Thursday, March 20, 2025
Homeକ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ ଆଉ ବିବାଦ
Array

କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ ଆଉ ବିବାଦ

ଭୁବନେଶ୍ୱର: ବିଶ୍ୱ କ୍ରିକେଟ୍‌ ଜଗତର ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଅନ୍ୟତମ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ଆଣ୍ଡ୍ରୁ ସାଇମଣ୍ଡସ୍‌ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ଇଂଲଣ୍ଡର ବର୍ମିହାମ୍‌ରେ ୧୯୭୫ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ। ୧୯୯୮ରେ ଦିନିକିଆ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ବିଶ୍ୱର ମହାନ୍‌ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ ସ୍ୱର୍ଗତଃ ସାଇମଣ୍ଡସ୍‌ଙ୍କ କ୍ୟାରିୟର ବିବାଦପୂର୍ଣ୍ଣ ଥିଲା, ଯେଉଁଥି ପାଇଁ ପ୍ରଶସଂକ ତାଙ୍କୁ ଅବସର ନେବାର ୧୨ ବର୍ଷ ପରେ ମଧ୍ୟ ମନେ ରଖିଛନ୍ତି। ସାଇମଣ୍ଡସ୍‌ ୧୯୯୮ରୁ ୨୦୦୯ ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ଖେଳିଥିଲେ। ସାଇମଣ୍ଡସ୍‌ କ୍ରିକେଟ୍‌ରୁ ଅବସର ନେଲା ପରେ ମଧ୍ୟ ତାଙ୍କ ପଛରୁ ବିବାଦ ହଟି ନଥିଲା।

୪୬ ବର୍ଷୀୟ ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ପରଲୋକରେ କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆଣିଛି। ସେ ଟାଉନ୍‌ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। କୁଇନ୍‌ସଲ୍ୟାଣ୍ଡ ପୋଲିସ କହିବା ଅନୁସାରେ ସାଇମଣ୍ଡସ୍‌ଙ୍କ ଦୁର୍ଘଟଣା ଅତି ଭୟଙ୍କର ଥିଲା। ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ। ତାଙ୍କର ଶରୀରରେ ଗଭୀର କ୍ଷତ ଚିହ୍ନ ଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରୀ ଟିମ୍‌ ବହୁ ଉଦ୍ୟମ କରି ମଧ୍ୟ ସଫଳ ହୋଇପାରି ନଥିଲେ।

ମଙ୍କିଗେଟ୍‌ ବିବାଦ

କ୍ରିକେଟ୍‌ ଇତିହାସରେ ସବୁଠାରୁ ବଡ଼ ଲଢ଼େଇ ଆଣ୍ଟ୍ରୁ ସାଇମଣ୍ଡସ୍‌ ଓ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ମଧ୍ୟରେ ହୋଇଥିଲା। ଏହା ମଙ୍କିଗେଟ୍‌ ବିବାଦ ନାଁରେ ଜଣାଶୁଣା। ଟିମ୍‌ ଇଣ୍ଡିଆ ୨୦୦୭-୦୮ରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ଶୃଙ୍ଖଳାର ୨ୟ ମ୍ୟାଚ୍‌ ସିଡ୍‌ନୀରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଖରାପ ଅମ୍ପାୟାରିଂ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ହରଭଜନ ସିଂହ  ବୋଲିଂ କରୁଥିଲେ, ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ପରେ ଅଧିନାୟକ ରିକି ପଣ୍ଟିଂ ବିରକ୍ତି ପ୍ରକାଶ କରି ଅମ୍ପାୟାର ନିକଟରେ ଅଭିଯୋଗ ଆଣିଥିଲେ। ପଣ୍ଟିଙ୍ଗଙ୍କ ଅଭିଯୋଗ ଅନୁସାରେ, ସାଇମଣ୍ଡସ୍‌ଙ୍କୁ ହରଭଜନ ସିଂହ ମାଙ୍କଡ କହିଥିଲେ। ଆଇସିସିର ନିୟମ ଅନୁଯାୟୀ ଖେଳାଳି ଅନ୍ୟକୁ ଅପମାନଜନକ ଶବ୍ଦ କହିପାରିବେ ନାହିଁ। ସିଡ୍‌ନୀ ମ୍ୟାଚରେ ହରଭଜନ ଓ ସାଇମଣ୍ଡସ୍‌ଙ୍କ କଳି ସେହି ସମୟରେ ଚର୍ଚ୍ଚା ହୋଇଥିଲା। ଶେଷରେ ହରଭଜନ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା। ଏହି କାରଣରୁ ହରଭଜନ ସିଂହ ୩ଟି ମ୍ୟାଚ ଖେଳିପାରି ନଥିଲେ।

କ୍ରିକେଟ୍‌ କ୍ୟାରିଅର

ସାଇମଣ୍ଡସ୍‌ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ୧୪୬୨ ରନ୍‌, ଟେଷ୍ଟରେ ୫୦୮୮ ରନ୍‌ ଓ ଟି-୨୦ରେ ୩୩୭ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ ବିଶ୍ୱକପ ଜିତିବାରେ ସାଇମଣ୍ଡସ ବଡ଼ ଭୂମିକା ତୁଲାଇଥିଲେ। ସାଇମଣ୍ଡସ୍‌ ୨୦୦୮ରେ ଡେକାନ୍‌ ଚାର୍ଜସ ପକ୍ଷରୁ ଆଇପିଏଲ୍‌ର ସଦସ୍ୟ ହୋଇଥିଲେ।  ୩୯ଟି ଆଇପିଏଲ୍‌ ମ୍ୟାଚ ଖେଳିଥିଲେ। ୯୭୪ ରନ୍‌ କରିଥିଲେ।। ଅଷ୍ଟ୍ରେଲିଆ ୨୦୦୩ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା। ପ୍ରାରମ୍ଭିକ ଲିଗ୍‌ ମ୍ୟାଚରେ ପାକିସ୍ତାନକୁ ଅଷ୍ଟ୍ରେଲିଆ ଭେଟିଥିଲା।  ଅଷ୍ଟ୍ରେଲିଆ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ସ୍କୋର ୮୦ ରନ୍‌ରେ ୪ଟି ଓ୍ଵିକେଟ୍‌ ପଡ଼ିଥିଲା। ଏଭଳି ପରିସ୍ଥିତିରେ ସାଇମଣ୍ଡସ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେହି ମ୍ୟାଚରେ ସାଇମଣ୍ଡସ୍‌ ୧୪୩ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ସାଇମଣ୍ଡସ୍‌ଙ୍କ ପାଇଁ ଅନ୍ୟତମ ସ୍ମରଣୀୟ ଇନିଂସ ଥିଲା। କଙ୍ଗାରୁ ଦଳ ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିଥିଲା।

ମଦ ପିଇବାକୁ ଭଲ ପାଉଥିଲେ

ଆଣ୍ଡ୍ରୁ ସାଇମଣ୍ଡସ୍‌ ମଦ ପିଇବାକୁ ଭଲ ପାଉଥିଲେ। ୨୦୦୯ ମସିହାରେ ମଦ କାରଣରୁ ତାଙ୍କୁ କ୍ରିକେଟ୍‌ରୁ ଦୂରରେ ରହିବାକୁ ପଡ଼ିଥିଲା। ୨୦୦୯ରେ ଟି-୨୦ ବିଶ୍ୱକପ୍‌ ସମୟରେ ଟିମ୍‌ର ମଦ ସଂପର୍କିତ ନିୟମ ଉଲ୍ଲଂଘନ କାରଣରୁ ତାଙ୍କୁ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଥିଲା। ଟି-୨୦ ବିଶ୍ୱକପ୍‌ ସମୟରେ ସ୍ୱଦେଶକୁ ଫେରିଯିବାକୁ ପଡ଼ିଥିଲା। ଏକଦା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସାଇମଣ୍ଡସ୍‌ ବ୍ୟାଟିଂ କରୁଥିଲେ। ସେହି ସମୟରେ ମାଇକେଲ୍‌ କ୍ଲାର୍କ ନନ୍‌ଷ୍ଟ୍ରାଇକ୍‌ରେ ଏଣ୍ଡରେ ଥିଲେ। ସାଇମଣ୍ଡସ ବଲକୁ ମାରିଲେ। ବଲ୍‌ ଯାଇ କ୍ଲାର୍କଙ୍କ ପ୍ୟାଡରେ ବାଜି ଫିଲ୍ଡରଙ୍କ ହାତରେ ପଡ଼ିଲା। ସାଇମଣ୍ଡସ ଆଉଟ୍‌ ହୋଇଗଲେ। ପାଭଲିଅନ୍‌କୁ ଯିବା ସମୟରେ ସେ କ୍ଲାର୍କଙ୍କୁ କହିଗଲେ ଏଥି ପାଇଁ ଏକ ବିଅର ବୋତଲ ଦେବାକୁ ପଡ଼ିବ। ଗତବର୍ଷ ସାଇମଣ୍ଡସ୍‌ କମେଣ୍ଟ୍ରି କରିବା ସମୟରେ ମାର୍ନସ ଲାବୁଶେନ୍‌ଙ୍କ ବ୍ୟାଟିଂ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିଲେ। ପରେ ସେ ଏଥି ପାଇଁ କ୍ଷମା ମାଗିଥିଲେ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments