ଭୁବନେଶ୍ୱର: ରାଜ୍ୟରେ ରୋଜଗାରର ଘୋର ଅଭାବ। କର୍ମ ସଂସ୍ଥାନ ପାଇଁ ନାହିଁ କଳକାରଖାନା। ଅର୍ଥ ରୋଜଗାର କରିବାକୁ ମଧ୍ୟ ଅନ୍ୟ ବ୍ୟବସ୍ଥାର ସୁଯୋଗ ନାହିଁ। ସରକାର ଯେତେ ବାହାଦୂରୀ ଦେଖାନ୍ତୁ ପଛେ, ଓଡ଼ିଶା କେତେ ବିକଶିତ ରାଜ୍ୟ, ତାହା ପଡୋଶୀରେ ଚର୍ଚ୍ଚା ହୋଇଥାଏ। ବାହାର ରାଜ୍ୟରେ ପ୍ରବାସୀ ଓଡ଼ିଆ ଦାଦନ ଖଟିବା, ରାୟପୁରରେ ହୋଟେଲରେ ୱେଟର ଭାବେ କାମ କରିବା, ସ୍ୱାଧୀନତାର ୭୪ ବର୍ଷ ପରେ ରିକ୍ସା ଟାଣିବା, ତାମିଲନାଡୁର କଳକାରଖାନା ଗୁଡ଼ିକରେ କାମ କରିବା ତଥା ଆନ୍ଧ୍ରପ୍ରଦେଶର ଇଟାଭାଟି ଗୁଡ଼ିକରେ ବନ୍ଧା ପଡ଼ିବା, ପଶ୍ଚିମବଙ୍ଗର ଚିଙ୍ଗୁଡ଼ି କାରଖାନାରେ ଶ୍ରମିକ ଭାବେ କାମକରିବା ହେଉଛି ବିକଶିତ ଓଡ଼ିଶାର ଚିତ୍ର।
ସୀମିତ ଚାଷ କାମ ବ୍ୟତୀତ ରାଜ୍ୟରେ କାମଧନ୍ଦାର ଘୋର ଅଭାବ ଦେଖାଯାଉଛି। ରୋଜଗାର ନ ମିଳୁ ନଥିବାରୁ ଯୁବପୀଢ଼ି ବେକାରରେ ବସି ରହୁଛନ୍ତି। ତେଣୁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ପଳାୟନ କରୁଛନ୍ତି। ଅତିକମରେ କିଛି ବର୍ଷ ପାଇଁ ଯୁବପୀଢ଼ି ଘରକୁ କିଛି ଟଙ୍କା ପଠାଇ ଘରର ଆର୍ଥିକ ସମସ୍ୟାକୁ ଦୂରେଇ ପାରୁଛନ୍ତି। ମାତ୍ର ଦୁଃଖର କଥା ଯେ, ଆମେ ଅନେକ ସମୟରେ ଦେଖିବାକୁ ପାଉଛେ ଯେ, ଦାଦନ ଖଟିବାକୁ ଯାଇ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ମଧ୍ୟରୁ ଅନେକ ଆଉ ଜୀବିତ ଅବସ୍ଥାରେ ଫେରିପାରୁ ନାହାନ୍ତି। ବିଗତ ୧୦ ଦିନ ମଧ୍ୟରେ ୪ ଜଣ ପ୍ରବାସୀ ଓଡ଼ିଆ ଦୁର୍ଘଟଣାର ସାମ୍ନା କରି ଜୀବନ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଥିଲେ କୋରାପୁଟ ନିବାସୀ।
ଶବ ଅପେକ୍ଷାରେ ଗ୍ରାମବାସୀ
କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ଦଣ୍ଡାବାଡ଼ି ଗାଁର ଜୁମ୍ବେରା ଟେକା ପଡୋଶୀ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀସ୍ଥିତ ଏକ ଚିଙ୍ଗୁଡ଼ି କାରଖାନାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ ବୁଧବାର କାରଖାନାରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପରିବାର ଲୋକେ ଜୁମେବରାଙ୍କ ମୃତ୍ୟୁ ସଂପର୍କିତ ସୂଚନା ପାଇବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆନ୍ଧ୍ରରୁ ମୃତଦେହ କେମିତ ଆସିବ, ଭାଲେଣୀ ପଡ଼ିଛି। ଗାଁ ଲୋକେ ଶବ ଆଣିବା ପାଇଁ ଚାନ୍ଦା ଅସୁଲି କରିଛନ୍ତି। ଦିନେ ଦୁଇ ଦିନ ଭିତରେ ମୃତହେଦ ଆସିପାରେ। ପରିବାର ଓ ଗାଁ ଲୋକେ ଶବ ଅପେକ୍ଷାରେ ଅଛନ୍ତି।
ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ
ଗଂଜାମ ହେଉଛି ଦାଦନ ଶ୍ରମିକଙ୍କର ଗନ୍ତାଘର। ଏଠାରୁ ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ହଜାର ହଜାର ଶ୍ରମିକ କାମ କରିଥାନ୍ତି। ଅଧିକାଂଶ ଗାଁର ବେକାର ଯୁବକ ନିଜ ଅଞ୍ଚଳରେ କାମ ପାଇ ପାରୁ ନଥିବାରୁ ବାହାର ରାଜ୍ୟରେ ପେଟପେଶୁଛନ୍ତି। ଦାଦନ ଖଟିବାକୁ ସୁରତ ଯାଇଥିବା ୨ ଭାଇଙ୍କ ସମେତ ଅନ୍ୟ ଜଣେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୋଲସରା ବ୍ଲକ୍ ଚିରିକିପଡ଼ାଶାସନ ଗ୍ରାମ ଘୋଡ଼ାସାହି ବାସିନ୍ଦା ରମା ଜେନାଙ୍କ ଦୁଇ ପୁଅ ଟୁକୁନା ଜେନା (୩୫) ଓ ଶ୍ରୀନିବାସ ଜେନା (୩୦) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେହିପରି କାଣିତୋଟାସାହିର ସନ୍ତୋଷ (୪୦)ଙ୍କୁ ମଧ୍ୟ ପରିବାର ଲୋକେ ସବୁଦିନ ପାଇଁ ହରାଇଛନ୍ତି। ସନ୍ତୋଷ ଗତ ୧୦ ତାରିଖ ଦିନ ଅଟୋରେ ରେଳଷ୍ଟେସନ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲେ।
ବେସାହାରା ହୋଇଗଲା ପରିବାର
ଟୁକୁନା ଓ ଶ୍ରୀନିବାସଙ୍କୁ ହରାଇ ବାପା-ମା’ ଓ ଭଉଣୀ ବେସାହାରା ହୋଇଯାଇଛନ୍ତି। କେତେ ଆଶା ନେଇ ଦୁଇ ଭାଇ ସୁରତରେ ଦାଦନ ଖଟୁଥିଲେ। ସେଠାରୁ ଟଙ୍କା ଆଣି ଘରଦ୍ବାର ନିର୍ମାଣ କରିଥାନ୍ତେ, ଭଉଣୀର ବାହାଘର କରିଥାନ୍ତେ। ଆହୁରି କେତେ ସ୍ବପ୍ନ ଥିଲା। ଆଶା ଅଧା ବାଟରେ ରହିଗଲା। ସ୍ବପ୍ନ ପୂରଣ ହୋଇପାରିଲା ନାହିଁ। ତିନିଜଣ ଯୁବକଙ୍କ ମୃତ୍ୟୁରେ ଘୋଡ଼ାସାହି ଓ କଣିତୋଟାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସମବେଦନା ଜଣାଇଲେ ବିଧାୟକ
ତିନି ଜଣ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ବିଧାୟକ ସମବେଦନା ଜଣାଇଛନ୍ତି। ଆର୍ଥିକ ସହଯୋଗ ମଧ୍ୟ କରିଛନ୍ତି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ସ୍ଥାନୀୟ ନେତାମାନେ ନୀରିହ ଗରିବ ଲୋକଙ୍କୁ ମତଦନା ପ୍ରଚାର ସମୟରେ କେତେ କ’ଣ ସ୍ବପ୍ନ ଦେଖାନ୍ତି। କିନ୍ତୁ କ୍ଷମତାକୁ ଆସିଲା ପରେ ସବୁ ଭୁଲିଯାଉଛନ୍ତି। ରାଜ୍ୟରେ ଦାଦନ ଖଟିବା ପରଂପରା ଶେଷ କରିବାକୁ ସରକାର ଏକ ସ୍ଥାୟୀ ବ୍ୟବସ୍ଥା କରୁନାହାନ୍ତି।