ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ୮ ତାରିଖ ଠାରୁ କେରଳ ପହଞ୍ଚି ସାରିଛି। ପରିବର୍ତ୍ତିତ ପାଣିପାଗ କାରଣରୁ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହାର ଉପସ୍ଥିତି ହୋଇପାରି ନାହିଁ। ପୂର୍ବବର୍ଷ ଗୁଡ଼ିକରେ ମୌସୁମୀ ବାୟୁ କେରଳ ପହଞ୍ଚିବାର ଏକ ସପ୍ତାହ ପରେ ଓଡ଼ିଶାକୁ ସ୍ପର୍ଶ କରୁଥିଲା। ଏହି ହସାବରେ ଓଡ଼ିଶାରେ ଚଳିତ ବର୍ଷ ମୌସୁମୀ ବାୟୁ ଜୁନ୍ ୧୫ ଅଥବା ୧୬ ତାରିଖ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲା। ମାତ୍ର ଏଥିରେ ଏଥର ବ୍ୟତୀକ୍ରମ ଦେଖାଯିବାରୁ ରାଜ୍ୟବାସୀଙ୍କୁ ପ୍ରବଳ ଖରାକୁ ଗରମ ଓ ଗୁଳୁଗୁଳିରେ ଛଟପଟ ହେବାକୁ ପଡୁଛି। ଏହାରି ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରି ନିକଟତର ହୋଇଥିବା ବେଳେ ବାୟୁମଣ୍ଡଳରେ ଆଦ୍ରତା ୭୮ ପ୍ରତିଶତ ରେକର୍ଡ କରାଯାଇଛି।
ଅନ୍ୟପଟରେ ରାଜ୍ୟବ୍ୟାପି ଗ୍ରୀଷ୍ମଲହରି ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାରେ ଲୋକେ ପ୍ରବଳ ଖରା ଓ ଗରମ ଯୋଗୁଁ ନାହିଁ ନଥିବା ଯନ୍ତ୍ରଣା ଭୋଗୁଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ଗୁଳୁଗୁଳିରେ ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ସ୍ଥିତି ଏକ ପ୍ରକାର ଭଲ ରହିଥିବା ବେଳେ ଖରାରୁ ନିସ୍ତାର ମିଳିପାରୁ ନାହିଁ। ଏହାରି ମଧ୍ୟରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୨୦ ତାରିଖ ଠାରୁ ତାତି କମିପାରେ। ଆଗାମୀ ଜୁନ ୨୦ରୁ ପରବର୍ତୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରି ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଜୁନ ୨୧ ତାରିଖ ଠାରୁ ବର୍ଷାର ବିସ୍ତୃତି ବଢିପାରେ। ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ପ୍ରବଳ ଖରାକୁ ଗୁଳୁଗୁଳି
ରବିବାର ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ସିଝିଛି। ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ଯଥାକ୍ରମେ ୪୬ ଓ ୪୫.୮ ଡିଗ୍ରି ରେକର୍ଡ ହୋଇଛି। ହୀରାକୁଦ ଓ ବୌଦ୍ଧରେ ଏହା ୪୫.୫ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୫.୨ ଡିଗ୍ରି ରେକର୍ଡ କରିଛି। ପ୍ରବଳ ଖରାରରୁ ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ଟିଟିଲାଗଡ଼, ରାଉରକେଲା, ନୟାଗଡ଼, ଦେବଗଡ଼, ତାଳଚେର, ନୂଆପଡ଼ା, ଅନୁଗୁଳ, ଭବାନୀପାଟଣା, ଫୁଲବାଣୀ, ଭୁବନେଶ୍ବର, କେନ୍ଦୁଝର, କେନ୍ଦ୍ରାପଡ଼ାବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି। ସେହିପରି ରବିବାର ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ପ୍ରମୁଖ ସ୍ଥାନରେ ରେକର୍ଡ ଆଦ୍ରତା ଅନୁଭୂତ ହୋଇଛି। ପୁରୀରେ ୭୮%, ପାରାଦୀପରେ ୭୭%, ଗୋପାଳପୁରରେ ୭୫%, ବାଲେଶ୍ୱରରେ ୭୩%, ଚାନ୍ଦବାଲିରେ ୭୦%, ଭୁବନେଶ୍ୱରରେ ୫୧%, କେନ୍ଦୁଝରରେ ୪୭%, ହୀରାକୁଦରେ ୨୭%, ସମ୍ବଲପୁରରେ ୨୫% ଓ ଝାରସୁଗୁଡାରେ ୨୨%।
ମୁଣ୍ଡରେ ହାତ ଦେଇ ବସିଛି ଚାଷୀ
ଗତ ଦଶହରା ପରେ ରାଜ୍ୟରେ ଭଲ ବର୍ଷା ହୋଇନାହିଁ। ଦୀର୍ଘ ଦିନ ହେଲା ମାଟି ଶୁଖିଲା ପଡ଼ିଛି। ଚଳିତ ବର୍ଷ କାଳବୈଶାଖୀରେ ମଧ୍ୟ ବର୍ଷା ହେଲା ନାହିଁ। ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନରେ ବିଳମ୍ବ କାରଣରୁ ଧାନକ୍ଷେତ ଗୁଡ଼ିକରେ ହଳ କରାଯାଇପାରି ନାହିଁ। ଓଡ଼ିଶାର ଗଣପର୍ବ ‘ରଜ’ ସରିଲା ପରେ ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ବ୍ୟାକୁଳ ହୋଇଯାଆନ୍ତି। କିନ୍ତୁ ଚଳିତ ବର୍ଷ ବର୍ଷା ହୋଇ ନଥିବାରୁ ଚାଷ କାମ ଆରମ୍ଭ ହୋଇପାରି ନାହିଁ। ବିଳମ୍ବିତ ବର୍ଷା କାରଣରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ବର୍ଷାକୁ ଅପେକ୍ଷା କରିଛନ୍ତି। ବର୍ଷାକୁ ଆବଶ୍ୟକତା କରି ଚାଷୀମାନେ ଇନ୍ଦ୍ରପୂଜା ଆରମ୍ଭ କରିଦେଇଛନ୍ତି। ଗଜପତି ଜିଲ୍ଲାର ନୂଆଗାଁ ବ୍ଲକ ତଟରଙ୍ଗ ଓ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ନିକଟ ଠିଡ଼ିକାଜୋର ଗ୍ରାମରେ ପୂଜାର୍ଚ୍ଚନା ହୋଇଛି।
ଛାତ୍ରଛାତ୍ରୀ ପ୍ରଭାବିତ, ଅଭିଭାବକ ଚିନ୍ତିତ
ଅସ୍ବାଭାବିକ ପାଣିପାଗକୁ ଆଖିରେ ରଖି ରାଜ୍ୟ ସରକାର ଗ୍ରୀଷ୍ମକାଳନୀ ଛୁଟି ଜୁନ ୧୯ ବଦଳରେ ୨୧କୁ ବୃଦ୍ଧି କରିଛନ୍ତି। ଓଡ଼ିଶାରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍, କଲେଜ୍ ଗୁଡ଼ିକ ସାଧାରଣତଃ ମେ’ ପ୍ରଥମ ସପ୍ତାହରୁ ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଖରାଛୁଟି କରାଯାଏ। କିଛି ବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ସହ ଓଡ଼ିଶାରେ ବି ନିର୍ଧାରିତ ଜୁନ୍ ୧୦ ତାରିଖଠାରୁ ଯଥେଷ୍ଟ ବିଳମ୍ବରେ ମୌସୁମୀ ପହଞ୍ଚୁଛି। ଜୁନ୍ ମାସରେ କାଁଭାଁ ପ୍ରାକ୍ ମୌସୁମି ବର୍ଷା ହେଉଥିଲେ ବି ଏହା ତାପମାତ୍ରା ହ୍ରାସ କରିପାରୁ ନାହିଁ, ବରଂ ଆର୍ଦ୍ରତା ବଢ଼ାଉଛି। ତେଣୁ ରାଜ୍ୟ ସରକାର ମଧ୍ୟ ଗ୍ରୀଷ୍ମ ଅବକାଶର ସମୟ ପରିବର୍ତ୍ତନ କରି ଏହାକୁ ଜୁନ୍ ଶେଷ ପର୍ଯ୍ୟନ୍ତ କରିବା ଉପରେ ବିଚାର କରିବା ଉଚିତ ବୋଲି ଲୋକେ ମତ ରଖୁଛନ୍ତି। ଏପ୍ରିଲ୍ ଓ ମେ’ ମାସରେ ସକାଳୁଆ ସ୍କୁଲ୍ ସମ୍ଭବ କିନ୍ତୁ ଜୁନ୍ର ଗରମ ଅସହ୍ୟ ଓ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ବୋଲି କୁହାଯାଉଛି। ଅନ୍ୟପଟରେ ପାଣିପାଗ ଯୋଗୁଁ ବିଳମ୍ବରେ ସ୍କୁଲ ଖୋଲାଯାଉଥିବାରୁ ପାଠପଢ଼ା ନେଇ ଛାତ୍ରଛାତ୍ରୀ ପ୍ରଭାବିତ ହେଉଥିବା ବେଳେ ଅଭିଭାବକ ଚିନ୍ତାରେ ଅଛନ୍ତି।