ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଆସନ୍ତା ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ । ଏଥି ସହିତ ୯ ମାସର ଅପେକ୍ଷାର ଅନ୍ତ ଘଟିବ । ଡିସେମ୍ବର ୧୨ ତାରିଖରେ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ୍ କୁମାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଗତକାଲି ସୂଚନା ଦେଇଥିଲେ ଯେ, ଦିନେ/ଦୁଇ ଦିନ ମଧ୍ୟରେ ମନ୍ଦିର ଖୋଲିବା ନେଇ ସୁପାରିଶ କରାଯିବ । ସରକାର ଅନୁମତି ଦେଲେ ମନ୍ଦିର ଖୋଲିବ । କିନ୍ତୁ ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା ଯେ, କରୋନା ଭାଇରସ ମହାମାରୀ ଯୋଗୁଁ ଜଗାଙ୍କୁ ଦର୍ଶନ କରିବା ସହଜ ହେବ ନାହିଁ । କାରଣ ରାଜ୍ୟ ସରକାର ମନ୍ଦିର ଖୋଲିବା ପାଇଁ ଅନୁମତି ପ୍ରଦାନ କରିବା ପରେ ଏସ୍ଓପି ଜାରି ହେବ ଏବଂ ସେହି ଆଧାରରେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
୨ ଥର କରିବାକୁ କୋଭିଡ ପରୀକ୍ଷା
ଜଗା ଦର୍ଶନ ସହଜ ହେବନି କହିବାର ତାପର୍ଯ୍ୟ ହେଲା ଯେ, ଶ୍ରୀମନ୍ଦିରକୁ ଯିବା ପାଇଁ ଚାହୁଁଥିବା ଭକ୍ତଙ୍କୁ ୨ ଥର କୋଭିଡ ପରୀକ୍ଷା କରାଇବାକୁ ପଡ଼ିବ । ଶ୍ରଦ୍ଧାଳୁଙ୍କୁ ମନ୍ଦିର ଯିବାକୁ ହେଲେ ଦର୍ଶନ କରିବାର ୪୮ ଘଣ୍ଟା ପୂର୍ବରୁ ରାପିଡ ଆଣ୍ଟିଜେନ ଷ୍ଟେଷ୍ଟ ଅଥବା ଆର୍ଟିପିସିଆର୍ ନମୁନା ପରୀକ୍ଷାର ରିପୋର୍ଟ ନେଗେଟିଭ ଦେଖାଇବାକୁ ପଡ଼ିବ । ଅନ୍ୟପଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତ ମାସ୍କ ପିନ୍ଧିବେ, ହାତ ସାନିଟାଇଜ କରିବେ ଏବଂ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟ ହେବେ । ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଶ୍ରଦ୍ଧାଳୁଙ୍କୁ ଏହି ସମୟରେ ଶ୍ରୀମନ୍ଦିର ମନା ରହିବ ।
ଫୁଲ-ଦୀପ-ଧୂପ ମନା
ଶ୍ରୀମନ୍ଦିର ପରିସରରେ ପତିତପାବନଙ୍କୁ ଅନାଇ ଦୀପଟିଏ ଜାଳିଲେ ଆତ୍ମ ସନ୍ତୋଷ ମିଳିଥାଏ । ଜଗାଙ୍କୁ ଫୁଲ ଓ ଧୂପ ଆଦିରେ ପୂଜା କଲେ ଅପୂର୍ବ ଆନନ୍ଦ ମିଳିଥାଏ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏସବୁକୁ ବାରଣ କରିଛି । ପୂରା ଜାନୁଆରୀ ମାସ ସାରା କୋଭିଡ କଟକଣାକୁ ଶକ୍ତ କରାଯିବ । ଯାହା ଆଶା କରାଯାଉଛି ଫେବୃଆରୀ ମାସରେ ସ୍ଥିତିରେ ପରିବର୍ତ୍ତନ ହୋଇପାରେ ।
ପ୍ରଥମ ପର୍ଯ୍ୟାୟରେ ପୁରୀବାସୀଙ୍କ ଦର୍ଶନ
ଛତିଶା ନିଯୋଗ ବୈଠକ ଅନୁସାରେ ମନ୍ଦିର ଖୋଲିବାର ପ୍ରଥମ ପର୍ଯ୍ୟାୟରେ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିେ । ପୁରୀବାସୀଙ୍କୁ କିଭଳି ଦର୍ଶନ କରାଯିବ, ସେଥିପାଇଁ ପୌରସଂସ୍ଥା ପକ୍ଷରୁ ଯୋଜନା ପ୍ରସ୍ତୁତି କରାଯାଉଛି । ପ୍ରଶାସନର ଏଭଳି ବୈମାତୃକ ମନୋଭାବକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ରାଜ୍ୟବାସୀଙ୍କର ଆଶା ଥିଲା ଯେ, ନୂଆ ବର୍ଷରେ ଶ୍ରୀମନ୍ଦିର ଖୋଲିବ । ସମସ୍ତଙ୍କୁ ଜଗା ଦର୍ଶନ ମିଳିବ । କିନ୍ତୁ ତାହା ହେବାର ଆଶା ବର୍ତ୍ତମାନ ପରିସ୍ଥିିତିରେ ନାହିଁ । ଶ୍ରଦ୍ଧାଳୁଙ୍କ ସମ୍ଭାବିତ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ନୂଆଁବର୍ଷ ଓ ୨ ତାରିଖରେ ବନ୍ଦ ରହିବ । କିନ୍ତୁ ୩ ତାରିଖ ଠାରୁ ୧୦ ତାରିଖ ଯାଏଁ ସାଧାରଣ ଦର୍ଶକଙ୍କୁ ଜଗା ଦର୍ଶନ ମିଳବ । କିନ୍ତୁ ପୂର୍ବଭଳି ଦର୍ଶନ ହୋଇପାରିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଭକ୍ତଙ୍କୁ ଛଡ଼ାଯିବ । କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିପାରେ ।
ଅନ୍ୟ ବଡ଼ ମନ୍ଦିର ଖୋଲିବା ଆଶା ବଢ଼ିଲା
ରାଜ୍ୟରେ ପୁରୀ ମନ୍ଦିର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରସିଦ୍ଧ ମନ୍ଦିର ଗୁଡ଼ିକରେ ସାଧାରଣ ଭକ୍ତଙ୍କୁ ପ୍ରବେଶ କରିବାକୁ ସୁଯୋଗ ଦିଆଯାଉନାହିଁ । ଶ୍ରୀମନ୍ଦିର ଖୋଲିବା ପରେ ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ଯଥା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ରାମମନ୍ଦିର, ଇସ୍କନ ମନ୍ଦିର, କଟକର ଧବଳେଶ୍ୱର, ସମ୍ବଲପୁରର ସମଲେଶ୍ୱରୀ, କୋରାପୁଟର ଶାବର ଶ୍ରୀକ୍ଷେତ୍ର ଖୋଲିପାରେ । ସରକାର ଯଦିଓ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇ ନାହାନ୍ତି, ତଥାପି ଗ୍ରାମାଂଚଳରେ ମନ୍ଦିରଗୁଡ଼ିକ ଖୋଲିଥିବା ଦେଖାଯାଉଛି ।