Monday, May 20, 2024
Homeଖବରଘରୁ ଗୋଡ଼ କାଢ଼ିବା ବିପଦ ହେଲା

ଘରୁ ଗୋଡ଼ କାଢ଼ିବା ବିପଦ ହେଲା

ଭୁବନେଶ୍ବର: କୁହାଯାଇଥାଏ ପ୍ରେମ ଅନ୍ଧ। ଆଉ ଏହି ନିଶା ଥରଟିଏ ଯାହାକୁ ଧରିଥାଏ, ତାହା ଛାଡ଼ିବା ସହଜ ନୁହେଁ। ଦିନରାତି କେବଳ ସେହି ପ୍ରେମ ହିଁ ଦେଖାଯାଉଥାଏ। ପ୍ରେମ ବ୍ୟତୀତ ଦୁନିଆର ସବୁକିଛି ଅଲୋଡ଼ା ପଡ଼ିଯାଏ। ଏପରିକି ପୂଜ୍ୟ ବାପା-ମା’ ପାରିବାରିକ ସଂପର୍କ, ବନ୍ଧୁବାନ୍ଧବ, ସାଙ୍ଗସାଥୀ ସବୁ ଛାଡ଼ି ବହୁ ଦୂର ଛାଡ଼ି ଚାଲିଯିବାକୁ ପଡ଼ିଥାଏ। ଅନ୍ୟପକ୍ଷରେ ଯେଉଁ ପ୍ରେମିକଙ୍କୁ ଭରସା କରି ପ୍ରେମିକା ନିଜର ଆତ୍ମୀୟ ସଜ୍ଜନଙ୍କୁ ଛାଡ଼ି ଚାଲିଯାଇଥାଏ, ସେହି ବ୍ୟକ୍ତି ସହିତ ଆଜୀବନ ସୁଖରେ ରହିବ ତାହା ମଧ୍ୟ କହିହେବ ନାହିଁ। କାରଣ ପ୍ରେମିକାଙ୍କୁ ପ୍ରେମର ଜାଲରେ ଫସାଇ ନେଉଥିବା ପ୍ରେମିକମାନେ ହତ୍ୟା ଅଭିଯୁକ୍ତ ହୋଇ ଜେଲ ଯାଉଛନ୍ତି। ଏପରି ଉଦାହରଣ ଆମ ସମାଜର ଚାରିପାର୍ଶ୍ବରେ ଦେଖିବାକୁ ମିଳୁଛି।

ବିବାହିତ ଯୁବତୀଙ୍କୁ ଫସାଇ ହତ୍ୟା

ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିବା ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ପଳାୟନ କରିଥିବା ଯୁବତୀଙ୍କ ମୃତଦେହ ମାଟି ତଳୁ ଉଦ୍ଧାର ହୋଇଛି। ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ପ୍ରେମିକ ତଣ୍ଟି ଚିପି ହତ୍ୟା କରିଥିଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବଡଖୋଲ ଗାଁର ମୀନା କିସାନଙ୍କୁ କିସିଣ୍ଡା ଥାନା ବଳମ ଗାଁର ଦାଶରଥି କିସାନଙ୍କୁ ବିବାହ କରିଥିଲା। ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା। ଏହାରି ଭିତରେ ମୀନା କିସିଣ୍ଡା ଥାନା ବଲାସିଙ୍ଘା ଗାଁର ପ୍ରମୋଦ କିସାନଙ୍କ ପ୍ରେମରେ ପଡ଼ିଥିଲେ। ପ୍ରାୟ ୨ ବର୍ଷ ଧରି ପ୍ରେମ ଚାଲିଥିଲା। ଚୋରା ପିରତୀ ପ୍ରଘଟ ହୋଇଯିବା ସନ୍ଦେହ କରି ମୀନା ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକଙ୍କ ପାଖକୁ ପଳାଇ ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ଉଭୟଙ୍କ ଭିତରେ ଉଠିଥିଲା ଅଶାନ୍ତିର ଝଡ଼। କାରଣ ମୀନା ଆଉ କିଛି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ପ୍ରମୋଦ ସନ୍ଦେହ କରୁଥିଲା। ଗତ ୨୩ ତାରିଖରେ ପ୍ରମୋଦ ମଧ୍ୟପୁର ଗାଁକୁ ଆସିଥିଲେ। ସେହି ସମୟରେ ସେ ମୀନାଙ୍କ ପ୍ରେମ କାହାଣୀ ଜାଣିବାକୁ ପାଇଥିଲେ। ବିଳମ୍ବିତ ରାତିରେ ମୀନା ଶୋଇଥିଲେ। ସେହିଦିନ ସେ ମୀନାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା।  

ତଣ୍ଟି ଚିପିଲା, ପେଟ୍ରୋଲ ଢାଳିଲା

ଗତ ୨୬ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ବଲିପାଲି ଗ୍ରାମରେ ସମ୍ବଲପୁର ଜିଲ୍ଲା କତରବଗା ଥାନା ଲାଉବହାଲ ଗ୍ରାମର କୁଳମଣି ପଟଣିଆଁଙ୍କ ସାନ ଝିଅ ମନ୍ଦାକିନୀ(୨୪)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୁଲିସ ଜବତ କରିଥିଲା। ଏହି ଘଟଣା ପୂର୍ବଦିନ ଘଟିଥିଲା। ପ୍ରେମିକାର ଚରିତ୍ର ସନ୍ଦେହ କରି ପ୍ରେମିକ ପ୍ରଥମେ ତଣ୍ଟିଚିପି ହତ୍ୟା ଓ ପରେ ପ୍ରମାଣ ନଷ୍ଟ ପାଇଁ ପୁଣି ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସ କହିଥିଲା ଯେ, ଗିରଫ ଅଭିଯୁକ୍ତ ଲିଙ୍ଗରାଜ ଦେହୁରୀଙ୍କ ସହିତ ମନ୍ଦାକିନୀଙ୍କ  ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା। ଏହାରି ଭିତରେ ମନ୍ଦାକିନୀ ଅନ୍ୟ ଜଣେ ଯୁବକଙ୍କ ସହିତ କଥା ବାର୍ତ୍ତା ହେଉଥିବା ନେଇ ଲିଙ୍ଗରାଜ ସନ୍ଦେହ କରୁଥିଲା। ମନ୍ଦାକିନୀ  ଅନ୍ୟ ଜଣେ ଯୁବକ ସହିତ ମୋବାଇଲ୍ ଫୋନ୍ରେ କଥା ହେଉଥିବା ଲିଙ୍ଗରାଜ ଶୁଣିବାକୁ ପାଇଥିଲା। ତୁ କାହିଁକି ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହେଉଛୁ ବୋଲି ମନ୍ଦାକିନୀଙ୍କୁ କହିଥିଲା। ଲିଙ୍ଗରାଜ ଏପରି ପ୍ରଶ୍ନ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ତୀବ୍ର ହୋଇଥିଲା। ଏଥିରେ ଲିଙ୍ଗରାଜ ଉତ୍କ୍ଷୀପ୍ତ ହୋଇ ମନ୍ଦାକିନୀଙ୍କୁ ପ୍ରଥମେ ଗାଲରେ ମାଡ଼ ମାରିଥିଲା ଏହାପରେ ଝିଅ ଧରିଥିବା ଓଢ଼ଣୀରେ ତଣ୍ଟିଚିପି ହତ୍ୟା କରିଥିଲା।

ଘରୁ ପଳାୟନ କରି ବିବାହ କରିଥିଲେ

ରାଜସ୍ଥାନର ଝାଲୱାଡ ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ସ୍ତ୍ରୀଙ୍କୁ ସ୍ବାମୀ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି।  ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାରୁ ସେମାନେ ମାସକ ପୂର୍ବରୁ ଘର ଛାଡ଼ି ପଳାୟନ କରିଥିଲେ। ପରେ ବିବାହ କରିଥିଲେ। ରାଜସ୍ଥାନ ପୁଲିସ କହିଛି ଯେ, ମୃତକା ସୁନୀତା ଓ ଅଭିଯୁକ୍ତ ରାଜାରାମଙ୍କ ନିର୍ବନ୍ଧ ହୋଇଥିଲା। କିନ୍ତୁ ପରେ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ କୁହାକୁହି ହେବାରୁ ଏହି ବିବାହ ପ୍ରସ୍ତାବକୁ ମନା କରିଥିଲେ। ତେଣୁ ସୁନୀତା ଓ ରାଜାରାମ ଘରୁ ପଳାୟନ କରି ମନ୍ଦିରରେ ବିବାହ କରିଥିଲେ। ମୃତକାଙ୍କ ପିତା ବାପୁଲାଲ ଅଭିଯୋଗ ଆଣିଛନ୍ତି, ରାଜାରାମ ମଦପିଇ ଘରକୁ ଆସୁଥିଲା ଏବଂ ସୁନୀତାଙ୍କୁ ପିଟୁଥିଲା। ଘଟଣା ଦିନ ଧାରୁଆ ଅସ୍ତ୍ରରେ ସୁନୀତାଙ୍କୁ ଆକ୍ରମଣ କରିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments