ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବୁଧବାର ଭୋର ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ଏକାଧିକ ସଡ଼କ ଦୁର୍ଘଟଣା ଘଟିଛି। କନ୍ଧମାଳ-ଗଂଜାମ ଜିଲ୍ଲାର ସୀମାନ୍ତ କଳିଙ୍ଗା ଘାଟି ଠାରୁ ଦୁର୍ଘଟଣା ଆରମ୍ଭ ହୋଇ ନବରଂଗପୁର ଜିଲ୍ଲା ଝରିଗାଁ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ଓ ଝାରସୁଗୁଡ଼ା ଜିଲ୍ଲା ଇବ୍ଥର୍ମାଲ ଅଞ୍ଚଳରେ ଦୁର୍ଘଟଣା ଘଟିଛି। ରାଜ୍ୟରେ ଆଜି ସଡ଼କ ଦୁର୍ଘଟଣା କାରଣରୁ ମୋଟ୍ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ୫ ଜଣ ବାଇକ୍ ଆରୋହୀ, ଯେଉଁମାନେ ଟ୍ରକ୍ ଧକ୍କାରେ ଜୀବନ ହାରିଛନ୍ତି। କଳିଙ୍ଗା ଘାଟିରେ ପର୍ଯ୍ୟଟକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୫ ଜଣ ଗୁରୁତର ଥିଲେ, ଯେଉଁମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା।
କଳିଙ୍ଗା ଘାଟିରେ ପର୍ଯ୍ୟଟକଙ୍କର ବସ୍ ଦୁର୍ଘଟଣା ଘଟିବା ପରେ ସରକାର ସଚେତନ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଏଣିକି କଳିଙ୍ଗା ଘାଟିରେ କଡ଼ା ଚେକିଂ କରିବାକୁ ଯୋଜନା କରିଛି। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ତେବେ ରାଜ୍ୟ ସରକାର ଯାହା କରିବାକୁ ଯାଉଛନ୍ତି, ତାହା ବହୁ ପୂର୍ବରୁ କରିବାର ଥିଲା। କାରର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବାହାର ରାଜ୍ୟର ବସ୍ ଓ ଟ୍ରକ୍ଗୁଡ଼ିକ ଏଠାରେ ଦୁର୍ଘଟଣାର ସାମ୍ନା କରୁଛନ୍ତି। କୋଭିଡ-୧୯ର ପ୍ରଥମ ଲହରରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଆସିଥିବା ଗୁଜରାଟର ୨ଟି ବସ୍ କଳିଙ୍ଗାରେ ଦୁର୍ଘଟଣାର ସାମ୍ନା କରିଥିଲା।
ଗତିପଥ ଜାଣି ପାରୁନାହାନ୍ତି ଚାଳକ
ରାଜ୍ୟରେ ସଡ଼କ ଦୁର୍ଘଟଣା ହେବାର ମୂଳ କାରଣ ହେଉଛି ଅସଜଡ଼ା ରାସ୍ତା ଓ ଆମ ପ୍ରଶାସନର ଅବ୍ୟବସ୍ଥା ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ପ୍ରଥମ ଘଟଣା କଥା ଯଦି ଚିନ୍ତା କରିବା। ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଯାତ୍ରୀ ବସ୍ କଳିଙ୍ଗା ଘାଟିରେ ପ୍ରଥମ ଥର ପାଇଁ ଗଡ଼ିଥିଲା। ତେଣୁ ଘାଟି ସଂପର୍କରେ ବସ୍ର ଚାଳକ ଜାଣି ନଥିଲେ। ଅଙ୍କେଇ ବଙ୍କେଇ ହୋଇ ଯାଇଥିବା ଘାଟିର ଗତିବିଧି ଜାଣି ନଥିଲେ ଚାଳକ। ଅନ୍ୟ ରାଜ୍ୟର ବସ୍ ହୋଇଥିବାରୁ ଘାଟିରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ସତର୍କ ସୂଚନା ଦେବା ପାଇଁ ଆମ ପ୍ରଶାସନ ତରଫରୁ କେହି ନାହିଁ। ଯଦିଓ ବସ୍ ଚାଳକଙ୍କ ତ୍ରୁଟି ଥିଲା, ତଥାପି ପ୍ରଶାସନ ପକ୍ଷରୁ ତାଙ୍କୁ ସତର୍କ କରାଇବାର ଥିଲା।
କନ୍ଧମାଳ ବୁଲିଲେ, ଯାଇପାରିଲେନି ଆନ୍ଧ୍ରକୁ
ହାୱାଡା ଜିଲ୍ଲାର ଉଦୟ ନାରାୟଣପୁର ଥାନାର ସୁଲତାନପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ପଶ୍ଚିମବଙ୍ଗରୁ ବସ୍ଟି ଆସିଥିଲା। ବସ୍ରେ ଛୋଟ ପିଲା, ମହିଳା, ଯୁବକ-ଯୁବତୀ, ବୟସ୍କ, ବରିଷ୍ଠ ନାଗରିକ ତିଲେ। ମଙ୍ଗଳବାର ଦିନ ଦାରିଙ୍ଗବାଡ଼ି ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିଲେ। ଏହା ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯିବା ପାଇଁ ବାହାରିଥିଲେ। ଫୁଲବାଣୀର ବାହାରିଥିବା ବସ୍ଟି କଳିଙ୍ଗା ଘାଟିର ଅଧିକାଂଶ ରାସ୍ତା ଅତିକ୍ରମ କରିସାରିଥିଲା। ଭାଗ୍ୟର ବିଡ଼ମ୍ବନା ବିଚିତ୍ର। ଅଳ୍ପ ସମୟ ପରେ ସମତଳ ସ୍ଥାନରେ ବସ୍ଟି ପହଞ୍ଚିବା ପୂର୍ବରୁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାତ୍ରି ପ୍ରାୟ ୧୨ରେ ଘାଟିର ଶେଷ ବୁଲାଣି ପରେ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡିଥିଲା। ଅନେକ ବସ୍ ତଳେ ଚାପି ହୋଇ ରହିଯାଇଥିବା ବୋଳେ ବହୁ ଯାତ୍ରୀ ଛିଟିକି ପଡିଥିଲେ। ଚାରିଆଡେ ରକ୍ତାକ୍ତ ସହ ଯାତ୍ରୀ ମାନଙ୍କ ଆହତ ଯାତ୍ରୀ ମାନଙ୍କ ଚିତ୍କାରରେ ଅଞ୍ଚଳ ଫାଟି ଉଠିଥିଲା।
ଦୟନୀୟ ୫୫ ନଂ ଜାତୀୟ ରାଜପଥ
ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ବର୍ଷତମାମ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଛି। ପୂର୍ବ ଓ ପଶ୍ଚିମ ଭାଗକୁ ସଂଯୋଗ କରୁଥିବା ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥର ନିର୍ମାଣ କାମ ୨୦୧୭ରୁ ଆରମ୍ଭ ହୋଇଥିଲେ ବି ଏହାର ଶେଷ କେବେ ହେବ, ତାହାର ଉତ୍ତର କାହାର ପାଖରେ ନାହିଁ। ବୁଧବାର ଅପରାହ୍ନରେ ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଦ୍ରୁତଗାମୀ ଡମ୍ପର ପଛପଟରୁ ଗୋଟିଏ ବାଇକରେ ଯାଉଥିବା ୩ ଜଣ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା। ବାଇକ ଆରୋହୀମାନେ ରାଜପଥରୁ ଛିଟିକ ପଡ଼ିଥିଲେ।