ଭୁବନେଶ୍ବର: ଶ୍ରୀମନ୍ଦିରକୁ ପ୍ରତିଦିନ ଓଡ଼ିଶା ସମେତ ଦେଶ-ବିଦେଶରୁ ହଜାର ହଜାର ଭକ୍ତ ଆସୁଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭକ୍ତମାନେ ନିଜକୁ ଧନ୍ୟମନେ କରନ୍ତି। ଅନେକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀର ମଠ-ମନ୍ଦିର ଓ ସମୁଦ୍ର ବେଳାଭୂମି ବୁଲିବାକୁ ପସନ୍ଦ କରିଥାନ୍ତି। ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଥିବା ଅନେକଗୁଡ଼ିଏ ଐତିହ୍ୟ ମଠକୁ ସରକାର ଭାଙ୍ଗିଦେଲେ। ସେଠାରେ ପରିକ୍ରମା ପ୍ରକଳ୍ପ ନାମରେ ରାସ୍ତା ପ୍ରଶସ୍ତୀକରଣ ଓ ୪ଟି ଶୌଚାଳୟ ନିର୍ମାଣ କଲେ। ଅତ୍ୟାଧୁନିକ ଯୁଗରେ ଶୌଚାଳୟ ନିର୍ମାଣ କରିବା ଭଲ କଥା। କିନ୍ତୁ ପରିକ୍ରମା ପ୍ରକଳ୍ପ ନାମରେ ବ୍ୟାପକ ଭଙ୍ଗାରୁଜା, କୋଟିକୋଟି ଟଙ୍କା ଖର୍ଚ୍ଚ ଓ ରାଜ୍ୟରୁ ଲୋକଙ୍କୁ ଆଣି ଦେଖାଇବା ପ୍ରହସନ ବୋଲି ମଧ୍ୟ ଅନେକ ଚର୍ଚ୍ଚା କରୁଛନ୍ତି।
ଗତମାସ ୧୭ ତାରିଖ ଠାରୁ ପରିକ୍ରମା ପ୍ରକଳ୍ପ ଦେଖିବାକୁ ଭକ୍ତମାନଙ୍କ ମଧ୍ୟରେ ଭିଡ଼ ଜମୁଛି। ବ୍ୟକ୍ତିଗତ ଭାବେ ଭକ୍ତମାନେ ଶ୍ରୀମନ୍ଦିର ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ପରିକ୍ରମା ପ୍ରକଳ୍ପ ମଧ୍ୟ ବୁଲି ଦେଖୁଛନ୍ତି। ରାଜ୍ୟ ସରକାର ଗତ ୨୬ ତାରିଖ ଠାରୁ ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ୧୦ ହଜାର ଶ୍ରଦ୍ଧାଳୁ ପୁରୀକୁ ଆଣୁଛନ୍ତି। ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ଦର୍ଶନ କରାଯାଉଛି। ଗଞ୍ଜାମ, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣ ସରକାରୀ ବ୍ୟବସ୍ଥାରେ ପ୍ରଥମେ ପରିକ୍ରମା ପ୍ରକଳ୍ପ ବୁଲି ଆସିଥିଲେ। ଦ୍ୱିତୀୟ ଦିନରେ ଦେବଗଡ଼, କଟକ ସଦର, ସମ୍ବଲପୁର, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରୁ ଶ୍ରଦ୍ଧାଳୁ ଆସିଥିଲେ। ଏହି ପରିଭାବେ ଅନ୍ୟ ଜିଲ୍ଲାର ସାଧାରଣ ଦର୍ଶକଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସେବା ନାମରେ ମତ ସଂଗ୍ରହ
ଗତ ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହା ପୂର୍ବରୁ ରାଜ୍ୟବ୍ୟାପୀ ଅର୍ପଣ ରଥ ବୁଲିଥିଲା, ଯେଉଁଥିରେ ରାଜ୍ୟର ଗାଁଗୁଡ଼ିକ ଅରୁଆ ଚାଉଳ, ଗୁଆ, ନଡ଼ିଆ ଓ ଟଙ୍କା ଅର୍ପଣ କରିଥିଲେ। ମାତ୍ର ପ୍ରଭୁଙ୍କ ଫଟୋ ଓ ଅନ୍ୟ ଅବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ଏବଂ ବୁଦ୍ଧିଜୀବୀ ଅଭିଯୋଗ ଆଣିଥିଲେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକପ୍ରିୟତା ହାସଲ କରିବା ପାଇଁ ଏବେ ସରକାର ଗାଁରୁ ଲୋକଙ୍କୁ ପରିକ୍ରମା ପ୍ରକଳ୍ପ ଦେଖାଉଛନ୍ତି। ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ୍ ଗୁଡ଼ିକ ବୀରହରେକୃଷ୍ଣପୁର ଡାହାଣ ପାଶ୍ୱର୍ରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବା ପରେ ସେଠାରୁ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ପିଲଗ୍ରିମ ସେଣ୍ଟରକୁ ନେଉଛନ୍ତି। ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଉଛି।
ଶ୍ରଦ୍ଧାଳୁ ନିଖୋଜ, ହସ୍ପିଟାଲରେ ଭର୍ତ୍ତି
ପରିକ୍ରମା ପ୍ରକଳ୍ପରେ ଲୋକଙ୍କୁ ବୁଲାଇ ନେବା ନେଇ ସାଙ୍ଗାତିକ ଅଭିଯୋଗ ହେଉଛି। ସରକାରୀ ଟଙ୍କାରେ ଦଳୀୟ ଭିତ୍ତିରେ ପୁରୀକୁ ଲୋକଙ୍କୁ ନିଆଯାଉଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି। କିନ୍ତୁ ସାଧାରଣ ଭକ୍ତ ବଞ୍ଚିତ ହେଉଛନ୍ତି। ଅର୍ପଣ ରଥ, ଗୁଆ ଚାଉଳ ପରେ ପଞ୍ଚାୟତରୁ ପୁରୀକୁ ଲୋକଙ୍କୁ ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବାକୁ ଆସିଥିବା ବାଲେଶ୍ୱର ସହରର ୧୬ ନମ୍ବର ୱାର୍ଡ ନିବାସୀ ଦେବକୀ ଜେନା ୫ ଦିନ ହେଲା ନିଖୋଜ ଅଛନ୍ତି। ତାଙ୍କ ପତ୍ତା ମିଳି ନାହିଁ। ନିଖୋଜ ନେଇ ଜିଲ୍ଲା ପ୍ରଶାସନ ମୁହଁ ଖୋଲି ନାହିଁ। ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ପୁରୀରୁ ଫେରିବା ପରେ ଦେବକୀଙ୍କ ପରିବାର ଲୋକେ ସ୍ଥାନୀୟ କାଉନ୍ସିଲରଙ୍କ ସହଯୋଗ ଲୋଡ଼ିଥିଲେ। ମାତ୍ର ସେ ସହଯୋଗ କରିବେ କ’ଣ ଓଲଟା ପ୍ରଶ୍ନ କରିଥିଲେ। ଅନ୍ୟପଟରେ ରାୟଗଡ଼ାରୁ ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯାଉଥିବା ୪୨ ଜଣଙ୍କର ଶ୍ରଦ୍ଧାଳୁ ବସ୍ ଗଡ଼ଖୋର୍ଦ୍ଧାରେ ଶୁକ୍ରବାର ଭୋର ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଟ୍ରକ୍ ସହିତ ଦୁର୍ଘଟଣାର ସାମ୍ନା କରିଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରୁ ୨୦ ଜଣ ଡାକ୍ତରଖାନାକୁ ଚିକିତ୍ସିତ ହେବା ପାଇଁ ଯାଇଛନ୍ତି।
ରାଜନୈତିକ କଳି
ଦଳୀୟ ଭିତ୍ତିରେ ବାଛି ବାଛି କର୍ମୀଙ୍କୁ ପୁରୀ ନିଆଯାଉଛି ବୋଲି ଅଭିଯୋଗ। ଗରିବ ଓ ଅସହାୟଙ୍କୁ ଏନେଇ ସୂଚନା ବି ମିଳୁ ନାହିଁ। ଅନେକ ଲୋକ ନିଜ ଆଡୁ ଏ ସଂପର୍କରେ ପଚାରିଥିଲେ ମଧ୍ୟ ଜନ ପ୍ରତିନିଧି କିମ୍ବା ନୋଡେଲ ଅଫିସର ସୂଚନା ଦେଉ ନଥିବା ଅଭିଯୋଗ ଆସିଛି। ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ପ୍ରସାର ଅଭିଯୋଗକୁ ନେଇ ତେଜିଛି ରାଜନୀତି। ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ୧୫୬ କୋଟି ଖର୍ଚ୍ଚ କରିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା। ସେଥିରୁ ୨୦ କୋଟି ଟଙ୍କା କେବଳ ଲୋକ ନେବା ଆଣିବା ପାଇଁ ଖର୍ଚ୍ଚ ହେବ। ଆସନ୍ତା ୨୨ ତାରିଖ ଯାଏଁ ଚାଲିବ। ବିଜେପି କହିଛି ଭୋଟ ବ୍ୟାଙ୍କ ବଢାଇବାକୁ ସରକାରୀ ଟଙ୍କାରେ ଦଳୀୟ କର୍ମୀଙ୍କୁ ପୁରୀ ବୁଲାଉଛନ୍ତି ସରକାର। କଂଗ୍ରେସ ମଧ୍ୟ କହିଛି ପରିକ୍ରମା ପ୍ରକଳ୍ପ ଅନିୟମିତତା ଲୁଚାଇବାକୁ ସରକାରଙ୍କ ଏହା ଭାଣ୍ଡାମୀ। ତେବେ କାର୍ଯ୍ୟକ୍ରମ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ସଫେଇ ଦେଇଛି ବିଜେଡି।