ଭୁବନେଶ୍ୱର: ବିଗତ ୭ ମାସ ମଧ୍ୟରେ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଇଥିବା ୧୫ ଜଣ ଓଡ଼ିଆ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ ଓ ବାହାର ରାଜ୍ୟରୁ ପ୍ରାୟ ୨୦୦ରୁ ଅଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଏବଂ ରାୟଗଡ଼ା ଅଂଚଳର । ରାଜ୍ୟରେ ରୋଜଗାର ସମସ୍ୟା ଯୋଗୁଁ ଲୋକେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବାହାର ରାଜ୍ୟରେ ଅଧିକାଂଶ ପ୍ରବାସୀ ଓଡ଼ିଆ ସେଠାକାର କଂପାନୀ ହେଉ କି ମାଲିକ ହେଉ, ନିର୍ଯାତନାର ଶିକାର ହେଉଛନ୍ତି । କିଛି କ୍ଷେତ୍ରରେ ନର୍ଯାତନାର ମାତ୍ରା ଟପିଯାଉଛି ।
ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଗୋଟିଏ ପରେ ଗୋଟିଏ ଆସୁଛି । ଦାଦନ ଶ୍ରମିକମାନେ ବାହାର ରାଜ୍ୟରେ ମୃତ୍ୟୁ ମୁଖରେ ପଡ଼ିବା ନୂଆ ଘଟଣା ନୁହେଁ । କିନ୍ତୁ ରାଜ୍ୟ ସରକାର ଏଥି ପ୍ରତି ସଚେତନ ନୁହଁନ୍ତି କହିଲେ କିଛି ଭୁଲ ହେବ ନାହିଁ । କାରଣ ଯେତେବେଳେ ବଡ଼ଧରଣର ଦୁର୍ଘଟଣା ଘଟୁଛି ଅଥବା ମୃତ୍ୟୁ ହେଉଛି, ସେହି ସମୟରେ ମୃତକଙ୍କ ପରିବାରକୁ ସମବେଦନା ଓ କିଛି ଟଙ୍କା ସହାୟତା ଦେଇଦେଇ ଚୁପ ରହୁଛନ୍ତି ସରକାର । ବାହାର ରାଜ୍ୟକୁ ଓଡ଼ିଆ ଶ୍ରମିକ ନଯିବା ପାଇଁ ସେମିତି କିଛି ବନ୍ଦୋବସ୍ତ କରିନାହାନ୍ତି । ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ କର୍ମ ଯୋଗାଇବା ପାଇଁ ସରକାର ସେଭଳି ଆଖି ଦୃଶିଆ ବ୍ୟବସ୍ଥା କରିପାରି ନାହାନ୍ତି ।
ରାତିରେ ଶୋଇଥିଲେ, ଜଳିଗଲେ
ଚଳିତ ମାସ ୨୯ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୬ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ରାତିରେ ଖାଇସାରି ଗେଷ୍ଟ ହାଉସ୍ରେ ଶୋଇଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ସମସ୍ତେ ଜଳିଯାଇଥିଲେ । କାରଣ ଏମାନେ ଯେଉଁଠାରେ ଶୋଇଥିଲେ, ସେଠାରେ ରାସାୟନିକ ଦ୍ରବ୍ୟ ମହଜୁଦ ଥିଲା । ଫଳରେ ନିଆଁ ହୁ ହୁ ଜଳିଥିଲା । ସବୁଠାରୁ ଦୁଃଖର ବିଷୟ ହେଲା ଯେ, ମୃତକମାନଙ୍କ ମଧ୍ୟରେ ୪ ଜଣ ଅଛନ୍ତି ନାବାଳକ ଦାଦନ । ମୃତକମାନଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତଗର୍ତ ଝୁମ୍ପାପୁର ଗ୍ରାମର ଓ ଅନ୍ୟ ଜଣେ ଗଜପତି ଜିଲ୍ଲାର ଜିରାଙ୍ଗ ନିବାସୀ । ଏକ ଚିଙ୍ଗୁଡ଼ି କାରଖାନାରେ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟିବାରୁ ୬ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଦାଦନ ଶ୍ରମିକ ମାନେ ୩ ମାସ ପୂର୍ବରୁ ଅନ୍ୟ ୬ ଜଣଙ୍କ ସହିତ ଦଲାଲ ମାଧ୍ୟମରେ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ଏବାବଦରେ ଶ୍ରମ ବିଭାଗ ପାଖରେ ଖବର ନାହିଁ ।
ଜୁଲାଇ ମାସରେ ୨ୟ ଘଟଣା
ଚଳିତ ମାସରେ ଦାଦନ ମୃତ୍ୟୁ ଜନିତ ଘଟଣା ଏହା ହେଉଛି ଦ୍ୱିତୀୟ । କିଛି ଦିନ ପୂର୍ବରୁ ତାମିଲନାଡୁର ତ୍ରିପୁର ଜିଲ୍ଲା ଅବିନାଶୀ ଗାଁରେ ଏକ କପଡ଼ା କାରଖାନାରେ ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଖଳିଗୁଡ଼ା ଗ୍ରାମର ଦୀପ୍ତିପ୍ରକାଶ ରୂପଚାନ୍ଦଙ୍କ ପୁଅ ଉରିଆ ରୂପଚାନ୍ଦ(୨୬)ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଉରିଆ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ଘଟଣା ଦିନ ରବିବାର ସାପ୍ତାହିକ ଛୁଟି ଥିବାରୁ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାକୁ ଯାଇଥିଲା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଦୁଃଖର ବିଷୟ ହେଲା ଉରିଆଙ୍କ ପତ୍ନୀ ଏବେ ୬ ମାସର ଗର୍ଭବତୀ ଅଛନ୍ତି ଏବଂ ସେ ଅନ୍ୟ ୨ ସନ୍ତାନକୁ କେମିତି ବଡ଼ କରିବେ, ସେନେଇ ଚିନ୍ତିତ ଅଛନ୍ତି ।
ବାହାର ରାଜ୍ୟରେ ଓଡ଼ିଆ ଶ୍ରମିକ ନିର୍ଯାତିତ
ସୁସ୍ଥ ଜୀବନଯାପନ କରିବା ପାଇଁ ଦାଦନ ଶ୍ରମିକମାନେ ଅନେକ ସମୟରେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ରାଜ୍ୟରେ କାମ ଯୋଗାଇ ଦେବାକୁ ଅନେକ ଗୁହାରି କରିଛନ୍ତି । କିନ୍ତୁ ସରକାର ତାହା ଉପଲବ୍ଧ କରିପାରି ନାହାନ୍ତି । ଗତ ମେ’ ମାସରେ ମାଲକାନଗିରି ଜିଲ୍ଲା କାଳିମେଳା ଅଂଚଳର ମିଥୁନ ସରକାର ନାମକ ଜଣେ ଦାଦନ ଶ୍ରମିକ ଗୋଆ ଅଂଚଳରୁ ଥାଇ କିପରି ହଇରାଣ ହୋଇଥିଲେ, ତାହା ସୋସିଆଲ ମିଡିଆର ଜଣାପଡ଼ିଥିଲା । ମିଥୁନ ଗୋଆରେ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିଲେ ଏବଂ ଲକଡାଉନ ଯୋଗୁଁ ଚାକିରି ଯିବା ପରେ ବହୁ କଷ୍ଟରେ ବଂଚୁଥିଲେ । ଆଜିର ଦିନରେ ଓଡ଼ିଶାର ଲକ୍ଷାଧିକ ଦାଦନମାନେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ଛତିଶଗଡ଼, ଆସାମ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ କାମ କରି ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।