Friday, September 13, 2024
Homeଗଛରେ ଝୁଲିପଡ଼ିଲେ କି ଶିବଭକ୍ତ
Array

ଗଛରେ ଝୁଲିପଡ଼ିଲେ କି ଶିବଭକ୍ତ

ଭୁବନେଶ୍ବର: ଦଣ୍ଡନାଚ ଓଡ଼ିଆ ସଂସ୍କୃତିର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଗଂଜାମ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଏହି ଦଣ୍ଡନାଚ ବହୁବର୍ଷ ଧରି ପ୍ରଚଳିତ ହେଉଛି। ଚୈତ୍ର ମାସ ଅବସରରେ ଦଣ୍ଡୁଆମାନେ ମାନସିକ ଯାତ୍ରାରେ ବାହାରିଥାନ୍ତି। ଭଗବାନ ଶିବଙ୍କ ଝାମୁଯାତ୍ରାରେ ନିୟୋଜିତ ରହିଥାନ୍ତି। ପ୍ରବଳ ଖରାରେ ବିନା ଛତା ଓ ଜୋତାରେ ଚାଲିବା ଅସମ୍ଭବ ସ୍ଥିତି ଦେଖାଯାଇଥିଲେ ମଧ୍ୟ ମହାଦେବଙ୍କ ଭକ୍ତମାନେ ପଣା ସଂକ୍ରାନ୍ତି ଯାଏଁ ଗାଁକୁ ଗାଁ ଯାଇଥାନ୍ତି। ମଧ୍ୟାହ୍ନର ପ୍ରବଳ ଖରାକୁ ଖାତିର ନକରି ଉପାସରେ ପାଣି ଦଣ୍ଡ କରିଥାନ୍ତି। ମେରୁ (ସଂକ୍ରାନ୍ତି) ପର୍ଯ୍ୟନ୍ତ କେବଳ ରାତିରେ ହବିଷ ଅନ୍ନ ଖାଇଥାନ୍ତି।

‘ଦଣ୍ଡନାଚ’ ବହୁବର୍ଷ ହେଲା ପ୍ରଚଳିତ ହୋଇ ଆସୁଛି। ପ୍ରଭୁଙ୍କ ନିକଟରେ ଗଭୀର ବିଶ୍ବାସ ରଖୁଥିବା ବ୍ୟକ୍ତିମାନେ ହିଁ ଏହି ଧାର୍ମିକ କାମରେ ନିୟୋଜିତ ହୋଇଥାନ୍ତି। ଯୁବକ ଠାରୁ ବରିଷ୍ଠ ନାଗରିକମାନେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି। ଅନ୍ୟପଟରେ ମାନସିକ ବ୍ରତ ରଖିଥିବା ପରିବାର ଦଣ୍ଡ ଓ ଦଣ୍ଡୁଆଙ୍କର ସେବା କରି ନିଜକୁ ଧନ୍ୟ ମନେ କରନ୍ତି। ଦଣ୍ଡଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ବାଦୀଦଣ୍ଡ ଓ ଶମ୍ଭୁ ମିଳନ। ଅର୍ଥାତ ବେଳେ ବେଳେ ୨ରୁ ଊର୍ଦ୍ଧ୍ବ ଦଣ୍ଡ ପାର୍ଟିକୁ ଏକତ୍ର ଦେଖିବାକୁ ମିଳିଥାଏ। ଦଣ୍ଡରେ ମୁଖ୍ୟ ଦେବତା ହେଉଛନ୍ତି ଭଗବାନ ଶିବ। ମହାଦେବଙ୍କ ସହିତ ଅନ୍ୟ ଦେବାଦେବୀ ମଧ୍ୟ ଝାମୁଯାତ୍ରାରେ ବାହାରି ଥାନ୍ତି।

ଦଣ୍ଡଯାତ୍ରା ବେଳେ ହିଂସା

କ୍ଷୋଭର ବିଷୟ ହେଲା ଯେ, ଚଳିତ ଥର ଦଣ୍ଡ ଓ ଦଣ୍ଡୁଆଙ୍କୁ ନେଇ ଅଭାବନୀୟ ଖବର ଆସିଛି। ମହାଦେବଙ୍କର ଭକ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଜଣେ ଦଣ୍ଡୁଆର ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି। ମାନିସକ ବ୍ରତ ରଖି ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କର ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ତିନି ପଡୋଶୀ ଜିଲ୍ଲା ଗଂଜାମ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ଗତ ସପ୍ତାହରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।

୨ ଦଣ୍ଡୁଆଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଦଣ୍ଡୁଆ ବିଜୟ ନାହାକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ସେ ଗତ ୫ ତାରିଖ ରାତିରୁ ଘୁଗୁଡିପଡା ଠାରୁ ନିଖୋଜ ଥିଲେ। ରବିବାର ଅପରାହ୍ଣରେ ଝିଣ୍ଟିକା ଜଙ୍ଗଲରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଲୋକେ ଠାବ କରିଥିଲେ। ଏକ ଗାମୁଛାକୁ ବେକରେ ଫାଶ ପକାଇ ଝୁଲିଥିବା ଦେଖିବାକୁ ମିଳିଥିଲା। ହେଲେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ସେହିପରି କିଛିଦିନ ପୂର୍ବରୁ ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମରେ ଜଣେ ଦଣ୍ଡୁଆଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା। ମୃତ ଦଣ୍ଡୁଆ ଜଣକ ପଙ୍କଳସାହି ଗ୍ରାମର ପ୍ରଦୀପ ଜେନା (୪୨) ବୋଲି ଜଣାପଡ଼ିଥିଲା। ପ୍ରଦୀପଙ୍କ ୨ ଗୋଡ଼ରୁ ରକ୍ତ ସ୍ରାବ ହୋଇଥିବା ଏବଂ ଆଣ୍ଠୁ ଭାଙ୍ଗି ମାଟି ତଳେ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଟାଙ୍ଗୀ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।  

ମହିଳାଙ୍କୁ ହାଣିଲା ଦଣ୍ଡୁଆ

ଗାଁ ଦାଣ୍ଡରେ ଦଣ୍ଡ ନୃତ୍ୟ ଚାଲିଥିଲା ବେଳେ ବୌଦ୍ଧ ଜିଲ୍ଲା ବାଉଶୁଣି ଥାନା ଅନ୍ତର୍ଗତ ପଲସପାଟ ଗାଁରେ ଗତ ୭ ତାରିଖ ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଥିଲା। ଜଣେ ଯୁବକ ଏହି ଗାଁର ମହିଳା ସୂର୍ଯ୍ୟକାନ୍ତି ପ୍ରଧାନ (୩୫)ଙ୍କୁ ଗୋଡେଇ ଗୋଡେଇ ହାଣିଥିଲା। ମହିଳା ଜଣକ ପ୍ରାଣ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡୁଥିଲେ। ଅନ୍ୟ ଘରକୁ ପଶିଯାଇଥିଲେ। ତଥାପି ରକ୍ତମୁହାଁ ଯୁବକ ଠାରୁ ବର୍ତ୍ତି ପାରି ନଥିଲେ। ସେ ମହିଳାଙ୍କୁ ଚିହ୍ନି ନଥିଲେ ମଧ୍ୟ କେଉଁ କାରଣରୁ ତାଙ୍କୁ ହତ୍ୟା କରିଥିଲା, ତାହା ଏବେବି ରହସ୍ୟ ଘେରରେ। ତେବେ ଅଭିଯୁକ୍ତ ଜଣେ ଦୁଣ୍ଡୁଆ ଥିଲା ବୋଲି ଗାଁ ଲୋକେ କହିଥିଲେ। ପୁଲିସର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ। ଗାଁରେ ବ୍ୟାପକ ପୁଲିସ ମୁତୟନ ଅଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments