ଭୁବନେଶ୍ୱର: ଚୀନରେ ପୁଣି ଥରେ କରୋନା ଭାଇରସ୍ ସକ୍ରିୟ ହୋଇଛି। ସାଢ଼େ ୨ କୋଟି ଜନବସତିର ସହର ‘ଶାଙ୍ଘାଇ’ରେ ଲକ୍ଡାଉନ୍ ହୋଇଛି। ଏତଦ୍ ବ୍ୟତୀତ ଚୀନ୍ର ଅନ୍ୟ ସହରଗୁଡ଼ିକରେ ମଧ୍ୟ କରୋନା ଭୟଜାତ ହୋଇଛି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଯଦିଓ କରୋନା ଏବେ ସେହିଭଳି ସକ୍ରିୟ ନାହିଁ, ତଥାପି ଭାରତ ପାଇଁ କରୋନା ପୁଣି ଥରେ ଚିନ୍ତା ବଢ଼ାଇଛି। ଦେଶରେ କିଛି ଦିନ ହେଲା କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି। ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଉପକଣ୍ଠରେ ଥିବା ସହରଗୁଡ଼ିକରେ ପଜିଟିଭିଟି ଦର ବଢ଼ିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାରେ କୋଭିଡ-୧୯ ସ୍ଥିରତା ଥିବା ବେଳେ ଲୋକଙ୍କୁ ଏବେଠାରୁ ସତର୍କତାର ସହିତ ଯିବା ଆସିବା ଉଚିତ। ଅଥଚ ଗତବର୍ଷ ମେ’ ମାସ ୫ ତାରିଖରେ ଯେଭଳି ଲକ୍ଡାଉନ୍ ଆରମ୍ଭ ହୋଇଯାଇଥିଲା, ପୁଣି ସେହିସ୍ଥିତିରେ ବଞ୍ଚିବାକୁ ପଡ଼ିବ।
କରୋନା ପାଇଁ ଯେହେତୁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ତେଣୁ ମୁହଁରେ ମାସ୍କ ରଖିବା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମଧ୍ୟ ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ମାକ୍ସ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛ। ଭିଡ଼ ସ୍ଥାନକୁ ଯିବା ପୂର୍ବରୁ ଲୋକ ମାକ୍ସ ପିନ୍ଧନ୍ତୁ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତ ଭଲ ଅଛି। ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ।
୧୭% ନେଇଛନ୍ତି ପ୍ରିକସନ୍ ଡୋଜ୍
କରୋନା ମୁକାବିଲାର ଅନ୍ୟତମ ଅସ୍ତ୍ର ହେଉଛି ଟିକା। ରାଜ୍ୟର ଶତପ୍ରତିଶତ ଲୋକ କୋଭିଡ-୧୯ର ୨ଟି ଡୋଜ୍ ନେଇସାରିଥିବା ବେଳେ ପ୍ରିକସନ ଡୋଜ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉ ନାହିଁ। କରୋନା ସଂକ୍ରମଣ କମିଥିବାରୁ ଲୋକ ଢିଲା ହେଉଛନ୍ତି। ଦିଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ିଲାଣି। ତେଣୁ ଲୋକଙ୍କୁ ଟିକା ନେବା ପାଇଁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ନିବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି। ଅର୍ଥାତ ୧୦ ଲକ୍ଷ ୧୯ ହଜାର ୮୮୧ ଜଣ ପ୍ରିକ୍ସନ ଡୋଜ ନେଇଛନ୍ତି। ରାଜ୍ୟ ସରକାର ୫୯ ଲକ୍ଷ ୪୨ ହଜାର ୭୯୬ ଜଣକୁ ପ୍ରିକସନ ଡୋଜ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
କରୋନା ଉପର ମୁହାଁ
ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି ସୋମବାର ସକାଳ ୮ଟାରୁ ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ ୧୨୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛି। ପୂର୍ବ ଦିନ ତୁଳନାରେ ଏହା ୯୦ ପ୍ରତିଶତ ଅଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ମଙ୍ଗଳବାର ୧୧,୮୬୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସୋମବାର ୯୨୮ ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ। ଦିଲ୍ଲୀରେ କରୋନା ଚିନ୍ତା ବଢ଼ାଇଛି। ସୋମବାର ଏଠାରେ ୫୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦିଲ୍ଲୀରେ ପଜିଟିଭିଟି ଦର ୭.୭୨ ପ୍ରତିଶତ ହୋଇଛ। ସୋମବାର ୬୪୯୨ କରୋନା ନମୁନା ପରୀକ୍ଷା କରାଯାଇଥିଲା।ଏଥିରୁ ୫୦୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।
ଲୋକଙ୍କ ଠାରେ ଇମ୍ୟୁନିଟି ବଢ଼ିଛି?
ଦେଶରେ କରୋନା ଉପରମୁହାଁ ହୋଇଥିଲା ବେଳେ କାନପୁର ଆଇଆଇଟି ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ଅଗ୍ରଓ୍ଵାଲଙ୍କ ଦାବି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ତାଙ୍କ କହିବା ଅନୁସାରେ ଯଦିଓ ୪ର୍ଥ ଲହର ଆସେ, ତାହେଲେ ସେତେ ଭୟଙ୍କର ହେବ ନାହିଁ। ଏବେ ଲୋକଙ୍କ ଠାରେ ରୋଗପ୍ରତିରୋଧକ କ୍ଷମତା (ଇମ୍ୟୁନିଟି) ୯୦ ପ୍ରତିଶତ ଯାଏଁ ବଢ଼ିଛି। କିନ୍ତୁ ଲୋକେ ଯଦି ଚଳପ୍ରଚଳରେ ଅବହେଳା ପ୍ରଦର୍ଶନ କରନ୍ତି, ତା’ହେଲେ ମ୍ୟୁଟେଣ୍ଟ ପୁଣି ଥରେ ପ୍ରଭାବ ଦେଖାଇପାରେ। ଦିଲ୍ଲୀ-ଏନସିଆରରେକଟକଣାରେ କୋହଳ ଯୋଗୁଁ ସଂକ୍ରମଣ ବଢ଼ିଛି।