗଲେ ଅନ୍ୟମାସ ତୁଳନାରେ ଆମିଷ ଦର ୧୦ରୁ ୨୦ ପ୍ରତିଶତ ହ୍ରାସ ପାଇଯାଇଥାଏ। ଏଥର କିନ୍ତୁ ଆଶ୍ବିନ ମାସରେ ଯେମିତି ଦର ଥିଲା, କାର୍ତ୍ତିକ ମାସରେ ମଧ୍ୟ ସମାନ କଥା। ରବିବାର, ବୁଧବାର ଓ ଶୁକ୍ରବାର ଦିନଗୁଡ଼ିକରେ ଆମିଷ ଦୋକାନରେ ଯେଉଁଭଳି ଭାବେ ଗ୍ରାହକଙ୍କ ଭିଡ଼ ଲାଗୁଛି, କାର୍ତ୍ତିକ ମାସର ଚିନ୍ତା କରିହେବ ନାହିଁ।
ମାଂସ ତରକାରୀକୁ ନେଇ-ସ୍ବାମୀ ଓ ସ୍ତ୍ରୀଙ୍କ କଳି
କାର୍ତ୍ତିକ ବ୍ରତ କରୁ ନ ଥିଲେ ବି ଅନେକ ପରିବାରରେ ଘର ଭିତରକୁ ଆମିଷ ପ୍ରବେଶ କରାଯାଇ ନଥାଏ। କେବଳ ଓଡ଼ିଶା ନୁହେଁ। ବରଂ ଅନ୍ୟ ରାଜ୍ୟରେ ମଧ୍ୟ କାର୍ତ୍ତିକ ମାସର ଗୁରୁତ୍ବ ରହିଛି। ତେବେ ଆମିଷ ଭୋଜନକୁ ନେଇ ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଟନ ରୋଷେଇ ହୋଇ ନଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରିସ୍ଥିତି ଏଭଳି ସ୍ତରରେ ପହଞ୍ଚି ଥିଲା ଯେ, ପଡୋଶୀଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଥିଲା। ପପୁ ନାମକ ଜଣେ ବ୍ୟକ୍ତି ନିଜ ରାଗ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ ପଡୋଶୀ ବିଲୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଦେଇଥିଲା। ପରିବାର ଲୋକେ ଆମୀଷ ଖାଉ ନଥିବାରୁ ଏହାକୁ ନେଇ ପପୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ତ୍ରୀ ଯୁକ୍ତି କରିଥିଲେ ଯେ ହିନ୍ଦୁ ପରମ୍ପରା ମୁତାବକ ମଙ୍ଗଳବାରରେ ଆମୀଷ ଭକ୍ଷଣ କରାଯାଏ ନାହିଁ । ହେଲେ ମଟନ ଖାଇବାକୁ ସ୍ୱାମୀ ଜିଦ୍ କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପପୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ଶୁଣି ପଡୋଶୀ ବିଲୁ ସେଠାରେ ପହଂଚି ସମାଧାନ ପାଇଁ ଉଦ୍ୟମ କରିଥିଲେ। ତେଣୁ ସେ ଆକ୍ରମଣର ଶିକାର ହୋଇଥିଲେ।