ଭୁବନେଶ୍ବର: ଋତୁ ପରିବର୍ତ୍ତନ ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଋତୁ ପରିବର୍ତ୍ତନ କାରଣରୁ ଜଳବାୟୁରେ ତାରତମ୍ୟ ଦେଖାଯାଉଛି। ଠିକ ସମୟରେ ପାଗ ପରିବର୍ତ୍ତନ ହେଲେ ପୃଥିବୀ ଉପରେ କୌଣସି ପ୍ରଭାବ ପକାଇ ନଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ ହେବା କାରଣରୁ ବିଶ୍ବରେ ଅନେକ ପ୍ରକାରର ବିପର୍ଯ୍ୟୟ ହେଉଛି ବୋଲି ପରିବେଶବିତ୍ମାନେ ମତପୋଷଣ କରନ୍ତି। ଅଦିନିଆ ବର୍ଷା, ପ୍ରବଳ ଖରା, ସୁନାମୀ, ବାତ୍ୟା, ଭୂମିକମ୍ପ ହେଉଛି ଜଳବାୟୁ ପରିବର୍ତ୍ତନର ଆଉ
ଏକ କାରଣ ବୋଲି ସେମାନେ ମଦ ଦିଅନ୍ତି।
ଜଳବାୟୁର ପ୍ରବାହରେ ଶୀତଦିନରେ କୁହୁଡ଼ି ଅନୁଭୂତ ହୋଇଥାଏ। କୁହୁଡ଼ି ଯେଉଁ ସ୍ଥାନରେ ହୋଇଥାଏ, ସେଠାରେ ଚାରିଆଡ଼ କେବଳ ଧୂଆଁମୟ ହୋଇଉଠେ। ମାତ୍ର ୨୦ ମିଟର ଦୂରରେ ଥିବା ଜିନିଷପତ୍ର ମଧ୍ୟ ଦେଖାଯାଏ ନାହିଁ। ଏହି କାରଣରୁ ଛୋଟ-ବଡ଼ ଦୁର୍ଘଟଣା ଘଟିଥାଏ। କୁହୁଡ଼ି ସମୟରେ ସବୁଠାରୁ ବଡ଼ ଘଟଣା ହୋଇଥାଏ ସଡ଼କ ଦୁର୍ଘଟଣା। ଫଳରେ ବହୁ ଲୋକଙ୍କର ପ୍ରାଣହାନୀ ଘଟିଥାଏ। ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ଅକମଣ୍ୟ ହୋଇଯାଇଥାନ୍ତି। ଅଳ୍ପ କିଛି ଦିନ ମଧ୍ୟରେ ଓଡ଼ିଶା ସମେତ କିଛି ରାଜ୍ୟରେ କୁହୁଡ଼ି ଯୋଗୁଁ ଅତିକମରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି।
ବସ୍-ଟ୍ରକ୍ ମୁହାଁମୁହିଁ, ୩ ମୃତ
କ୍ୟାଲେଣ୍ଡ-୨୦୨୪ ବର୍ଷର ଦ୍ୱିତୀୟ ଦିନରେ ମଙ୍ଗଳବାର ଦିନ ସକାଳୁ ଛାତି ଥରାଇବା ଭଳି ବଡ ଦୁର୍ଘଟଣା ଘଟିଥିଲା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କଳାପୋଲ ନିକଟରେ ବାଲେଶ୍ବର ଜିଲ୍ଲା ଚାନ୍ଦବାଲି ଠାରୁ କଟକ ଅଭିମୁଖେ ଯାଉଥିବା ଏକ ଘରୋଇ ବସକୁ ସାମ୍ନାରୁ ୧୦ ଚକିଆ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୨୦ ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଅନୁସୟା ବାରିକ, ରାଜକନିକାର ନଳିନୀକାନ୍ତ ଗାହାଣ, ଓ ରାଜସ୍ଥାନର ଟ୍ରକ୍ ଡ୍ରାଇଭର ମୋହନ ଲାଲ। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ଘନ କୁହୁଡ଼ି ଯୋଉଁ ଉଭୟ ବସ୍ ଓ ଟ୍ରକ୍ ଗାଡ଼ି ଚଳାଇବାରେ ଅସୁବିଧାର ସାମ୍ନା କରିଥିଲେ ବୋଲି କୁହାଯାଉଛି।
ରାଜ୍ୟ ବାହାରେ କୁହୁଡ଼ି ନେଲା ୧୨ ଜୀବନ
କୁହୁଡ଼ି ଜନିତ ଦୁର୍ଘଟଣା କେବଳ ଓଡ଼ିଶାରେ ନୁହେଁ। ବରଂ ଅଲଗା ରାଜ୍ୟରେ ମଧ୍ୟ କୁହୁଡ଼ି ଲାଗି ଘଟୁଥିବା ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ଘଟୁଛି। ଗତମାସ ୨୬ ତାରିଖରେ ତେଲେଙ୍ଗାନା ସମେତ କିଛି ରାଜ୍ୟରେ କୁହୁଡ଼ି ହୋଇଥିଲା। ଫଳରେ ସେଦିନ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଲୋକ ଆହତ ହୋଇଥିଲେ। ତେଲେଙ୍ଗାନାରେ ଏକ ପରିବାରର ଲୋକେ ଅଳ୍ପ ସମୟ ମଧ୍ୟରେ ୨ଟି ଦୁର୍ଘଟଣାର ଶିକାର ହୋଇଥିଲେ। ନଳଗୋଣ୍ଡା ଜିଲ୍ଲା ମିରିୟାଲ ଗୋଡା ନିବାସୀ ଏକ ପରିବାରର ଲୋକେ ଗାଡ଼ି ସହିତ ତାଙ୍କର ମିନି ଭ୍ୟାନ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। କୁହୁଡ଼ି ଯୋଗୁଁ ରାଜସ୍ଥାନରେ ଗୁଜରାଟର ୩ ଜଣ କାରକୁ ଧକ୍କା ଦେଇ ଜୀବନ ହାରିଥିଲେ। ଟ୍ରକ ଉପରକୁ ମିନିବସ୍ ମାଡ଼ଯିବାରୁ ଉତ୍ତର ପ୍ରଦେଶରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଝାନସି-କାନପୁର ରାସ୍ତାରେ କୁହୁଡ଼ି ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା।
କୁହୁଡ଼ି ନେଇ ସତର୍କତା
ଆଗାମୀ ଦିନରେ ମଧ୍ୟ ରାଜ୍ୟର ଅନେକଗୁଡ଼ିଏ ସ୍ଥାନରେ କୁହୁଡ଼ିରୁ ନିସ୍ତାର ମିଳିବ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧାରୁ ଅଧିକ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୫ ଓ ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲୋକଙ୍କୁ ନାକେଦମ କରିଥିଲା। ଢେଙ୍କାନାଳ ଓ ତାଳଚେରରେ ଅତିଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତାର ଯଥାକ୍ରମେ ୩୦ ମିଟର ଓ ୪୦ ମିଟର ରହିଥିଲା। ୭ଟି ସ୍ଥାନରେ ଘନ କୁହୁଡି ଅର୍ଥାତ୍ ସୋନପୁର, ଫୁଲବାଣୀ, କୋରାପୁଟ ଓ ଖୋର୍ଦ୍ଧାରେ ଦୃଶ୍ୟମାନର ଦୂରତା ୫୦ ମିଟର, କଟକରେ ୮୦ ମିଟର, ଅନୁଗୁଳରେ ୧୦୦ ମିଟର ଓ କେନ୍ଦ୍ରାପଡାରେ ୧୫୦ ମିଟର ଥିଲା। ସେହିଭଳି ନବରଙ୍ଗପୁର, ଜଗତସିଂପୁର, ଭବାନୀପାଟଣା ଓ ପାରାଦୀପରେ ୪୦୦ ମିଟର ଦୃଶ୍ୟମାନ ହେଉଥିଲା।