Tuesday, September 10, 2024
Homeକେତେଦିନ ଚାଲିବ ବଜେଟ ଅଧିବେଶନ
Array

କେତେଦିନ ଚାଲିବ ବଜେଟ ଅଧିବେଶନ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ-୨୦୨୩ ଆରମ୍ଭ ହୋଇଯାଇଛି। ଷୋଡ଼ଶ ବିଧାନସଭାର ଦ୍ବାଦଶ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୬ ତାରିଖ ଯାଏ ଚାଲିବ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ତାରିଖ ଯାଏ ହେବ। ଦ୍ବିତୀୟ ପର୍ଯ୍ୟାୟ ୧୦ ତାରିଖରୁ ଆରମ୍ଭ ହେବ। ଅଧିବେଶନରେ ମୋଟ୍ ୨୭ଟି କାର୍ଯ୍ୟଦିବସ ରହିଛି। ବିଧାନସଭା ଏଭଳି ଏକ ସ୍ଥାନ ଯେଉଁଠି ରାଜ୍ୟର ଆବଶ୍ୟକତାକୁ ନେଇ ବିଧାୟକମାନେ ଦାବି ରଖନ୍ତି। ରାଜ୍ୟର ଅଭାବ ସଂପର୍କରେ ଏଠି ଚର୍ଚ୍ଚା ହୋଇଥାଏ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ବିଧାନସଭାର ଅତୀତର ରେକର୍ଡ ମନରେ ସନ୍ଦେହ ହେଉଛି ଯେ, ଏଥର ପୂରା ଅଧିବେଶନ ଚାଲିପାରିବ ତ? ଆସନ୍ତା ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରାଯିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରଙ୍କ ଏହା  ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ।

ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଥିଲେ। ଗୃହରେ ରାଜ୍ୟପାଳ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟପାଳ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ସେହିପରି ରାଜ୍ୟ ସରକାର ସୁଚାରୁ ରୂପେ ପୁରୁଷ ହକି ବିଶ୍ବକପ୍  ଆୟୋଜନ ସହିତ ଅନ୍ୟ ବିକାଶମୂଳକ ଯୋଜନା ସଂପର୍କରେ ମଧ୍ୟ କହିଥିଲେ।

ମାତ୍ର ୮ଦିନରେ ଅଧିବେଶନ ଶେଷ

ଗତ ଥର ଶୀତକାଳୀନ ଅଧିବେଶନ ନଭେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବାର ଥିଲା। ମାତ୍ର ୮ ଦିନର କାର୍ଯ୍ୟ ପରେ ଶେଷ କରିଦିଆଗଲା। ଆଠ ଦିନ ମଧ୍ୟରେ ଚାଷୀ ପ୍ରସଙ୍ଗ ଓ ଅର୍ଚ୍ଚନା ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ହଙ୍ଗାମା କରିଥିଲେ। ସେହିପରି ଶିକ୍ଷକ ସଂଘର ଆନ୍ଦୋଳନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ପାଇଁ ବାଚସ୍ପତି ଶ୍ରୀ ବାରମ୍ବାର ଗୃହକୁ ମୁଲତବି ରଖିଥିଲେ। ଶୀତକାଳୀନ ଅଧିବେଶନରେ ମାତ୍ର ୩ଟି ବିଲ୍ ପାସ ହୋଇଥିଲା।

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଶେଷ

-୨୦୧୮ରେ ଶୀତକାଳୀନ ଅଧିବେଶନ ୨୦ ଦିନ ପୂର୍ବରୁ ଶେଷ
-୨୦୧୯ରେ ମୌସୁମୀ ଅଧିବେଶନ ୫ଦିନ ପୂର୍ବରୁ ଶେଷ
-୨୦୧୯ରେ ଶୀତକାଳୀନ ଅଧିବେଶନ ୨ ଦିନ ପୂର୍ବରୁ ଶେଷ
-୨୦୨୧ରେ ଶୀତକାଳୀନ ଅଧିବେଶନ ୨୦ ଦିନ ପୂର୍ବରୁ ଶେଷ
-୨୦୨୨ରେ ମୌସୁମୀ ଅଧିବେଶନ ୩ ଦିନ ପୂର୍ବରୁ ଶେଷ

ଦିବଙ୍ଗତଙ୍କୁ ବିରୋଧୀଙ୍କ ସମ୍ମାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ତିନି ଦିବଙ୍ଗତ ସଦସ୍ୟ ‘ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସ, ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଓ ଗଙ୍ଗାଧର ଦାସ’ଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ଏହାପରେ ଦିବଙ୍ଗତ ସଦସ୍ୟମାନଙ୍କ ଶ୍ରଦ୍ଧାଞ୍ଜଳି ଦେବା ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବିଧାନସଭାକୁ ଆସନ୍ତାକାଲି (୨୦୨୩ ଫେବ୍ରୁଆରି ୨୨) ପୂର୍ବାହ୍ନ ୧୦ଟା ଯାଏ ମୁଲତବି ଘୋଷଣା କରାଯାଇଥିଲା।

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀଙ୍କ ବିରୋଧ

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀମାନେ ବିରୋଧ କରିଥିଲେ। ବିଜେପି ଏହାକୁ ବର୍ଜନ କରିଥିଲା। ଦୂର ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା କକ୍ଷପଥରେ ହାତରେ ପ୍ଲାକାର୍ଡ ଧରି ଧାରଣା ଦେଇଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଆମେ ସିବିଆଇ ତଦନ୍ତ ଦାବି କରିଥିଲୁ। ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କହୁଥିବାରୁ ଆମେ କକ୍ଷତ୍ୟାଗ କରିଛୁ। ଅନ୍ୟପଟରେ କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ଛିଡ଼ା ହୋଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ପ୍ରତିବାଦ କରିବା ସହ ହଟ୍ଟଗୋଳ କରୁଥିବାର ଦେଖିବାକୁ ମିଳିଥିଲା। ନବ ଦାସ ହତ୍ୟାକାଣ୍ଡର ପର୍ଦାଫାସ କରା ନ ଯିବା ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଦର୍ଶାଇ ପ୍ରଥମେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments