ଭୁବନେଶ୍ବର: ପଶ୍ଚିମ ଆଫଗାନିସ୍ତାନର ହେରାତ୍ରେ ଶନିବାର ସଂଘଠିତ ୬.୩ ତୀବ୍ରତାସମ୍ପନ୍ନ ଶକ୍ତିଶାଳୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୨୦୦୦ ଟପିଛି। ଜଣେ ତାଲିବାନ ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଥିବା ବେଳେ ଭୂମିକମ୍ପ ଯୋଗୁଁ ହଜାର ହଜାର ଲୋକ ବାସହୀନ ହୋଇଯାଇଛନ୍ତି। ଅନେକ ଲୋକ ନିଜ ସଂପର୍କୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇବା ପାଇଁ ଅନେକ ରାଷ୍ଟ୍ର ଆଗେଇ ଆସିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ମାନବ ସଭ୍ୟତା ଉପରେ ବଡ଼ ପ୍ରଭାବ ପକାଇଥାଏ। ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଯେତେବେଳେ ବଡ଼ଧରଣର ବନ୍ୟା, ମରୁଡ଼ି, ଭୂମିକମ୍ପ, ବାତ୍ୟା, ବଜ୍ରପାତ, ସୁନାମି, ଆଗ୍ନେୟ ଉଦଗୀରଣ, ଜଙ୍ଗଲରେ ନିଆଁ ଲାଗିଥାଏ, ସେହି ସମୟରେ ମାନବ ଜାତିର ବହୁ କ୍ଷୟକ୍ଷତି ହୋଇଥାଏ କେବଳ ଧନଜୀବନ ନୁହେଁ, ମାନବ ସମ୍ବଳକୁ ବ୍ୟାପକ ପ୍ରଭାବିତ କରିଥାଏ। ଆଫଗାନିସ୍ତାନର ହେରାତ୍ ହେଉଛି ଏହାର ଜ୍ବଳନ୍ତ ଉଦହାରଣ। କିନ୍ତୁ ଏହା ପୂର୍ବରୁ ମଧ୍ୟ ବିଶ୍ବରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ କି ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୧୯୭୬ ଜୁଲାଇ ୨୮ ତାରିଖର ଘଟଣା। ଚୀନର ତଙ୍ଗସାନ୍ ହେବାଇରେ ସଂଘଠିତ ୭.୬ ତୀବ୍ରତାସମ୍ପନ୍ନ ଶକ୍ତିଶାଳୀ ଭୂମିକମ୍ପ ଭୋର ସକାଳ ୩ଟା ୪୨ରେ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ସହରର ୮୫ ପ୍ରତିଶତ କୋଠା ଭୁଶୁଡ଼ି ପଡ଼ିଥିଲା। ଜାତୀୟ ରାଜପଥ ଓ ରେଳବ୍ରିଜ ଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଥିଲା। ସରକାରୀ ସ୍ତରରେ କୁହାଯାଇଥିଲା ଯେ, ୨,୪୨,୭୬୯ ଜଣଙ୍କର ମୃତ୍ୟୁ ହୋଇଥିଲା। ୧,୬୪,୮୫୧ ଜଣ ଗୁରୁତର ହୋଇଥିଲେ।
ଆଫଗାନିସ୍ତାନରେ ବଡ଼ଧରଣର ଭୂମିକମ୍ପ
ଗତ ୮ ତାରିଖ ଦିନ ପଶ୍ଚିମ ଆଫଗାନିସ୍ତାନର ହେରାତ୍ରେ ସଂଘଠିତ ଭୂମିକମ୍ପ ନେଇ ଆଫଗାନିସ୍ତାର ସୂଚନା ଓ ସଂସ୍କୃତି ମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍ ୱହିଦ୍ ରେୟାନ୍ କହିଛନ୍ତି, ମୂଳ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ବାସ୍ତବ ମୃତ୍ୟୁସଂଖ୍ୟା ତା’ଠାରୁ ଢେର୍ ଅଧିକ। ପ୍ରାୟ ୧୨ଟି ଗାଁ ଧ୍ବଂସ ହୋଇଯାଇଛି ଓ ଅସଂଖ୍ୟ ସାଧାରଣ ଜନତା ଭଗ୍ନସ୍ତୂପରେ ପୋତି ହୋଇ ପଡ଼ିଛନ୍ତି। ଆମେ ଜରୁରୀ ସହାୟତା ଲୋଡୁଛୁ। ତାଲିବାନଦ୍ବାରା ନିଯୁକ୍ତ ଅର୍ଥନୈତିକ ବ୍ୟାପାରର ଉପପ୍ରଧାନମନ୍ତ୍ରୀ ଅବ୍ଦୁଲ୍ ଗନି ବାରାଦାର୍ ହେରାତ୍ ଓ ବାଦ୍ଗିସ୍ରେ ମୃତାହତ ଜନତାଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନେବା, ବାସହରାଙ୍କୁ ଆଶ୍ରୟ ଓ ବଞ୍ଚିଥିବା ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଯଥା ଶୀଘ୍ର ସମ୍ଭବ ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳରେ ପହଞ୍ଚିବା ଲାଗି ତାଲିବାନ ଆଞ୍ଚଳିକ ସଙ୍ଗଠନମାନଙ୍କୁ ଅନୁରୋଧ କରିଛି। ଭଗ୍ନସ୍ତୂପ ତଳେ ପୋତି ହୋଇ ପଡ଼ିଥିବା ଜନତାଙ୍କୁ ଉଦ୍ଧାର କରିବା ଲାଗି ନିରାପତ୍ତା ଏଜେନ୍ସିମାନେ ସମସ୍ତ ସମ୍ବଳ ଉପଯୋଗ କରନ୍ତୁ ସେମାନେ କହିଛନ୍ତି।
ସିକ୍କିମ ବନ୍ୟାରେ ୮୦ରୁ ଊର୍ଦ୍ଧ୍ବ ମୃତ
ଗତ ୪ ତାରିଖରେ ସିକ୍କିମରେ ଦେଖାଯାଇଥିବା୍ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି। ଏଯାବତ ୯ ଜଣ ଯବାନଙ୍କ ମର ଶରୀର ମିଳିଛି। ଆହୁରି ୧୫ ଯବାନଙ୍କ ସମେତ ୧୪୨ ଲୋକ ଏବେ ବି ନିଖୋଜ ଅଛନ୍ତି। ଏଯାବତ ୨,୪୧୩ ଲୋକଙ୍କୁ ସିକ୍କିମ୍ ର ବିଭିନ୍ନ ଅଞ୍ଚଳରୁ ଉଦ୍ଧାର କରାଗଲାଣି। ରାଜ୍ୟର ବିଭିନ୍ନ ଅଂଶରେ ଏବେ ବି ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ସରକାରୀ ଅଧିକାରୀଙ୍କ ଅନୁଯାୟୀ ଉତ୍ତର ସିକ୍କିମ୍ଙରେ ୩ ହଜାର ପର୍ଯ୍ୟଟକ ଫସି ରହିଛନ୍ତି ଏବଂ ବାୟୁସେନା ଦ୍ବାରା ବାରମ୍ବାର ଉଦ୍ୟମ କରାଯିବା ସତ୍ତ୍ବେ ସେମାନଙ୍କୁ ଉଦ୍ଧାର କରାଯାଇପାରିନି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମଙ୍ଗ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଶିବିରରେ ରହୁଥିବା ସମସ୍ତ ଲୋକଙ୍କୁ ତତ୍କାଳ ୨ ହଜାର ଟଙ୍କା ଦିଆଯିବ ବୋଲି ସରକାର କହିଛନ୍ତି। ପ୍ରଭାବିତ ଲୋକଙ୍କୁ ରିଲିଫ୍ ଦେବାପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏସ୍ଡିଆରଏଫ୍ର କେନ୍ଦ୍ରୀୟ ଭାଗରୁ ୪୪.୮ କୋଟି ଟଙ୍କାର ଆଗୁଆ ପାଣ୍ଠିକୁ ମଂଜୁରି ଦେଇଛନ୍ତି। ସିକ୍କିମ୍ର ସରକାର ଅନୁଯାୟୀ ରାଜ୍ୟରେ ୧୧୭୩ ଘର ଅତି ଭୟଙ୍କର ଭାବେ ଭାଙ୍ଗିଯାଇଛି ଏବଂ ୨,୪୧୩ ଲୋକଙ୍କୁ ଉଦ୍ଧା୍ର କରାଯାଇଛି। ବନ୍ୟା ଯୋଗୁଁ ୬୦୦୦୦ ଲୋକ ପ୍ରଭାବିତ ହୋଇଥିବା ବଳେ ୪ଟି ଜିଲ୍ଲାରେ ୧୪ଟି ପୋଲ ଓ ୧୬୫୫ଟି ଘର ଭୁଶୁଡ଼ିଛି।
ମହାବାତ୍ୟା ୧୯୯୯
ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରକୃତିକ ବିପର୍ଜୟ ଥିଲା ୧୯୯୯ ଓଡ଼ିଶା ମହାବାତ୍ୟା। ଏହା ଭାରତ ମହାସାଗର ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଥିଲା। ଆଜକୁ ୨୪ ବର୍ଷ ପୂର୍ବରୁ ଅକ୍ଟୋବର ୨୯ ତାରିଖ ଦିନ ଘଣ୍ଟା ପ୍ରତି ୩୦୦ କିମି ବେଗରେ ପବନ ମାଡ଼ି ଆସୁଥିଲା। ୩୦ ଘଣ୍ଟାର ତାଣ୍ଡବରେ ଅର୍ଦ୍ଧାଧିକ ଓଡ଼ିଶା ପୂରା ଛାରଖାର ହୋଇଯାଇଥିଲା। ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର। ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲା ଏରସମା ଓ ଅସ୍ତରଙ୍ଗ। ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା। ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର ନଦୀ କୂଳିଆ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ବାପାମାଆ ଛେଉଣ୍ଡ ହୋଇ ଯାଇଥିଲେ ପ୍ରାୟ ୧୫ଶହ ଶିଶୁ । କେବଳ ଜଗତସିଂହପୁର ଜିଲ୍ଲାରେ ନିଖୋଜ ହୋଇଥିଲେ ୮ ହଜାରରୁ ଅଧିକ ଲୋକ। ୭ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ୩ ଲକ୍ଷ ୧୫ ହଜାରରୁ ଅଧିକ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ। ଲକ୍ଷାଧିକ ଲୋକ ବେଘର ହୋଇଥିଲେ। ୨୩ ହଜାର ୧୨୯ଟି ଘର ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା।