Wednesday, October 9, 2024
Homeଖର୍ଚ୍ଚ ବଢ଼ାଇବ କି ୫ଜି ସେବା?
Array

ଖର୍ଚ୍ଚ ବଢ଼ାଇବ କି ୫ଜି ସେବା?

ଭୁବନେଶ୍ବର: ଇଣ୍ଟରନେଟ୍ ସେବା ଅଧିକ ବେଗରେ ଦୌଡ଼ିବ। ଇଣ୍ଟରନେଟ ଜନିତ ଲୋକଙ୍କର କାମ ଆହୁରି ଶୀଘ୍ର ହେବ। ବିଶେଷ କରି ୪ଜି ସେବାରେ ଅସନ୍ତୁଷ୍ଟ ଥିବା ଯୁବପୀଢ଼ି ଅଧିକ ଉତ୍ସାହିତ ହେବେ। ଏଥି ପାଇଁ ଦେଶରେ ଅକ୍ଟୋବର ୧ ତାରିଖରେ ୫ଜି ସେବା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ବହୁ ପ୍ରତିକ୍ଷୀତ ୫ଜି ସେବାକୁ ଆରମ୍ଭ କରିଦେଇଛନ୍ତି। ଏହି ସେବା ଶୁଭାରମ୍ଭ ହେବା ପରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ନୂଆ ଯୁଗ ଆରମ୍ଭ ହୋଇଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ୫ଜି ସେବା ଆରମ୍ଭ ହୋଇଯିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହାର କାରଣ ହେଲା ଯେ, ସେମାନେ ବ୍ୟବହାର କରୁଥିବା ୪ଜି ମୋବାଇଲ୍ ଫୋନ୍ ଏବଂ ସିମ୍ ୫ଜି ସେବାରେ ବ୍ୟବହାର ହୋଇପାରିବ ନା ନାହିଁ। ସବୁଠାରୁ ବଡ଼ ପ୍ରଶ୍ନ ହେଲା ୪ଜି ମୋବାଇଲ ଫୋନ୍ରେ ୫ଜି ସେବା କାମ କରିବ କି ନାହିଁ? ଅର୍ଥାତ ୪ଜି ମୋବାଇଲ୍ ଫୋନ୍ରେ ୫ଜି ସେବା ଉପଲବ୍ଧ ହେବ କି ନାହିଁ। ୪ଜି ତୁଳନାରେ ୫ଜି ଯେହେତୁ ଦ୍ରୁତଗତିରେ ସେବା ଯୋଗାଇବ, ଏଥିପାଇଁ ଲୋକେ ବ୍ୟସ୍ତ ହୋଇପଡ଼ିଲେଣି। ଲୋକଙ୍କ ମନରେ ଚିନ୍ତା ପଶିଛି ଯେ, ୫ଜି ସେବା ପାଇବାକୁ ହେଲେ ଉଭୟ ୫ଜି ଫୋନ୍ ଓ ୫ଜି ସିମ୍ ନେବାକୁ ପଡ଼ିବ କି?

ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଆହୁରି ୨ ବର୍ଷ

ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀ ୬ଷ୍ଠ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ (ଆଇଏମ୍ସି) ଉଦ୍ଘାଟନ ଅବସରରେ ଭାରତରେ ‘୫ଜି’ (ପଞ୍ଚମ ପୀଢ଼ି) ମୋବାଇଲ୍ ସେବାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ବିଶ୍ବର ୫ମ ଦେଶ ଭାବେ ଭାରତ ଏହି ସେବା ଯୋଗାଇପାରିଛି। ପ୍ରାରମ୍ଭିକ ଅବସ୍ଥାରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ବାଇ, ବାରାଣସୀ ସମେତ ଅନ୍ୟ କିଛି ସ୍ଥାନରେ ଯଦିଓ ୫ ଜି ସେବା ଆରମ୍ଭ ହୋଇଯାଇଛି। ଏହି ସେବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପାଇଁ ଆହୁରି ୨ ବର୍ଷ ଲାଗିବ।

ଡିଜିଟାଲ କ୍ଷେତ୍ରରେ ପରିବର୍ତ୍ତନ ଆଶା

ଏହି  ସେବା ପ୍ରଚଳନ ହେବା ଫଳରେ ସମାଜ ଓ ଅର୍ଥନୀତିରେ ଆମୂଳଚୂଳ ପରିବର୍ତ୍ତନ ଘଟିବ। ଏହାଦ୍ବାରା, ଇଣ୍ଟର୍ନେଟ୍ ସେବା ଅତ୍ୟନ୍ତ କ୍ଷିପ୍ର ହେବା ସହ ନୂତନ ଆର୍ଥିକ ସୁଯୋଗ ଓ ସାମାଜିକ ସୁବିଧା ବା ଲାଭ ମିଳିବ ବୋଲି ଆଶା କରାଯାଉଛି। ସାଧାରଣ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କାରଣ ସେମାନଙ୍କୁ ୫ଜି ଫୋନ୍ ଏବଂ ୫ଜି ସିମ୍ କିଣିବାକୁ ପଡ଼ିବ। ଅନ୍ୟପଟରେ ଟେଲିକମ୍ କଂପାନି ଓ ମୋବାଇଲ ଉତ୍ପାଦନକାରୀ କଂପାନିମାନେ ଭଲ ବ୍ୟବସାୟ କରିପାରିବେ।  

ଓଡ଼ିଶାରେ ୫ଜି ସେବା

ମୟୂରଭଂଜ ଜିଲ୍ଲା ରାଇରଂଗପୁର ବ୍ଲକ ଅନ୍ତର୍ଗତ ପାହାଡ଼ପୁର ଗାଁ ୫ଜି ସେବା ସହିତ ଯୋଡ଼ି ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆବାସିକ ଆବାସିକ ବିଦ୍ୟାଳୟରୁ ଏହି ସେବା ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତଛାତ୍ରୀ ଯୋଗ ଦେଇ ୫ଜି ସେବାର ପ୍ରଥମ ଅନୁଭୂତି ପାଇଥିଲେ। ଭାରତ ସରକାରଙ୍କ ଟେଲିକମ ବିଭାଗର ଡିଡିଜି ଵିଜୟ କୁମାର ନାୟକ, ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ପ୍ରମୁଖ ସମାରୋହରେ ଉପସ୍ଥିତ ଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments