Friday, September 13, 2024
Homeଖବରପ୍ରମୁଖ ଖବରଗୋରୁ ଚାଲାଣରେ ମାତିଛନ୍ତି ଦଲାଲ

ଗୋରୁ ଚାଲାଣରେ ମାତିଛନ୍ତି ଦଲାଲ

ଭୁବନେଶ୍ବର: ଅଯୋଧ୍ୟାଧାମରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟାବସ୍ଥା ‘ରାମଲଲା’ ପ୍ରାଣ ପ୍ରତିଷ୍ଠା ହେଲା ପରେ ଭାରତରେ ହିନ୍ଦୁଧର୍ମାବଲମ୍ବୀଙ୍କ ମନରେ ଏକ ନୂତନ ଜାଗରଣ ସୃଷ୍ଟି କରିଛି। ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ଅର୍ପଣ ରଥ ଗାଁକୁ ଗାଁ ବୁଲିବା ଓ ସମ୍ବଲପୁରରେ ମା’ ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବା ଦ୍ବାରା ଭକ୍ତମାନଙ୍କ ମନରେ ନୂଆ ଆଶା ସଂଚାର ସୃଷ୍ଟି ହୋଇଛି। କଟକରେ ମା’ ଚଣ୍ଡୀଙ୍କର ରୂପାନ୍ତରିତ କାର୍ଯ୍ୟ ଜୋର ଧରିଥିବା ବେଳେ ରାଜ୍ୟର ହିନ୍ଦୁଧର୍ମ ପୀଠଗୁଡ଼ିକର ଭିତ୍ତିଭୂମି ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ ବୋଲି ସରକାର ଉଦ୍ୟମ କରୁଛନ୍ତି। ଅନ୍ୟପଟରେ କିଛି ଦିନ ହେଲା ରାଜ୍ୟରେ ଗୋରୁ ଚାଲାଣ ହେଉଥିବା ନଜିର ରହିଛି। ଗୋରୁ ବୋଝେଇ ଗାଡ଼ି ଧରାପଡ଼ୁଛି। ଗୋରୁମାନଙ୍କୁ ହିଂସା ଉଦ୍ଦେଶ୍ୟରେ ବାହାରକୁ ଚାଲାଣ କରାଯାଉଛି। ତେଣୁ ହିନ୍ଦୁମାନଙ୍କ ମନରେ ଆଘାତ ଲାଗିଛି।

ରାଜ୍ୟରେ ଗୋ ଚାଲାଣ ପ୍ରମୁଖ ସମସ୍ୟା ପାଲଟିଛି। ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଜିଲ୍ଲାରେ ଏହି ବେଆଇନ କାମ ଅଧିକ ହେଉଥିବାର ଦୃଷ୍ଟିଗୋଚର ହେଉଛି। ଏହି ଜିଲ୍ଲାଗୁଡ଼ିକରୁ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ କମ ଦୂରତା ରହୁଥିବାରୁ ଦଲାଲମାନେ ଓଡ଼ିଶାର ଗ୍ରାମାଞ୍ଚଳରୁ ଗୋରୁ କିଣି ଚାଲାଣ କରି ଭଲ ଟଙ୍କା ରୋଜଗାର କରୁଛନ୍ତି। ଗୋରୁ ଚାଲାଣରେ ଦଲାଲମାନେ କାମ କରୁଛନ୍ତି। ରାଜ୍ୟ ସରକାର ଗୋରୁଚାଲାଣ ରୋକିବାରେ ବିଫଳ ହେଉଛନ୍ତି। ଗୋଚାଲାଣରେ ପୁଲିସ ସହଯୋଗ କରୁଥିବା ମଧ୍ୟ ଅତୀତରେ ଅଭିଯୋଗ ଆସିଛି।  

ନୟାଗଡ଼ରେ ଗୋରୁ ମାସଂ ଜବତ

ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାନଫାସୀ ଶଙ୍ଖ ନିକଟରୁ ଗତ ଶନିବାର ରାତି ଏକ ଗାଈର କଟାମୁଣ୍ଡ ଜବତ ହୋଇଥିଲା। ଏନେଇ ସ୍ଥାନୀୟ ଉତ୍ତ୍ୟକ୍ତ ଜନତା ରଣପୁର-ଚାନ୍ଦପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଘଟଣା ରାତି ୧୧ଟାରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ସାନଫାସୀ ନିକଟସ୍ଥ ଏକ ଶଙ୍ଖ ତଳେ ଲୋକେ ଏକ କଟାମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସାଙ୍ଗକୁ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।  ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଧାରଣାକାରୀଙ୍କୁ ପୁଲିସ ଯେତେ ବୁଝାସୁଝା କଲେ ବି ଏହାର ସତ୍ୟାସତ ନ ମିଳିବାଯାଏ ଧାରଣା ଅବ୍ୟାହତ ରଖିବାକୁ ଧାରଣାକାରୀମାନେ ରୋକଠୋକ ଭାବେ କହିଥିଲେ। ଏହା ପୂର୍ବରୁ ୪ମାସ ତଳେ କଟା ଗୋରୁ ମାଂସ ବୋଝେଇ ଅଟୋ ଜବତ ହୋଇଥିଲା। ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଖୋର୍ଦ୍ଧାରେ ୨ ଗୋ-ସଂପଦ ଗାଡ଼ି ଜବତ

ଗତ ରବିବାର ଦିନ କେବଳ ନୟାଗଡ଼ ନୁହେଁ। ବରଂ ଏହାର ପଡ଼ୋଶୀ ଜିଲ୍ଲା ସଦହ ମହକୁମା ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଏକ ବୋଝେଇ ଗୋରୁ ଚାଲାଣ ଗାଡ଼ି (କଣ୍ଟେନର ) ଜବତ କରିଥିଲା, ଯେଉଁଥିରେ କି ୧୮ଟି ଗୋରୁ ଥିଲେ। ଏହି ଗାଡ଼ିଟି କୋଲକାତାରୁ ହାଇଦ୍ରାବାଦ୍ ଅଭିମୁଖେ ଯାଉଥିବାର ଜଣାପଡ଼ିଥିଲା। ଅନ୍ୟ ଏକ ଘଟଣାରେ ଶିଳ୍ପାଞ୍ଚଳ ପୁଲିସ୍ ୧୬ ନମ୍ୱର ଜାତୀୟ ରାଜପଥ ବରୁଣେଇ ନିକଟସ୍ଥ ଏକ ପେଟ୍ରେଲ ପମ୍ପ ନିକଟରୁ ଏକ ଗୋ- ମାଂସ ଚାଲାଣ ଆଇଚର ଗାଡ଼ି ଜବତ କରିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା।  ଉଭୟ ଘଟଣାରେ ପୁଲିସ୍ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଖୋର୍ଦ୍ଧା ବାଟ ଦେଇବହୁ ଗୋ-ଚାଲାଣ ଗାଡ଼ି ଯାଉଥିବା ବେଳେ ଏଥିପ୍ରତି ପୁଲିସ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

ଦୁର୍ଘଟଣାରେ ୧୩ ଗୋରୁ ମୃତ

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଦେଶ ଉତ୍ସବ ମୁଖର ଥିବା ବେଉଳେ ଗତ ୨୨ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା-ଅର୍ଜୁନପୁର ରାସ୍ତାରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୩ଟି ଗାଈ-ବଳଦଙ୍କ ମୃତ୍ୟୁ ହୋଇଥିଲା। ଏହି ଟ୍ରକଟି ବୁର୍ଡାରୁ ସୋନପୁର ଆଡ଼କୁ ଆସୁଥିଲା। କିନ୍ତୁ ତା ପଛରେ ଥିବା ଏସ୍କଟ ଗାଡ଼ିରେ ଥିବା ଲୋକେ ଅନ୍ୟ ଏକ ଟ୍ରକରେ ଅବଶିଷ୍ଟ ଜୀବନ୍ତ ଗୋରୁଙ୍କୁ ନେଇ ପଳାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ବାଟ ଦେଇ ପ୍ରତିଦିନ ଏଭଳି ଗୋଚାଲାଣ ହେଉଥିବା ଅଭିଯୋଗ ହେଉଛି। କିନ୍ତୁ ପୁଲିସର ସେଥିପ୍ରତି ନିଘା ନାହିଁ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments