Tuesday, September 17, 2024
Homeକୋଭିଡ-୧୯: ୩ୟ ଲହର ପୂର୍ବରୁ ସତର୍କ ଘଣ୍ଟି!
Array

କୋଭିଡ-୧୯: ୩ୟ ଲହର ପୂର୍ବରୁ ସତର୍କ ଘଣ୍ଟି!

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ-୧୯ର ୨ୟ ଲହର ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇ ପାରି ନାହିଁ। ୩ୟ ଲହର ନେଇ ବିଶେଷଜ୍ଞମାନେ ସତର୍କ ସୂଚନା ଜାରି କରିଛନ୍ତି। କିଛି ଜିଲ୍ଲାରେ ସ୍ଥିତି ଏକ ପ୍ରକାରର ଠିକ୍‌ଠାକ୍‌ ଥିବା ବେଳେ ଭୁବନେଶ୍ୱର, କଟକ, ପୁରୀ ସମେତ ଉପକୂଳ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ଏବେବି ଡରାଇ ରଖିଛି। ଏହାରି ମଧ୍ୟରେ ରାଜ୍ୟରେ ରାଜ୍ୟରେ ଶିଶୁ ଓ କିଶୋର ମାନଙ୍କୁ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ଲୋକଙ୍କର ଚିନ୍ତା ବଢାଇଦେଇଛି। ସମ୍ବଲପୁରରେ ସୋମବାର ୨ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୨ ଓ ୯ ବର୍ଷ। କମ ବୟସର ପିଲା କରୋନା ପଜିଟିଭ ଚିହ୍ନଟ ହେବା ରାଜ୍ୟବାସୀଙ୍କ ପାଇଁ ଏକ ପ୍ରକାର ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ।  

ବିଗତ ତିନି ଦିନ ମଧ୍ୟରେ ରାଜ୍ୟରେ ୩୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ  ମଙ୍ଗଳବାର ୯୬ ଜଣ, ସୋମବାର ୧୦୪ ଜଣ ଶିଶୁ ଓ କିଶୋର କରୋନା ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ରବିବାର ୧୩୮ ଜଣ ଶିଶୁ ଏବଂ କିଶୋର କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ୩ୟ ଲହର ପାଇଁ ଅଧିକ ସତର୍କ ଅଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଉଦ୍ୟମ କରୁଛି। ତେଣୁ ଗତ ରବିବାର ଠାରୁ ରାଜ୍ୟର ଦୈନିକ ସଂକ୍ରମଣ ତାଲିକାରେ ଶିଶୁ-କିଶୋରଙ୍କ ସଂକ୍ରମଣ ନେଇ ତଥ୍ୟ ଦେବା ଆରମ୍ଭ କରିଛି।

ସୁରକ୍ଷିତ ପରିବେଶରେ ଶିଶୁକୁ ରଖନ୍ତୁ

ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଜୁଲାଇ ୨୧ ତାରିଖର ପିଆଇବି ଏନେଇ ବୁଲେଟିନ ଜାରି କରିଥିଲା। ରିପୋର୍ଟ ଅନୁସାରେ ଶିଶୁଙ୍କ ସିଭିଅରିଟି କମ୍‌ ରହିଛି। ଯେତେବେଳେ ସଂକ୍ରମଣ ଉପରମୁଁହା ହେବ ଜଣାପଡ଼ିବ ଯେ, କୌଣସି ଲହର ଆସିଗଲା। କିନ୍ତୁ ଏବେ ଆମେ ସେହିଭଳି ଅବସ୍ଥାରେ ପହଂଚିନାହୁଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ସେ କହିଛନ୍ତି,୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଛନ୍ତି। ଏହି ବୟସ ବର୍ଗରୁ କମ ଲୋକେ ଟିକା ନେଇ ନଥିବାରୁ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହୁଛି। ବିଶେଷ ଭାବରେ କରୋନାରୁ ବର୍ତ୍ତିବାକୁ ହେଲେ ୧୮ ବର୍ଷ ବୟସ୍କଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ। ଏଥି ପାଇଁ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ଅଧିକ ସତର୍କ ରହିବାକୁ ହେବ।  

୫ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ମାସ୍କ

୫ ବର୍ଷ ବୟସର ଶିଶୁମାନେ ମାସ୍କ ପିନ୍ଧିପାରିବେ ନାହିଁ। କାରଣ ସେମାନେ ମାସ୍କ ପିନ୍ଧିଲେ ଅଣନିଶ୍ୱାସୀ ହୋଇଯିବେ। କିନ୍ତୁ ୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ଶିଶୁମାନେ ମାସ୍କ ବ୍ୟବହାର କରିପାରିବେ ବୋଲି ବିଶେଷଜ୍ଞ ଡାକ୍ତରମାନେ ମତ ଦିଅନ୍ତି। ତେବେ ଛୋଟ ପିଲାମାନେ କିଭଳି ସଠିକ ଭାବରେ ମାସ୍କ ପିନ୍ଧିବେ, ତାହା ଅଭିଭାବକ ମାନେ ଯତ୍ନବାନ ହେବା ଉଚିତ। ଛୋଟ ପିଲାମାନେ ଥରଟିଏ ଅଭ୍ୟାସରେ ପଡ଼ିଗଲେ, ସେମାନେ ଏହି କାମ ସହଜରେ କରିବେ। ପରିବାରର ବଡ଼ମାନେ ଛୋଟମାନଙ୍କୁ ନିରାପଦରେ ରଖିବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର କଲେ ଭଲ।  

ଅଭିଭାବକଙ୍କ ପାଇଁ ବଡ଼ ଦାୟିତ୍ୱ

ବର୍ତ୍ତମାନ ରାଜ୍ୟରେ ଅନିୟମିତ ପାଣିପାଗ ଯୋଗୁଁ ବଡ଼ମାନଙ୍କ ସମେତ ଛୋଟପିଲାଙ୍କୁ ମଧ୍ୟ ଥଣ୍ଡା, କାଶ ଓ ଜ୍ୱର ହେଉଛି। ତେବେ ଥଣ୍ଡା, କାଶ ଓ ଜ୍ୱରର ସ୍ଥିତି ଦେଖି ଡାକ୍ତରଙ୍କ ପରାମର୍ଶ ନିଆଯିବା ଦରକାର। ସାଧାରଣ ଥଣ୍ଡା ହୋଇଥିଲେ ଗୋଟିଏ ବା ୨ ଦିନରେ ଭଲ ହୋଇଯିବ। କିନ୍ତୁ ଯଦି କୋଭିଡ ଲକ୍ଷଣ ଯୁକ୍ତ ହୋଇଥାଏ ଶିଶୁଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିଲେ ଭଲ। ଜ୍ୱର, କାଶ, ଥଣ୍ଡା (ନାକରୁ ପାଣି ବହିବା), ତଣ୍ଟି ଦରଜ, ଧଇଁ ସଇଁ ଓ ଅଣନିଶ୍ୱାସୀ ହେଲେ ଶୁଶୁର କୋଭିଡ ଲକ୍ଷଣ ବୋଲି ଧରାଯିବ। ଏତଦ୍‌ ବ୍ୟତୀତ ପେଟ ଯନ୍ତ୍ରଣା, ପତଳା ଝାଡ଼ା, ଦେହ/ଆଙ୍ଗୁଳି/ବାଇଗଣି ରଙ୍ଗର ମନ୍ଦା ମନ୍ଦା ହୋଇ ଫଳିବା ହେଉଛି କୋଭିଡର ଅସ୍ୱାଭାବିକ ଲକ୍ଷଣ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments