ଭୁବନେଶ୍ବର: କାହାପାଇଁ ମୃତ୍ୟୁ କେତେବେଳେ ଓ କେମିତି ଆସିବ, ତାହା କେହି ଜାଣି ନଥାନ୍ତି। ମନୁଷ୍ୟ ଜନ୍ମନେବାର ବହୁ ସମୟ ପୂର୍ବରୁ ଜଣାପଡ଼ିଥାଏ। କିନ୍ତୁ ମୃତ୍ୟୁର କୌଣସି ସମୟ ନିର୍ଦ୍ଧାରିତ ହୋଇ ନଥାଏ। ଅନେକ ଲୋକଙ୍କୁ ଅଦିନରେ ଓ ଅନିର୍ଦ୍ଧାରିତ ସମୟରେ ପୃଥିବୀ ପୃଷ୍ଠରୁ ବିଦାୟ ନେବାକୁ ପଡ଼ିଥାଏ। ତେବେ ବୟସ୍କ ଲୋକ ଅକାଳରେ ମୃତ୍ୟୁ ହେବା ସମୟରେ ଅନ୍ୟମାନେ ଅତିକମରେ ନିଜକୁ ବୁଝାଇ ଦେଇପାରନ୍ତି। କିନ୍ତୁ ଯେତେବେଳେ ଯୁବକଟିଏ ଖେଳ ପଡ଼ିଆରେ ଅସ୍ବାଭାବିକ ଭାବେ ପ୍ରାଣ ହରାଉଛି, ସେହିଭଳି ସ୍ଥିତିରେ ଧୈର୍ଯ୍ୟଧରିବା ଅସମ୍ଭବ ହୋଇଯାଇଥାଏ।
ଦେଶରେ ଅଳ୍ପ ଦିନ ମଧ୍ୟରେ ଦୁଇ ଜଣ ଯୁବ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ପଡ଼ିଆରେ ଖେଳୁଥିବା ବେଳେ ହୃଦ୍ଘାତ କାରଣରୁ ମୟୂରଭଂଜ ଓ ମଧ୍ୟପ୍ରଦେଶର ଖରଗୋନରେ ଜଣେ ଲେଖାଏଁ ଯୁବକ ପ୍ରାଣ ହରାଇଛନ୍ତି। ଯୁବକମାନଙ୍କୁ ହୃଦ୍ଘାତ ହେବା ଆଜିକାଲି ସାଧାରଣ ସମସ୍ୟା ହୋଇ ଯାଇଥିବାରୁ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତେବେ କାହିଁକି ଯୁବପିଢ଼ି ହୃଦ୍ଘାତର ଶିକାର ହେଉଛନ୍ତି ଓ ଏହାର ପ୍ରତିକାର ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇପାରୁ ନାହିଁ। ତେବେ ଯୁବପିଢ଼ିଙ୍କ କ୍ରିକେଟ୍ ପଡ଼ିଆରେ ମୃତ୍ୟୁକୁ ସହଜରେ ଗ୍ରହଣ କରିହେଉନାହିଁ।
ମୟୂରଭଂଜରେ ଯୁବକ ତଳେ ପଡ଼ିଗଲେ
ଏମିତି ବି ମୃତ୍ୟୁ ଆସେ, ଯାହାକି ବିଶ୍ବସା କରି ହୁଏ ନାହିଁ। କିନ୍ତୁ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ମିନି ଷ୍ଟାଡିୟମରେ କ୍ରିକେଟ ଖେଳୁ ଥିବା ସମୟରେ ସ୍ଥାନୀୟ ଅଞ୍ଚଳର ବୈଦନାଥ କରଙ୍କ ଏକ ମାତ୍ର ପୁଅ ବିକାଶ(୨୮) ରବିବାର ପ୍ରାଣ ହରାଇଛନ୍ତି। ସେ ସାଙ୍ଗ ମାନଙ୍କ ସହିତ କ୍ରିକେଟ ଅଭ୍ୟାସ ମ୍ୟାଚ ଖେଳୁଥିବା ବେଳେ ଅଚାନକ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ। ସାଥି ଖେଳାଳି ତାଙ୍କୁ ସଙ୍ଗେ ସଙ୍ଗେ ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ। ତେବେ ବିକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ଅଚାନକ ଛାତିର ଯନ୍ତ୍ରଣା, ଖେଳାଳି ମୃତ
ଗତମାସ ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୯୦କିମି ଦୂର ବଲୱାଡ଼ା ଥାନା ନିକଟସ୍ଥ କାଟକୁଟ ଗ୍ରାମରେ କ୍ରିକେଟ ଖେଳର ଆୟୋଜନ କରାଯାଇଥିଲା। ଏଥିରେ ବରଝର ଟିମ ପକ୍ଷରୁ ୨୨ବର୍ଷୀୟ ଇନ୍ଦଲ ପ୍ରସାଦ ଦମଦାର ବ୍ୟାଟିଂ କରି ଟିମକୁ ଭଲ ସ୍କୋର ଦେଇଥିଲେ। ଏହାପରେ ଇନ୍ଦଲଙ୍କ ବୋଲିଂ ପାଳି ଆସିଥିଲା। ବୋଲିଂ କରୁଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେଣୁ ସେ ଖେଳ ମଝିରୁ ଚାଲି ଆସି ଏକ ଚୌକିରେ ବସି ପଡ଼ିଥିଲେ। ଛାତିର ଯନ୍ତ୍ରଣା ନକମିବାରୁ ଇନ୍ଦଲଙ୍କ ସାଥୀ ଖେଳାଳିମାନେ ତାଙ୍କୁ ମହେଶ୍ବର ରୋଡସ୍ଥିତ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଖେଳାଳିଙ୍କୁ ମୃତୁ ଘୋଷଣା କରିଥିଲେ।
କେବଳ କ୍ରିକେଟ୍ ନୁହେଁ। ବରଂ ଅନ୍ୟ ଖେଳ ସମୟରେ ମଧ୍ୟ ଅଘଟଣ ଘଟିଛି। ବିଶେଷ ଭାବେ ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆରେ ଫୁଟବଲ ଖେଳ ଚାଲିଥିବା ବେଳେ ଅଘଟଣ ଘଟିଛି। ବଜ୍ରପାତରେ ପଡ଼ିଆରେ ଥିବା ଦର୍ଶକମାନଙ୍କର ମୃତ୍ୟୁ ହୋଇଛି। ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ।। ମୟୂରଭଂଜ ଜିଲ୍ଲା ଲକ୍ଷ୍ମୀପୋଳଷିସ୍ଥିତ ରଜାବସାସ୍ଥିତ ଖେଳପଡ଼ିଆରେ ଏହି ଅଘଟଣ ଘଟିଥିଲା, ଯେଉଁଥିରେ କି ବାରିପଦା ବ୍ଲକ ଶାଳବଣୀ ଗାଁର ଅଶୋକ ମୁର୍ମୁ (୩୦) ପ୍ରାଣ ହରାଇଥିଲେ।
ୱାସିମ୍, ଫିଲିପ୍ଙ୍କ ମୃତ୍ୟୁ
କ୍ରିକେଟ୍ ଏକ ଅନ୍ତର୍ଜାତୀୟ ଖେଳ। ବିଶ୍ବର ଅଧିକାଂଶ ଦେଶରେ ଏହା ଖେଳାଯାଉଛି। ଦୀର୍ଘ ଶତାଦ୍ଦୀ ଧରି ଏହି ଖେଳ ଆରମ୍ଭ ହୋଇଥିବା ବେଳେ ଉନ୍ନବିଂଶ ଶତାଦ୍ଦୀରୁ ଏହା ଅଧିକ ଲୋକପ୍ରିୟ ହୋଇପାରିଛି। କ୍ରିକେଟ୍ ବିଶ୍ବକପ୍ ଆରମ୍ଭ ହୋଇଯିବା ପରେ ଯୁବପିଢ଼ିଙ୍କ ମନରେ ଅଧିକ ଆଶା ସଂଚାର କରିଛି। ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାରତରେ କ୍ରିକେଟ୍ର ଅଧିକ ପ୍ରସାରିତ ହୋଇଛି। ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡ଼େ ଯୁବପିଢ଼ି କ୍ରିକେଟ୍ ପାଇଁ ପାଗଳ କହିଲେ କଛି ଭୁଲ ହେବ ନାହିଁ। ନଭେମ୍ବର ମାସ ଠାରୁ ମାର୍ଚ୍ଚ ମାସ ଯାଏଁ ଭାରତର ଗାଁ ଗହଳିରେ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥାଏ। ତେବେ କ୍ରିକେଟ ପଡ଼ିଆରେ ଅଘଟଣ ଘଟିବା ଏକ ଅସ୍ବାଭାବିକ ଘଟଣା। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ, ୧୨୪ ମସିହା ଅଗଷ୍ଟ ୨୮ରେ ସସେସର ହୋରଷ୍ଟେଡ କାଏନେସରେ ଜସପିର ଭିନାଇଲଙ୍କ ଖେଳିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପାକିସ୍ତାନର ଜଣାଶୁଣା କ୍ରିକେଟର ୱାସିମ ହାସନ ରାଜା ୨୦୧୩ ଅକ୍ଟୋବର ୨୭ରେ ପ୍ରାଣ ହରାଇଥିଲେ। ସେହିପରି ନ୍ୟୁ ସାଉଥ ୱେଲ୍ସରେ ୨୦୧୪ ନଭେମ୍ବର ୨୭ ତାରିଖ ଦିନ ଅଷ୍ଟ୍ରେଲିଆର ଖେଳାଳି ଫିଲିପ୍ ହ୍ୟୁଜ୍ଙ୍କ କ୍ରିକେଟ୍ ପଡ଼ିଆରେ ମୃତ୍ୟୁ ହୋଇଥିଲା।