ନୂଆଦିଲ୍ଲୀ: ସାତ ବର୍ଷ ପରେ ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟବାସୀଙ୍କୁ ଚମକାଇ ଦେଇଛି। ବର୍ଷ ୨୦୧୩ରେ କେଦାରନାଥ ବିପର୍ଯ୍ୟୟକୁ ଦେଶବାସୀ ଭୁଲି ନଥିବା ବେଳେ ଚମୋଲି ଜିଲ୍ଲାରେ ପୁଣି ବଡ଼ ଧରଣର ବିପତ୍ତି ଦେଖାଯାଇଛି। ସବୁଠାରୁ ବଡ଼ କଥା ହେଲା କେଦାରନାଥରେ ଯେଉଁ ବିପର୍ଯ୍ୟୟ ଦେଖାଯାଇଥିଲା, ତାହା ଜୁନ ମାସରେ ହୋଇଥିଲା। ବର୍ତ୍ତମାନ ତୁଳନାରେ ତାପମାତ୍ରା ଅଧିକ ଥିଲା। କିନ୍ତୁ ବର୍ତ୍ତମାନ ପ୍ରବଳ ଶୀତଋତୁରେ ଚାମୋଲି ଯୋଶୀମଠ ନିକଟ ନନ୍ଦାଦେବୀ ଗ୍ଲାସିୟର ଫାଟିିବାରୁ ରବିବାର ‘ଧଉଳି ଗଙ୍ଗା’ ନଦୀରେ ଘଟିଥିବା ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ମୃତ୍ୟୁର ସୁଡ଼ଙ୍ଗରେ ଜୀବନର ଆଶା କରାଯାଉଛି । ସେଥିପାଇଁ ତପୋବନର ଦ୍ୱିତୀୟ ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବିପର୍ଯ୍ୟୟ ପରେ ୨୦୦ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଥିବା କୁହାଯାଉଛି । ତପୋବନ ଟନେଲର ୯୦୦ ମିଟର ପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ ପହଂଚିଛନ୍ତି । ଏହା ପରେ ଆଗକୁ ଯାଇ ହେଉ ନାହିଁ ।
ହିମସ୍ଖଳନ ଯୋଗୁଁ ହୋଇଥିବା ବିପର୍ଯ୍ୟୟ ପରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ଦେଖାଯାଇଥିବାରୁ ନିଜ ନିଜ କାମରେ ବ୍ୟସ୍ତ ଥିବା ଲୋକମାନେ ପାଣିରେ ବହିଯାଇଥିବା କୁହାଯାଉଛି। ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏଥି ସହ ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଆଇଟିବିପି ଯବାନମାନେ ସଫଳତାର ସହ ଉଦ୍ଧାର କରିଛନ୍ତି।
ହେଲ୍ପଲାଇନ୍ ନମ୍ବର ଜାରି
ଗାଁ ନିକଟ ଦେଇ ବହି ଯାଇଥିବା ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ହରିଦ୍ୱାର, ଋଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି। ଉଦ୍ଧାର କାର୍ଯ୍ୟରେ ଆଇଟିବିପି ଓ ଏସଡିଆରଏଫ୍ ସହ ଏନଡିଆରଏଫର ଟିମ୍ ନିୟୋଜିତ ହୋଇଛନ୍ତି। ଦୀର୍ଘ ୪୮ ଘଣ୍ଟା ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରଖାଯିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ହେଲପ୍ଲାଇନ୍ ନମ୍ବର ଜାରି କରିଥିବା ବେଳେ ଫସି ରହିଥିବା ଲୋକ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ଅଥବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିପାରିବେ ବୋଲି ଅପିଲ୍ କରିଛନ୍ତି।
‘ଋଷିଗଙ୍ଗା’ ବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ
ହିମସ୍ଖଳନ କାରଣରୁ ‘ଋଷିଗଙ୍ଗା’ ବିଦ୍ୟୁତ୍ ପ୍ରକଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଗତବର୍ଷ ଏହି ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା। ୧୩ ମେଗାଓ୍ଵାର୍ଟର ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତପୋବନ ବ୍ୟାରେଜ ମଧ୍ୟ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ।
ଅନୁକମ୍ପା ରାଶି ଘୋଷଣା
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚମୋଲିରେ ଗ୍ଲାସିୟର ଫାଟିବାରୁ ସୃଷ୍ଟି ହୋଇଥିବା ହିମସ୍ଖଳନ ଘଟଣାରେ ମୃତକଙ୍କ ପରିବାରକୁ ପିଏମ୍ଏନ୍ଆରଏଫ୍ରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଲେଖାଏ ଦିଆଯିବ। ସେହିପିର ମୁଖ୍ୟମନ୍ତ୍ରୀ ଶ୍ରୀ ରାଓତ ଘୋଷଣା କରିଛନ୍ତି ଯେ, ମୃତକଙ୍କ ପରିଜନଙ୍କୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ। ଏହି ଘଟଣା ପାଇଁ ଉତ୍ତର ପ୍ରଦେଶ, ବିହାର ଓ ଗୁଜରାଟ ସରକାର ମଧ୍ୟ ଆର୍ଥିକ ସହାୟତା ଯୋଗାଇଦେବେ।
କେଦାରନାଥ ବିପର୍ଯ୍ୟୟ ଘଟଣା
ବର୍ଷ ୨୦୦୪ ପରେ ୨୦୧୩ରେ ଘଟିଥିବା କେଦାରନାଥ ବିପର୍ଯ୍ୟୟକୁ ଦେଶର ବଡ଼ ବିପର୍ଯ୍ୟୟ ତାଲିକାରେ ଯୋଡ଼ାଯାଇଥିଲା। ଜୁନ ୧୩ରେ ଦେଖାଯାଇଥିବା ଏହି ବିପତ୍ତିରେ ମୋଟ ୫୭୪୮ ଜଣ ଲୋକ ପ୍ରାଣ ହରାଇଥିଲେ। ଏଥିରେ ସ୍ଥାନୀୟ ଅଂଚଳର ଲୋକ ଥିଲେ ୯୩୪ ଜଣ। ସେହିପରି ୪୫୫୦ଟି ଗାଁ ପ୍ରଭାବିତ ହୋଇଥିଲା। ପ୍ରାୟ ୩ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଫସିଯାଇଥିଲେ।