ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଅନୁଷ୍ଠିତ ୪୮ ତମ କ୍ୟାବିନେଟ୍ ବୈଠକରେ ବରଗଡ଼ ଜିଲ୍ଲାର ବିଜେପୁର ଅଂଚଳକୁ ନିଶ୍ଚିତ ଜଳସେଚନ ଯୋଗାଇବା ପାଇଁ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ( ଲିଫ୍ଟ କେନାଲ ସିଷ୍ଟମ) ଟେଣ୍ଡରକୁ ମଞ୍ଜୁର କରିଛନ୍ତି। ଜଳ ପାଇଁ ଅଧିକାଂଶ ସମୟରେ ମରୁଡ଼ି ଦ୍ୱାରା କୃଷି ପ୍ରଭାବିତ ହେଉଥିବା ଏହି ଅଂଚଳ ପାଇଁ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି।
ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୫,୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ଟି ଗ୍ରାମର ୬,୪୦୦ ହେକ୍ଟର ଏବଂ ବରପାଲି ବ୍ଲକର ୧୯ ଟି ଗ୍ରାମର ୩,୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୧୬୦ ହେକ୍ଟର, ଏସବୁ ମିଶି ସମୁଦାୟ ୧୨୪ଟି ଗ୍ରାମର ୨୫,୬୦୦ ହେକ୍ଟର ଜମିକୁ ଜଳ ସେଚନ ସୁବିଧା ହୋଇପାରିବା ସହିତ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇପାରିବ। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଅଂଚଳବାସୀଙ୍କ ଉନ୍ନତି ପାଇଁ ଦେଇଥିବା ପ୍ରତିଶ୍ରୁତି ସାକାର ହେବାକୁ ଯାଉଛି।
ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଯାନ୍ତ୍ରିକ, କ୍ରୟ ଓ ନିର୍ମାଣ (ଇଂଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଓ କନ୍ଷ୍ଟ୍ରକ୍ସନ) ପଦ୍ଧତିରେ କରାଯାଇ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ପ୍ରକଳ୍ପ ଜରିଆରେ ୩୦ ପ୍ରତିଶତ ସେଚାଂଚଳରେ ସ୍ୱୟଂଚାଳିତ ଅଣୁ ଜଳସେଚନ (ଅଟୋମେଟେଡ୍ ମାଇକ୍ରୋ ଇରିଗେସନ ସିଷ୍ଟମ୍ ) କରିବା ପାଇଁ ବ୍ୟବସ୍ଥା ରହିଛି। ଏହି ପଦ୍ଧତି କୃଷକମାନଙ୍କୁ ସ୍ୱଳ୍ପ ଜଳ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି କରିବା ଦିଗରେ ସହାୟକ ହୋଇପାରିବ।