ଭୁବନେଶ୍ବର: ଆଉ ମାତ୍ର ୪ ଦିନ ପରେ ବିଦ୍ୟାଳୟ ଖୋଲିବ। ଦଶମ ଓ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପଢ଼ିବାକୁ ଯିବେ। କିନ୍ତୁ ଅଭିଭାବକ ଯଦି ନ ଚାହିବେ, ତାହେଲେ ପିଲାମାନେ ଘରେ ଥାଇ ଅନ୍ଲାଇନ୍ କ୍ଲାସ ମଧ୍ୟ କରିପାରିବେ। ସ୍କୁଲ ଖୋଲିବା ନିଶ୍ଚିତ ଭାବେ ଭଲ ପଦକ୍ଷେପ। କିନ୍ତୁ ରାଜ୍ୟ ସରକାରଙ୍କ ହଠାତ ନିଷ୍ପତ୍ତି ନେଇ ଅନେକ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଅନେକ ଅଭିଭାବକ ପିଲାଙ୍କୁ ସ୍କୁଲ ପଠାଇବା ସୁରକ୍ଷିତ ମନେ କରୁ ନାହାନ୍ତି। ପିଲାମାନେ ଅନ୍ୟ ପିଲାମାନଙ୍କ ସହିତ ମିଶିବେ, ସେଠାରେ ନିଜର ସୁରକ୍ଷା ଚିନ୍ତାକୁ ଭୁଲିଯିବେ। ଖାଇବା-ପିଇବା ଓ ବସିବା ନେଇ ମଧ୍ୟ ଅନେକ ସତର୍କ ରହିବାକୁ ପଡ଼ିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ହଷ୍ଟେଲ ଖୋଲୁ ନଥିବାରୁ ଅଭିଭାବକମାନେ ଅଧିକ ଚିନ୍ତାରେ ପଡ଼ିଯାଇଛନ୍ତି। କାରର ସହରରେ ପଢ଼ୁଥିବା ପିଲାମାନେ ଘର ଛାଡ଼ି ହଷ୍ଟେଲରେ ରହୁଥିଲେ। ସେମାନେ ସ୍କୁଲକୁ ଯାଇ ପଢ଼ିବାକୁ ଇଚ୍ଛା କରୁଥିଲେ ବି ରହଣୀ ପାଇଁ ବ୍ୟବସ୍ଥା ନଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି।
ପରିସ୍ଥିତିରେ ପଡ଼ି ସ୍କୁଲ ଖୋଲିଲେ ରାଜ୍ୟ ସରକାର?
କୋଭିଡ-୧୯ ଯୋଗୁଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୧୭ ତାରିଖ ଠାରୁ ବନ୍ଦ ରହିଛି। ଦୁଇ ଦିନ ତଳେ କେନ୍ଦ୍ର ସରକାର ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରିବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଖୋଲିବା ପୂର୍ବରୁ ରାଜ୍ୟ ସରକାର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ଏସଓପି ଜାରି କରିଛନ୍ତି।
ଜାରି ରହିବ ଅନ୍ଲାଇନ ପାଠପଢ଼ା
ବିଦ୍ୟାଳୟ ଖୋଲିଲେ ମଧ୍ୟ ଅନଲାଇନ ପାଠପଢ଼ା ଜାରି ରହିବ। ଯେଉଁଠି ଅନଲାଇନରେ ପାଠପଢ଼ା ଚାଲିଛି, ତାହା ମଧ୍ୟ ଆଗାମୀ ଦିନରେ ଚାଲିବ। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ଯୋଜନା କରିବାକୁ ପଡ଼ିବ। ଅଫଲାଇନରେ ପଢ଼ିବାକୁ ଚାହୁଁଥିବା ପଲା ଅଭିଭାବକଙ୍କ ଅନୁମତି ଦରକାର। ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପିଲାଙ୍କୁ ବାଧ୍ୟ କରିପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନ ବାହାର ଅଂଚଳରେ ଥିବା ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଅଂଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ବିଦ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ। ବିଦ୍ୟାଳୟରେ ସମସ୍ତ ଫର୍ନିଚର, ପାଠାଗାର, ପରୀକ୍ଷାଗାର, ଷ୍ଟୋରେଜ ପେଲେସ, ପାଣିଟାଙ୍କି, ରୋଷେଇ ଘର, ୱାସରୁମ, ଶୌଚାଳୟ ଓ ଅନ୍ୟ ସର୍ବସାଧାରଣ ସ୍ଥଳ ସାନିଟାଇଜ କରାଯିବ। ଏଗୁଡ଼ିକ ବାରମ୍ବାର ସାନିଟାଇଜ କରିବାକୁ ପଡ଼ିବ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏଥି ପ୍ରତି ସବୁବେଳେ ନଜର ଦେବାକୁ ହେବ ।
ଶ୍ରେଣୀ ଭିତରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ
ବିଦ୍ୟାଳୟ ଖୋଲିବା ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ବିଦ୍ୟାଳୟ ପରିସର ମଧ୍ୟରେ ପିଲାମାନେ ୬ ଫୁଟ ଦୂରତା ରକ୍ଷା କରିବେ। ଶ୍ରେଣୀ ମଧ୍ୟରେ ସୁରକ୍ଷିତ ଭାବେ ସାମାଜିକ ଦୂରତା ରକ୍ଷା କରିବେ। ପିଲାମାନଙ୍କ ବସିବା ସ୍ଥାନ ପାଇଁ ନିଦ୍ଦିଷ୍ଟ ସ୍ଥାନ ସୁନିଶ୍ଚିତ କରିବାକୁ ହେବ। ଷ୍ଟାଫ ରୁମରେ ମଧ୍ୟ ସାମାଜିକ ଦୂରତାକୁ ରକ୍ଷା କରାଯିବା ପାଇଁ ଏସଓପିରେ କୁହାଯାଇଛି। ସେହିଭଳି ମେସ, ପାଠାଗାର, କ୍ୟାଫଟେରିଆରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରାଯିବ। ରାଜ୍ୟ ହେଲପଲାଇନ ନମ୍ବର ଏବଂ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରର ଯୋଗାଯୋଗ ନମ୍ବର ବିଦ୍ୟାଳୟରେ ଲେଖାଯିବ, ଯାହାକୁ ସମସ୍ତେ ଦେଖିପାରିବେ। ସ୍କୁଲ ପରିସରରେ ଏକ ସ୍ବତନ୍ତ୍ର ଆଇସୋଲେସନ ପ୍ରକୋଷ୍ଠ ପ୍ରସ୍ତୁତ କରିବାକୁ ହେବ। କୋଭିଡ ଲକ୍ଷଣ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଗୋଟିଏ କୋଠରୀରେ ସର୍ବାଧିକ ୨୦ରୁ ୨୫ ଜଣ ପିଲାଙ୍କୁ ବସିପାରିବେ। ମଧ୍ୟାହ୍ନ ଭୋଜନ ବିରତି ଓ ଅନ୍ୟ ବିରତିକୁ କମ ସମୟ ଦେବାକୁ ହେବ। ସ୍ବାସ୍ଥ୍ୟକର ଓ ଭିଟାମିନ ଯୁକ୍ତ ଖାଦ୍ୟ ଆଣିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବାହାର ଖାଦ୍ୟକୁ ବାରଣ କରାଯାଇଛି।