Wednesday, December 11, 2024
Homeକେନ୍ଦୁଝର ଓ ନୂଆପଡ଼ାରେ ବାଘ ଆତଙ୍କ!
Array

କେନ୍ଦୁଝର ଓ ନୂଆପଡ଼ାରେ ବାଘ ଆତଙ୍କ!

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ପଶୁ ବାଘର ଉପସ୍ଥିତି ଯଦିଓ ଉତ୍ସାହଜନକ ନୁହେଁ, ତଥାପି ରାଜ୍ୟ ସରକାର ଏହାକୁ ସ୍ୱୀକାର କରନ୍ତି ନାହିଁ । ବିଗତ ଦିନରେ କରାଯାଇଥିବା ବ୍ୟାଘ୍ର ଗଣନା ରିପୋର୍ଟ ନେଇ ଉଭୟ ସରକାର ଓ ବନ ବିଭାଗ ଖୁସି ଅଛନ୍ତି । ମୟୂରଭଂଜର ଶିମିଳିପାଳ ଓ ଅନୁଗୁଳର ସାତକୋଶିଆରେ ବ୍ୟାଘ୍ର ଗତିବିଧି ଆଦୌ ଦେଖାଯାଉ ନଥିଲା ବେଳେ କେନ୍ଦୁଝର ଓ ନୂଆପଡ଼ାରେ କିଛିଦିନ ହେବ ବାଘ ଆତଙ୍କ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ାଉଛି । ବିଗତ ଏକ ମାସ ହେଉ ଉଭୟ କେନ୍ଦୁଝର ଓ ନୂଆପଡ଼ାରେ ବାଘ ଲୋକଙ୍କର ନିଦ ହଜାଇ ଦେଇଛି । କେନ୍ଦୁଝରରେ ଗୋଟିଏ ଦିନରେ ବାଘ ୪ଟି ମଇଁଷି ଖାଇଛି । ସେହିପରି ନୂଆପଡ଼ାରେ ମଣିଷ ଓ ବାଛୁରୀର ଜୀବନ ନେଉଛି ବାଘ ।

କେନ୍ଦୁଝର ଓ ନୂଆପଡ଼ାରେ ବାଘର ଉପସ୍ଥିତି ବିଷୟରେ ସ୍ଥାନୀୟ ବନ ବିଭାଗ ଅବଗତ ହୋଇଛି । କିନ୍ତୁ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରିନାହିଁ । ସଂଜ ନଇଁଲେ ଲୋକେ ଘର ଭିତରେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଭୟଭୀତ ଲୋକଙ୍କ ଦ୍ୱାରା ଅଭିଯୋଗ ହୋଇଥିଲେ ବି କେହି ଶୁଣୁନାହାନ୍ତି । ତେଣୁ ଆଗାମୀ ଦିନରେ ଏହି ଅଞ୍ଚଳର ଲୋକଙ୍କ ପାଇଁ ବଡ଼ ବିପଦ ନହେବ, ତାହା କେହି କହିପାରିବେ ନାହିଁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଉପଯୁକ୍ତ ବ୍ୟବସ୍ଥା କରାଯାଇପାରିଲେ ବାଘ ସୁରକ୍ଷିତ ରହିବା ସହ ଲୋକଙ୍କର କୌଣସି କ୍ଷୟକ୍ଷତି ହେବ ନାହିଁ ।

ଜଙ୍ଗଳରେ ଜଳ ଅଭାବ

ପ୍ରତିବର୍ଷ ଜୁନ ୫ ତାରିଖ (ବିଶ୍ୱ ପରିବେଶ ଦିବସ) ପରଠାରୁ ଅକ୍ଟୋବର ଯାଏ ଲକ୍ଷାଧିକ ବୃକ୍ଷରୋପଣ କରାଯାଉଛି । ଏଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ବର୍ଷକ ପରେ କେତେ ଗଛ ବଞ୍ଚିଲା ତାହାର ଆକଳନ ହେଉନାହିଁ । ବରଂ ଉଭୟ ବନ ବିଭାଗ ଓ ସରକାର କହୁଛନ୍ତି, ଜଙ୍ଗଲର ବୃଦ୍ଧି ଘଟୁଛି । ଯଦି ଜଙ୍ଗଲ ବୃଦ୍ଧି ହୁଅନ୍ତା ତା’ହେଲେ ବାଘ ଓ ହାତୀମାନେ ଖାଦ୍ୟ ଅନ୍ମେଷଣରେ ଗାଁ ଅଭିମୁଖେ ଆସନ୍ତେ ନାହିଁ । ପ୍ରକୃତ କଥା ହେଲା ଜଙ୍ଗଲ ଅବକ୍ଷୟ ଯୋଗୁଁ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଉଛି । ତେଣୁ ଅଳ୍ପ କିଛି ଥିବା ବାଘମାନେ ଜନବସତି ଅଞ୍ଚଳକୁ ଆସିଯାଉଛନ୍ତି । ସାମ୍ନାରେ ଯାହାପଡୁଛି, ତାକୁ ଆକ୍ରମଣ କରୁଛନ୍ତି । ଜଙ୍ଗଲୀଜନ୍ତୁ ପଦାକୁ ବାହାରିଆସିବାର ଅନ୍ୟ ଏକ କାରଣ ହେଲା, ପୂର୍ବରୁ ଥିବା ଝରଣା, ନିଝର ଓ ଜଳାଶୟରେ ପାଣି ଶୁଖିଯାଉଛି । ପାଣି ପାଇଁ ବ୍ୟାକୁଳ ହୋଇ ଜୀବଜନ୍ତୁ ଗାଁ ଅଭିମୁଖେ ବାହାରି ଆସୁଛନ୍ତି ।

ଓଡ଼ିଶାରେ କେତେ ବାଘ?

ଭାରତରେ ବ୍ୟାଘ୍ୟ ସଂରକ୍ଷଣ ପାଇଁ ୧୯୭୩ ମସିହାରେ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତି କରାଯାଇଥିଲା । ଏବେ ପୂରା ଭାରତରେ ପ୍ରାୟ ୩୦୦୦ ମହାବଳ ବାଘ ଅଛନ୍ତି । ବିଶ୍ୱରେ ଯେତିକି ମହାବଳ ବାଘ ଅଛନ୍ତି, ସେଥିରୁ ୭୦ ପ୍ରତିଶତ କେବଳ ଭାରତରେ ଅଛନ୍ତି । ଓଡ଼ିଶାରେ ବ୍ୟାଘ୍ର କଥା ମନକୁ ଆସିଲେ ପ୍ରଥମେ ଶିମିଳିପାଳ ଓ ପରେ ସାତକୋଶିଆ ମନକୁ ଆସେ । ୨୦୧୬ର ତଥ୍ୟ ଅନୁସାରେ ଶିମିଳିପାଳରେ ୨୯ଟି ବାଘ ଥିଲେ । ଏବେ କେତେ ଅଛନ୍ତି, ସେହି ତଥ୍ୟ ଜଣାପଡ଼ି ନାହିଁ । ସାତକୋଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ । ସେଥି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଆଣିଥିଲେ । କିନ୍ତୁ ସୁନ୍ଦରୀ ବାରମ୍ବାର ମଣିଷ ଓ ପ୍ରାଣୀମାନଙ୍କୁ ଆକ୍ରମଣ କରିବାରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଶେଷରେ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ଦିଆଗଲା ।  ୯୬୩ ବର୍ଗ କିଲୋମିଟର ବିଶିଷ୍ଟ ସାତକୋଶିଆ ଅଭୟାରଣ୍ୟରେ ବାଘ ଅଛନ୍ତି କି ନାହିଁ, ତାହା ବି ସନ୍ଦେହ ଘେରରେ ।

ନୂଆପଡ଼ାରେ ବାଘ ନା କଲରାପତରିଆ

ନୂଆପଡ଼ା ସଦର ଓ କୋମନା ବ୍ଲକରେ ତିନି ସପ୍ତାହ ମଧ୍ୟରେ ବାଘ ଜଣେ ମଣିଷ ଓ ୮ଟି ଗୃହପାଳିତ ପ୍ରାଣୀଙ୍କୁ ମାରି ଖାଇଛି । ଏହା ସତ୍ତ୍ୱେ ବନବିଭାଗ ଲୋକମାନଙ୍କୁ ସୁରକ୍ଷା ଦେଇପାରୁ ନାହିଁ । ମଣିଷ ଓ ପ୍ରାଣୀମାନଙ୍କୁ କେଉଁ ପ୍ରଜାତିର ବାଘ ଆକ୍ରମଣ କରୁଛି, ସେ ବିଷୟରେ ବନ ବିଭାଗ ପାଖରେ ତଥ୍ୟ ନାହିଁ । ଗତ ୨୪ ତାରିଖ ରାତିରେ ବାଘକୁ କିଛି ଲୋକ ଦେଖିଥିଲେ । ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ସୁନାବେଡ଼ା ଅଭୟାରଣ୍ୟ ଜଳମଡେଇ ଗ୍ରାମର ସନମତୀ ବାରିକ (୬୫)ଙ୍କୁ ବାଘ ଟାଣି ନେଇ ମାରି ଦେଇଥିଲା ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments