ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ନିୟନ୍ତ୍ରିତ ଅବସ୍ଥାକୁ ଆସିବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ଗତ ୮ ତାରିଖ ଠାରୁ ଅଫ୍ଲାଇନ ମାଧ୍ୟମରେ ପାଠପଢ଼ା ଚାଲିଛି । ଦୀର୍ଘ ୯ ମାସ ପରେ ସ୍କୁଲ ଖୋଲିଥିବାରୁ ଅଧିକାଂଶ ସ୍କୁଲରେ ପିଲାମାନେ ଖୁସି ଅନୁଭବ କରୁଛନ୍ତି । କିଛି ବିଦ୍ୟାଳୟ ପରିସରରେ ମହୋତ୍ସବର ପରିବେଶ ଦେଖାଯାଉଛି । ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଶେଷ କରିବା ଉଦେଶ୍ୟରେ ରବିବାର ଦିନ ମଧ୍ୟ ପାଠପଢ଼ା ଜାରି ରହିଛି । ସେହିପରି କୋଭିଡ-୧୯ କଟକଣା ମଧ୍ୟରେ ବିଦ୍ୟାଳୟର ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିସାରିଛି । ସିନେମା ହଲ୍ ଗୁଡ଼ିକ ମଧ୍ୟ ଆରମ୍ଭ ହୋଇଯାଇଛି ।
ଏତିକି ବେଳେ ଗଜପତି ଜିଲ୍ଲାରେ ହଠାତ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହେବା ଲୋକଙ୍କୁ ବ୍ୟଥିତ କରିପକାଇଛି । ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା ଯେ, ପଜିଟିଭ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୬ ଜଣ ଶିକ୍ଷକ ଓ ୨ ଜଣ ଛାତ୍ର । ଏହି ଶିକ୍ଷକମାନଙ୍କ ମଧ୍ୟରେ ମୋହନା ବ୍ଲକରୁ ଅଛନ୍ତି ୨୧ ଜଣ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ସମସ୍ତ ଆକ୍ରାନ୍ତଙ୍କୁ ମୋହନା ବ୍ଲକର କାଳିଆପଟା କୋଭିଡ କେୟାର ଓ ପାରଳାଖେମୁଣ୍ଡିସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶିକ୍ଷକ-ଅଭିଭାବକଙ୍କ ଚିନ୍ତା ବଢ଼ିଲା
ଗଜପତି ଜିଲ୍ଲାରେ ଶିକ୍ଷକ ଓ ଛାତ୍ରମାନଙ୍କୁ କରୋନା ହେବା ପରେ ରାଜ୍ୟରେ ଅନ୍ୟ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ଚିନ୍ତା ବଢ଼ିଯାଇଛି । ଯଦି ଅନ୍ୟ ଜିଲ୍ଲାରେ ମଧ୍ୟ ଗଜପତି ଭଳି ସ୍ଥିତି ହେବ, ତା’ହେଲେ ବିଦ୍ୟାଳୟଗୁଡ଼ିକ ଯେକୌଣସି ସମୟରେ ପୁଣି ଥରେ ବନ୍ଦ ହୋଇଯିବ । ତେବେ ଅନ୍ୟ ଜିଲ୍ଲାରେ ଶିକ୍ଷକ ଓ ପିଲାମାନେ କରୋନା ପଜିଟିଭ ଚିହ୍ନଟ ହେବାର ଖବର ଆସିନାହିଁ । କିନ୍ତୁ ଅନ୍ୟ ଜିଲ୍ଳାରେ ଶିକ୍ଷକ ଓ ପିଲାମାନେ କରୋନା ପଜିଟିଭ ଚିହ୍ନଟ ନ ହେବେ ତାହାର କିଛି ସୁନିଶ୍ଚିତତା ନାହିଁ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ଭାବେ କରାଯିବାର ଥିଲା । କେବଳ ନେଗେଟିଭ ଥିବା ଶିକ୍ଷକ, ଛାତ୍ର ହିଁ ବିଦ୍ୟାଳୟକୁ ଆସିପାରିବେ । ସେହିପରି ଛାତ୍ରଛାତ୍ରମାନେ ହଷ୍ଟେଲକୁ ପ୍ରବେଶ କରିବା ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ନେଇ ଆସିବେ ।
ବିହାରରେ ୨୫ ଜଣ ପିଲାଙ୍କୁ କରୋନା, ୨୪ ଘଣ୍ଟାରେ ନେଗେଟିଭ
ବିହାରରେ ଗତ ୪ ତାରିଖରେ ସ୍କୁଲ ଓ କଲେଜ ଖୋଲିଛି । କିନ୍ତୁ ଅନେକ ସ୍ଥାନରେ ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ମୁଙ୍ଗେର ଜିଲ୍ଲାରେ ୨୫ ଜଣ ପିଲାଙ୍କୁ କରୋନା ହୋଇଛି । ଏହା ବ୍ୟତୀତ ଜିଲ୍ଲାର ୨ ଜଣ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । କିନ୍ତୁ କରୋନା ପଜିଟିଭ ଚିହ୍ନଟ ହେବାର ମାତ୍ର ୨୪ ଘଣ୍ଟା ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ
ଆନ୍ଧ୍ରପ୍ରଦେଶରେ ଗତ ନଭେମ୍ବର ପ୍ରଥମ ସପ୍ତାହରେ ବିଦ୍ୟାଳୟ ଗୁଡ଼ିକ ଖୋଲିଥିଲା । ସ୍କୁଲ ଖୋଲିବା ପରେ ୨୬୨ ଜଣ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆନ୍ଧ୍ରପ୍ରଦେଶରେ ୨୦୨୦ ନଭେମ୍ବର ୨ ତାରିଖରେ ୯ମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲା । ସ୍କୁଲ ଯୁବାକୁ ୯.୭୫ ଲକ୍ଷ ପିଲାଙ୍କ ମଧ୍ୟରୁ ୩.୯୩ ଲକ୍ଷ ପାଠପଢ଼ିବାକୁ ଆସିଥିଲେ । ସେହିପରି ୧ ଲକ୍ଷ ୧୧ ହଜାର ଶିକ୍ଷକଙ୍କ ମଧ୍ୟରୁ ପ୍ରାୟ ୯୯ ହଜାର ବିଦ୍ୟାଳୟକୁ ପାଠ ପଢ଼ାଇବାକୁ ପହଂଚିଥିଲେ ।