Wednesday, September 18, 2024
Homeକେବେ ଶେଷ ହେବ ଟ୍ରିପଲ୍ ତଲାକ୍‌? 
Array

କେବେ ଶେଷ ହେବ ଟ୍ରିପଲ୍ ତଲାକ୍‌? 

ଭୁବନେଶ୍ୱର: ଭାରତରେ ଟ୍ରିପଲ (ତିନି) ତଲାକ ଅସାମ୍ବିଧାନିକ । ଭାରତୀୟ ସୁପ୍ରିମ୍‌କୋର୍ଟ ୨୦୧୭ ଅଗଷ୍ଟ ୨୨ ତାରିଖରେ ଏହା କହିଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ତିନି ତଲାକକୁ ଅସାମ୍ବିଧାନକ ଉପରେ ମତ ପ୍ରକାଣ କରିଛନ୍ତି । ୨୦୧୯ ଜୁଲାଇ ୩୦ ତାରିଖରେ ଭାରତୀୟ ସଂସଦ ଘୋଷଣା କରିଥିଲେ ଯେ, ତିନି ତଲାକ ବେଆଇ ଏବଂ ଅସାମ୍ବିଧାନିକ । ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ବିଶ୍ୱବ୍ୟାପୀ ୨୩ଟି ପ୍ରମୁଖ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଭାରତର ପ୍ରମୁଖ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ତିନି ତଲାକ ଉପରେ ନିଷିଦ୍ଧାଦେଶ ଜାରି ହୋଇଛି । କୁରାନରେ ଯଦିଓ ଛାଡ଼ପତ୍ର ନେଇ ଉଲ୍ଲେଖ ରହିଛି, ତଥାପି ଏହାରି ଉପରେ ପୁନଃବିଚାର ପାଇଁ ନିର୍ଦ୍ଧାରିତ ସମୟକୁ ଅପେକ୍ଷା କରିବାକୁ ନିର୍ଦ୍ଦେଶ ରହିଛି ।

୨୦୧୯ ମସିହା ଜୁଲାଇ ମାସରେ ସଂସଦରେ ତିନି ତଲାକ ନେଇ ବିଲ୍ ପାସ ହେଲା ପରେ ଦେଶରେ ବଡ଼ ପ୍ରସଙ୍ଗ ହୋଇଥିଲା । ଏହାକୁ ନେଇ ସେହି ସମୟରେ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ଅନେକ ରାଜ୍ୟରେ ବିଭିନ୍ନ ସଂଗଠନଗୁଡ଼ିକ ପକ୍ଷରୁ ବିରୋଧ କରାଯାଇଥିଲା । କିଛି ରାଜନୈତିକ ଦଳ ମଧ୍ୟ ବିରୋଧ କରିଥିଲେ । ଅନ୍ୟପଟରେ ମହିଳାଙ୍କ ସୁରକ୍ଷା ପାଇଁ ଏହି ଆଇନ୍ ବ୍ୟବସ୍ଥା ଲାଗୁ କରାଯିବା ଦ୍ୱାରା ବୁଦ୍ଧିଜୀବୀ ମହଲାରେ ପ୍ରଶଂସା କରାଯାଇଥିଲା । ତେବେ ତିନି ତଲାକ ବିଲ୍ ୪ ବର୍ଷ ପୂର୍ବରୁ ପାସ୍ ହୋଇଥିଲେ ବି ଆଜି ମଧ୍ୟ ଆମ ସମାଜରୁ ସଂପୂର୍ଣ୍ଣ ରୂପେ ଶେଷ ହୋଇପାରି ନାହିଁ । ଏହି ୪ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ତିନି ତଲାକ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।  

କାର ଓ ଟଙ୍କା ପାଇଁ ନଗଦ ମାଗିଲେ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ତିନି ତଲାକର ଏକ ନୂଆ ମାମଲା ଆସିଛି । ଯୌତୁକ ବାବଦରେ ୭ ସିଟ ବିଶିଷ୍ଟ ବିଳାସମୟ କାର ଏବଂ ୧୦ ଲକ୍ଷ ଟଙ୍କା ନମିଳିବାରୁ ପତ୍ନୀଙ୍କୁ ପତି ତିନି ତଲାକ ଦେଇଛି । ପୀଡିତ ମହିଳା ଏନେଇ ପତିଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ୨୦୧୯ରେ ଫହରୀନଙ୍କ ବିବାହ ଆଜମଗଡ଼ ନିବାସୀ ଫୈଜଲ ହସନଙ୍କ ସହିତ ହୋଇଥିଲା । ଏହି ସମୟରେ ବିବାହରେ ଝିଅର ପରିବାର ଲୋକେ ଯୌତୁକ ବାବଦରେ ଏକ କାର ଏବଂ ୨୫ ଲକ୍ଷ ଟଙ୍କା ଦେଇଥିଲେ । ଅଭିଯୋଗ ହୋଇଛି ଯେ, ବିବାହ ପରେ ଫହରୀନଙ୍କ ଶ୍ୱଶୁର ଘର ଲୋକେ ସବୁ ସଂପତ୍ତି ରଖି ନେଇଥିଲେ । ୨୦୨୨ ରେ ଫହରୀନଙ୍କୁ ଏକ ବିଳାସମୟ କାର ସହିତ ନଗଦ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଫରହୀନ କହିଥିଲେ ଯେ, ନିଜ ପିତାଙ୍କ ତରଫରୁ ଯୌତୁକ ଦେଇପାରିବେ ନାହିଁ । ତେଣୁ ଫହରୀନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା । ଶେଷରେ ଫହରୀନଙ୍କୁ ଶ୍ୱଶୁର ଘର ଲୋକେ ବାହାର କରିଦେଇଥିଲେ ।

କଟକରେ ବି ତିନି ତଲାକ୍ ମାମଲା

ଭାରତୀୟ ସଂସଦରେ ତିନି ତଲାକ୍ ଆମ୍ବିଧାନିକ ଘୋଷଣା ହେଲା ପରେ ଓଡ଼ିଶାରେ ୨୦୨୦ ଜାନୁଆରି ୮ ତାରିଖରେ ପ୍ରଥମ ମାମଲା ଆସିଥିଲା । ଏନେଇ କଟକସ୍ଥିତ ମହିଳା ଥାନାରେ ଅଭିଯୋଗ ହେଲା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା । ଅଭିଯୋଗ ଅନୁସାରେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ସେକ୍ ବାବରଙ୍କ ଝିଅ ମୁନି ଖାତୁନ ୨୦୧୧ରେ କଟକର ଦିୱାନ ବଜାର ଅଞ୍ଚଳର ହବିବ୍ ଖାଁଙ୍କ ପୁଅ ବର୍କତୁଲ୍ଲା ଖାଁଙ୍କୁ ବିବାହ କରିଥିଲେ । ସେହି ସମୟରେ ସେମାନଙ୍କର ୩ଟି ପୁଅ ଜନ୍ମ ହୋଇଥିଲେ । ପାରିବାରିକ କଳହ କାରଣରୁ ବର୍କତୁଲ୍ଲାଙ୍କୁ ପରିବାର ଲୋକେ ଘରେ ରହିବାକୁ ଅନୁମତି ଦେଉ ନଥିଲେ । ତେଣୁ ସେ ସ୍ତ୍ରୀ ଓ ପିଲାଙ୍କୁ ନେଇ ବିଭିନ୍ନ ସମୟରେ କଟକ ଓ ଭୁବନେଶ୍ୱରରେ ରହୁଥିଲେ । କପଡ଼ା ବ୍ୟବସାୟ ସହିତ ହୋଟେଲରେ କାମ କରୁଥିଲେ । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଯେଉଁଥି ପାଇଁ ସ୍ତ୍ରୀଙ୍କୁ ସ୍ୱାମୀ ଫୋନ୍‌ରେ ତିନି ତଲାକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।  

ସଚେତନତା ଦରକାର

ପ୍ରଭାବଶାଳୀ ବ୍ୟକ୍ତିମାନେ ତିନି ତଲାକକୁ ଭଲ ବ୍ୟବସ୍ଥା ବୋଲି ମନେ କରନ୍ତି । ରକ୍ଷଣଶୀଳ ସମାଜରେ ବସବାସ କରୁଥିବା ଲୋକମାନେ ଏହାର ସମର୍ଥନରେ ନ ଥିଲେ ବି ଖୋଲାଖୋଲି ବିରୋଧ କରିପାରୁ ନାହାନ୍ତି । ଯେଉଁମାନେ ତିନି ତଲାକର ସାମ୍ନା କରୁଛନ୍ତି, ସେମାନେ ରାଜରାସ୍ତାକୁ ଆସି ବିରୋଧ କଲେ, ଏହା ଶେଷ ହୋଇପାରିବ । ଏଥି ପାଇଁ ପୀଡିତ ମହିଳାମାନେ ମୁହଁ ଖୋଲିବାକୁ ହେବ । ପୁରୁଷ ସମାଜକୁ ବୁଝିବାକୁ ହେବ । ମହିଳାଙ୍କର ମାନସିକତାକୁ ସହୃଦୟତାର ସହିତ ନେବାକୁ ହେବ । ଅନ୍ୟଥା ଆଇନକାନୁନ୍ ତିନି ତଲାକ କୁପ୍ରଥାକୁ ରୋକିପାରିବ ନାହିଁ । ସର୍ବୋପରି ମନୁଷ୍ୟ ମନରେ ମାନବିକତାର ଜାଗରଣ ସୃଷ୍ଟି ହୋଇପାରିଲେ ରୋକ ଲାଗିପାରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments