Wednesday, October 9, 2024
Homeଗଛ ତଳେ ଚାଲିଛି ପାଠ ପଢ଼ା
Array

ଗଛ ତଳେ ଚାଲିଛି ପାଠ ପଢ଼ା

ଭୁବନେଶ୍ବର: ଆଜରି ଶିଶୁ ଭବିଷ୍ୟତର ନାଗରିକ ହେବ। ଆଜିର ଶିଶୁକୁ ଆମେ ଯେତିକି ସଶକ୍ତ ଭାବେ ଗଢ଼ିବା, ଭବିଷ୍ୟତକୁ ସେତିକି ସମୃଦ୍ଧ ଓ ଶକ୍ତିଶାଳୀ କରିପାରିବା। ତେଣୁ ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଭିତ୍ତିଭୂମି ସେହି ଆଧାରରେ ହେବା ଉଚିତ। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଭାରତର ପରିକଳ୍ପନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏବେ ଠାରୁ ଓଡ଼ିଶା ୧୦୦ ବର୍ଷ ପୂରଣ ସମୟରେ ବିକାଶ କେଉଁସ୍ତରରେ ପହଞ୍ଚି ଥିବା, ସେନେଇ ଯୋଜନା କରୁଛନ୍ତି। ଡିଜିଟାଲ ଇଣ୍ଡିଆକୁ ନେଇ ସରକାର ବଡ଼ ବଡ଼ ବାହାଦୂରୀ ଦେଖାଉଥିଲା ବେଳେ ରାଜ୍ୟରେ ଆଜିବି ଅନେକ ସ୍କୁଲରେ ଗଛ ତଳେ ପାଠ ପଢ଼ାଯାଉଛି।

ଭାରତ ହେଉ କି ଓଡ଼ିଶା। ଆମେ ଡିଜିଟାଲ ଯୁଗରେ ପହଞ୍ଚି ସାରିଛୁ। ଅତ୍ୟାଧୁନିକତାର ସମସ୍ତଙ୍କୁ ସ୍ପର୍ଶ କରିସାରିଛି। ପୁରାଣ ଯୁଗର ଗୁରୁକୁଳ ଆଶ୍ରମ ପରଂପରା ଆଉ ନାହିଁ। ତଥାପି ରାଜ୍ୟର ଅନେକ ସ୍ଥାନରେ ପିଲାମାନେ ଗଛତଳେ ପାଠ ପଢୁଛନ୍ତି। ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଶକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦ୍ରର ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିଛନ୍ତି। ଭୁବନେଶ୍ବରରେ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଚାଲିଛି। ସେହିପରି ପ୍ରତି ପଞ୍ଚାୟତରେ ୫-ଟି ସ୍କୁଲ ନିର୍ମାଣ ଚାଲିଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ହଜାର ହଜାର ଛାତ୍ର ଆଜିବି ଗଛତଳେ ବସି ପାଠ ପଢୁଛନ୍ତି। ସେମାନଙ୍କର ଦାବି କେହି ଶୁଣୁ ନଥିବା ଅଭିଯୋଗ ହେଉଛି।

ବିପଦ ସଂକୁଳ ଅବସ୍ଥାରେ ସ୍କୁଲ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଂଚାୟତ ଲୁହାଖାନ୍ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ସଙ୍ଗୀନ ହୋଇଯାଇଛି। ଜରାଜୀର୍ଣ ଶ୍ରେଣୀ କୋଠରୀ ସାଙ୍ଗକୁ  ଛାତ ଫାଟି ଆ’ କରିଛି। କେଉଁଠି ସମ୍ପୂର୍ଣ ଭାଙ୍ଗି ସାରିଲାଣି ତ କେଉଁଠି ଭାଙ୍ଗିବା ଉପରେI ଏହି ଭଳି ଏକ ବିପଦସଂକୁଳ ଅବସ୍ଥାରେ ଶିକ୍ଷା ଦାନ ଚାଲିଥିବା ବେଳେ ପିଲାମାନେ ତିନି ମାସ ହେଲା ଗଛ ତଳେ  ବସି ପାଠ ପଢୁଛନ୍ତି I କାରଣ ହେଲା ବିପଦପୂର୍ଣ୍ଣ ସ୍ଥାନ ଅପେକ୍ଷା ଗଛ ତଳେ  ପାଠ  ପଢିଲେ। ୧୯୭୩ ମସିହାରେ ନିର୍ମିତ ହୋଇଥିବା ଏଇ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦/୫୦ଜଣ ପିଲା ପାଠ ପଢ଼ନ୍ତି। ଶ୍ରେଣୀ କୋଠରୀଗୁଡ଼ିକ ଭାଙ୍ଗି ଗଲାଣି। ସ୍ଲାବ୍ରୁ ଅତଡା ଖସୁଛି। ଛାତର ଛଡ଼ଗୁଡିକ ଜଳ ଜଳ ଦିଶୁଛି।  

ଗଛ ତଳେ ପାଠ ଓ ମଧ୍ୟାହ୍ଣ ଭୋଜନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗ୍ରାମର ପ୍ରାଥମିକ ସ୍କୁଲର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଠାରେ ପିଲାମାନଙ୍କ ପାଠ ପଢ଼ିବା ପାଇଁ ବିଦ୍ୟାଳୟ ଅଛି। କିନ୍ତୁ ପିଲାମାନେ ଗଛ ତଳେ ପାଠ ପଢ଼ୁଛନ୍ତି। କାରଣ ନିର୍ବାଚନ ଜିତିଲା ପରେ ସରପଞ୍ଚଙ୍କ ସମର୍ଥକମାନେ ସ୍କୁଲ ଜାଗାରେ ନୂତନ ସ୍କୁଲ କୋଠା ନିର୍ମାଣ ନକରି ଏକ ଘରୋଇ ଜମିରେ ସ୍କୁଲ କୋଠା ନିର୍ମାଣ ଜିଦ୍ରେ ସ୍କୁଲରେ ତାଲା ପକାଇ ଦେଇଛନ୍ତି। ରକ୍ତପାତ ହୋଇ କଣ୍ଟାମାଳ ଥାନାରେ ମାମଲା ରୁଜୁ ହୋଇ ଜେଲ୍ ମଧ୍ୟ ଯାଇଥିଲେ ମଧ୍ୟ ଏଥିରେ ସୁଧାର ଆସୁନାହିଁ। ପିଲାମାନେ ଗଛତଳେ ପାଠପଢ଼ିବା ସହ ମଧ୍ୟାହ୍ନ ଭୋଜନ ଖାଉଛନ୍ତି।  

ଅଙ୍ଗନବାଡ଼ି ଶିଶୁ ବି ଅସୁବିଧାରେ

ସେହିପରି ମୟୂରଭଂଜ ଜିଲ୍ଲା ଖିଚିଂ ବ୍ଲକ ଅନ୍ତର୍ଗତ ପୋଖରିଆ ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା କହିଲେ ନସରେ। ବର୍ଷେ କି ଦୁଇବର୍ଷ ନୁହେଁ ୫ବର୍ଷରୁ ଊର୍ଦ୍ଧ୍ବ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ର ଗଛମୂଳେ ଚାଲିଛି। ଶୁକୃଳି ଅନ୍ତର୍ଗତ ବାରିଆ ପଞ୍ଚାୟତ ପୋଖରିଆ ଗ୍ରାମରେ ପରିଚାଳିତ ଅଙ୍ଗବାଡ଼ିରେ ବର୍ଷାଦିନ କେନ୍ଦ୍ର ଛାତରୁ ଗଳି ଭିତରେ ପାଣି ଜମୁଛି। ଛାତ ଦୁର୍ବଳ ହୋଇ କଂକ୍ରିଟ ଖସୁଛି। ଛାତ ତଳେ ବସୁଥିବା କୋମଳମତି ଶିଶୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ନେଇ ଗ୍ରାମବାସୀ ଶିଶୁମାନଙ୍କୁ କେନ୍ଦ୍ରକୁ ଯିବାକୁ ବାରଣ କରିଛନ୍ତି। ରାଜ୍ୟର ଅନେକ ସ୍ଥାନରେ କେନ୍ଦ୍ର ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ଦୁର୍ଗମ ଏବଂ ଗ୍ରାମାଞ୍ଚଳର କୋମଳମତି ଶିଶୁମାନେ ଭଡ଼ା ଘରେ, ଗଛମୂଳରେ ପ୍ରାକ୍ ଶିକ୍ଷା ଗ୍ରହଣ କରୁଛନ୍ତି। ସ୍ଥାୟୀ କେନ୍ଦ୍ର ନଥିବାରୁ ବର୍ଷା ଓ ଶୀତ ଦିନରେ କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments