Wednesday, December 4, 2024
Homeଗଂଗା-ଯମୁନା ନଦୀରୁ ୮୦ ଶବ ଉଦ୍ଧାର
Array

ଗଂଗା-ଯମୁନା ନଦୀରୁ ୮୦ ଶବ ଉଦ୍ଧାର

ନୂଆଦିଲ୍ଲୀ: ପବିତ୍ର ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସରକାର ସବୁବେଳେ ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗଂଗା ନଦୀର ସୁରକ୍ଷା ଓ ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମୋଦୀଙ୍କ ସରକାରରେ ଗଂଗା ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି । ତଥାପି ଗଂଗା ନଦୀକୁ ସ୍ୱଚ୍ଛ ଓ ପବିତ୍ର ରଖାଯାଇ ପାରୁ ନାହିଁ । କାରଣ ଗଂଗା ନଦୀର ଉଭୟ ପାଶ୍ୱର୍ରେ ଅନେକ ଗୁଡ଼ିଏ ସହର ବସିଛି । ସହରାଂଚଳର ଦୂଷିତ ପାଣି ଗଂଗାରେ ପ୍ରବାହିତ ହୋଇ ଏହାର ଜଳକୁ ମଇଳା କରୁଛି । ସହରର ତଳିଆ ଅଂଚଳର ଲୋକେ ଗଂଗାକୁ ଅଧିକ ଆବର୍ଜନାପୂର୍ଣ୍ଣ କରୁଛନ୍ତି । ଭାରତର ସର୍ବାଧିକ ଲୋକ ରହୁଥିବା ରାଜ୍ୟ ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଦେଇ ଗଂଗା ପ୍ରବାହିତ ହେଉଛି ଏବଂ ସ୍ଥାନୀୟ ଲୋକେ ଗଂଗା ଜଳକୁ ଆବର୍ଜନା ଫିଙ୍ଗୁଛନ୍ତି । କଳକାରଖାନାର ଜଳ ଗଂଗାନଦୀରେ ମିଶୁଥିବାରୁ ଏହା ଅପରିଷ୍କାର ହେବାର ଅନ୍ୟତମ କାରଣ ।

ବକ୍ସାରରେ ୭୩ ମୃତଦେହ ଉଦ୍ଧାର

ଗଂଗା ନଦୀ ଏବେ ଅଧିକ ଦୂଷିତ ହେବାର ସମ୍ଭାବନା ରହିଛି । କାରଣ ବର୍ତ୍ତମାନ ପରିପ୍ରେକ୍ଷୀରେ ୭୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । ବିହାରର ବକ୍ସାର ଜିଲ୍ଲା ପ୍ରଶାସନ ଗଂଗା ନଦୀରୁ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି । ବିହାର ସରକାରଙ୍କ କହିବା ଅନୁସାରେ ଗଂଜା ନଦୀରୁ ମଙ୍ଗଳବାର ଯାଏଁ ମୋଟ ୭୩ଟି ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର କରାଯାଇଥିବା ମୃତଦେହ ଏଗୁଡ଼ିକ ଉତ୍ତର ପ୍ରଦେଶରୁ ପ୍ରବାହିତ ହୋଇଛି ବୋଲି ବିହାର ଜଳ ସମ୍ବଳ ମନ୍ତ୍ରୀ ସଂଜୟ କୁମାର ଝା କହିଛନ୍ତି । ତାଙ୍କ କହିବା ଅନୁସାରେ ୪/୫ ଦିନର ଗଳିତ ଶବ ଉତ୍ତର ପ୍ରଦେଶରୁ ବହି ଆସିଛି । ମହାମାରୀ କରୋନା ଭାଇରସରେ ଉତ୍ତର ପ୍ରଦେଶ ପ୍ରଭାବିତ ହୋଇଛି । କରୋନାରେ ମୃତ୍ୟୁ ହେବା ପରେ ଲୋକେ ଶବକୁ ଅନ୍ତିମ ସଂସ୍କାର କରିବା ବଦଳରେ ଗଂଗାନଦୀକୁ ଫିଙ୍ଗି ଦେଉଥିବା ଅଭିଯୋଗ ହେଉଛି । ତେଣୁ ପରବର୍ତ୍ତୀ ସମୟରେ ଏହି ଶବଗୁଡ଼ିକ ତଳିଆ ଅଂଚଳରେ ଭାସୁଥିବାର ଦେଖିବାକୁ ମିଳୁଛି । ଗଂଗା ନଦୀରୁ ଏତେ ପରିମାଣରେ ଶବ ଉଦ୍ଧାର ହେବା ନେଇ ବିହାର ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି । ଗଂଗା ନଦୀକୁ କିଭଳି ସ୍ୱଚ୍ଛ ରଖାଯାଇ ପାରିବ ସରକାରଙ୍କ ସେ ନେଇ ମୁଣ୍ଡ ବ୍ୟଥା ହୋଇଛି ।

ଗରିବ ଲୋକେ ନଦୀକୁ ଫିଙ୍ଗିଲେ ଶବ

ଚୌସା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶୋକ କୁମାରଙ୍କ କହିବା ଅନୁସାରେ ଗଂଗା ନଦୀରୁ ଉଦ୍ଧାର ହୋଇଥିବା ଶବ ଗୁଡ଼ିକ ବକ୍ସାର ଅଚଂଳର ନୁହେଁ । କାରଣ ନିକଟରେ ସେଭଳି ଅଭିଯୋଗ ଆସି ନାହିଁ । ତେଣୁ କୁହାଯାଇ ପାରିବ ଯେ, ଗଂଗା ନଦୀରେ ଯେଉଁ ଶବଗୁଡ଼ିକ ମିଳିଛି, ସେମାନଙ୍କର ପରିବାର ଲୋକେ ଆର୍ଥିକ ଭାବେ ସ୍ୱଚ୍ଛଳ ନଥାଇ ପାରନ୍ତି, ଯେଉଁଥି ପାଇଁ କି ସେମାନେ ଅନ୍ୟ ଉପାୟ ନପାଇ ଗଂଗା ନଦୀରେ ଶବ ଭସାଇ ଦେଇଥାଇ ପାରନ୍ତି ।

ଯମୁନା ନଦୀରୁ ମଧ୍ୟ ଶବ ଉଦ୍ଧାର

କେବଳ ଗଂଗା ନଦୀ ନୁହେଁ, ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାରେ ଯମୁନା ନଦୀରୁ ମଧ୍ୟ ମୃତଦେହ ଉଦ୍ଧାର ହୋଇଛି । ଉଭୟ ଗଂଗା ଓ ଯମୁନା ନଦୀରୁ ଶବ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ିଯାଇଛି । ଜିଲ୍ଲାପାଳ ଜ୍ଞାନେଶ୍ୱର ତ୍ରିପାଠୀ କହିଛନ୍ତି, ହମୀରପୁରରେ ଯମୁନା ନଦୀ ପୋଲ ତଳୁ ଶବ ମିଳିବା ନେଇ ଚଳିତ ମାସ ୬ ତାରିଖରେ ସୂଚନା ମିଳିଥିଲା । ସେଦିନ ୪ଟ ଶବ ଭାସୁଥିବା ବେଳେ ଗୋଟିଏ ମୃତଦେହ ନଦୀକୂଳରେ ପଡ଼ିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ, ଲୋକେ ନିଜର ଆତ୍ମୀୟଙ୍କ ମୃତ୍ୟୁ ପରେ ଶବ ଯମୁନାକୁ ଭସାଇଦେଇଥିଲେ ।

ଗଂଗା-ଯମୁନାରୁ ଉଦ୍ଧାର ଶବ କୋଭିଡଜନିତ !

ଉଭୟ ଗଂଗା ଓ ଯମୁନାରୁ ୮୦ରୁ ଅଧିକ ଶବ ଉଦ୍ଧାର ହେବା ପରେ ଲୋକଙ୍କର ମନରେ କୋଭିଡ-୧୯ ପ୍ରତି ଅଧିକ ସଂଦେହ ଜାତ ହୋଇଛି । କାରଣ କୋଭିଡରେ ସଂକ୍ରମିତ ହେବା ପରେ ଲୋକେ ନିଜର ସଂପର୍କୀୟଙ୍କ ମୃତଦେହ ଛୁଇଁବାକୁ ଡରିଥାଇପାରନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହାକୁ ଖାରଜ କରିଦେଇଛନ୍ତି ।
ହମୀରପୁର ଜିଲ୍ଲାପାଳ କହିଛନ୍ତି ଯେ, ଆମେ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା କରିଛୁ । ଶବକୁ ଦେଖି ପ୍ରାଥମିକ ଆକଳନ କରାଯାଇଛି, ଏହା କରୋନା ଭାଇରସଜନିତ ମୃତ୍ୟୁ ନୁହେଁ । ଶବ ଉପରେ ସାଧାରଣ ପରଂପରାଗତ ପୋଷାକ ରହିଛି । କରୋନାଜନିତ ମୃତ୍ୟୁ ହୋଇଥିଲେ ଶବକୁ ସ୍ୱତନ୍ତ୍ର ଭାବେ ପ୍ୟାକିଂକ କରାଯାଇଥାଏ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments