ଭୁବନେଶ୍ୱର: ବିଗତ କିଛି ବର୍ଷ ମଧ୍ୟରେ ବଣୁଆ ହାତୀପଲଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି । ବଣୁଆ ହାତୀମାନେ ଜଙ୍ଗଲରୁ ବାହାରି ଆସି ରାତିରେ ଚାଷୀର ଫସଲ ଖାଇ ପୁଣି ଫେରିଯାଉଥିବା ବେଳେ କିଛି ବର୍ଷ ହେବ ଲୋକଙ୍କର ଘର ବି ଭାଙ୍ଗିଦେଉଛନ୍ତି । ହାତୀମାନେ ଘର ଭିତରେ ପଶି ଧାନ-ଚାଉଳ ଖାଇବା ସହିତ ଲୋକଙ୍କର ଘର-ଦ୍ୱାର ଭାଙ୍ଗିଦେଉଛନ୍ତି । କେବଳ ସେତିକି ନୁହେଁ ହାତୀମାନେ ଭୟଙ୍କର ରୂପ ନେଉଥିବା ମଧ୍ୟ ନଜର ରହିଛି । ଅନେକ ସ୍ଥାନରେ ମଣିଷକୁ ଦଳିଚକଟି ଦେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ବର୍ଷ ଏକାଧିକ ସ୍ଥାନରେ ହାତୀପଲ ଘର ଭାଙ୍ଗିଛନ୍ତି ।
ଧାନ-ଚାଉଳ ଖାଇଲେ, ଜିନିଷପତ୍ର ନଷ୍ଟ କଲେ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅଧୀନରେ ଥିବା ନୂଆଗାଁ ଅଂଚଳରେ ଶୁକ୍ରବାର ହାତୀପଲ ୫ଟି ଘର ଭାଙ୍ଗି ଦେଇଛନ୍ତି । ହାତୀମାନେ ଧାନଚାଉଳ ଖାଇବା ସହିତ ଘରର ଆସବାପତ୍ର ମଧ୍ୟ ନଷ୍ଟ କରିଦେଇଛନ୍ତି । ସୌଭାଗ୍ୟ ବଶତଃ ଘରେ ଶୋଇଥିବା ସମାରୁ ବିରଗଠିଆ ଓ ଚିଲା ମିଞ୍ଜ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ହାତୀ ଆକ୍ରମଣର ଶିକାର ହୋଇଥିବା ଉଭୟ ସମାରୁ ଓ ଚଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାତୀମାନେ ଗତ ବର୍ଷ ଡିସେମ୍ବର ୧୫ରେ କିଞ୍ଜିରକେଲା ପଂଚାୟତ ଠୁଟିପିପଲ ଗାଁରେ ଘରେ ପଶି ପରୀକ୍ଷିତ ଗହିର ନାମକ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିଲେ । ଘଟଣା ଦିନ ପରୀକ୍ଷିତ ରାତିରେ ଖାଇ ଶୋଇଥିଲେ ।
ଅଧା ଓଡ଼ିଶାରେ ହାତୀ ଉପଦ୍ରବ
ମୟୂରଭଂଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗଡ଼ା, କଟକ, ଗଂଜାମ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ଜଙ୍ଗଲକୁ ଲାଗି ରହିଥିବା ଗାଁ ଗୁଡ଼ିକରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଦିନକୁ ଦିନ ଜଙ୍ଗଲର ବ୍ୟାପକ କ୍ଷୟକ୍ଷତି ଘଟୁଥିବା ବେଳେ ହାତୀମାନେ ଗାଁ ଅଭିମୁଖେ ଆସି ଲୋକଙ୍କର ଧନଜୀବନକୁ କ୍ଷତି ପହଂଚାଉଥିବା ନଜର ଆସୁଛି ।
ଘର ଭାଙ୍ଗିଥିଲେ ଦନ୍ତା, ଜୀବନ ହରାଇଥିଲେ ବୃଦ୍ଧା
ଗତ ଅଗଷ୍ଟ ୫ ତାରିଖ ମଧ୍ୟ ରାତ୍ରୀର ଘଟଣା । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ଭଉଁରା ଗାଁରେ ଯମୁନା ବେହେରା ଖାଇପିଇ ସାରି ରାତିରେ ଶୋଇଥିଲେ । ଏହି ସମୟରେ ୨ଟି ଦନ୍ତା ଯମୁନାଙ୍କ ଘରକୁ ଆସିଥିଲେ । ହାତୀମାନେ ଯମୁନାଙ୍କ ଘର ଭାଙ୍ଗି ଦେଇଥିଲେ । ଫଳରେ ଘର ଭିତରେ ଶୋଇଥିବା ଯମୁନାଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା, ଯେଉଁଥିରେ କି ସେ ଜୀବନ ହାରିଥିଲେ ।
ଫସଲ ଉଜାଡୁଛନ୍ତି ହାତୀପଲ, ବନ ବିଭାଗ ନିଷ୍କ୍ରିୟ
ଅକ୍ଟୋବର ମାସରୁ ରାଜ୍ୟରେ ଧାନ ଫସଲ ଅମଳ ଚାଲିଛି । ହାତଗଣତି କିଛି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଧାନ ଅମଳ ହୋଇ ଘରକୁ ଆସିସାରିଛି । ଚାଷୀମାନେ ଧାନ ଖଳାରେ କିଛି ଧାନକୁ ଗଚ୍ଛିତ ରଖିଛନ୍ତି । ତେଣୁ ହାତୀମାନେ ଏବେ ଧାନ ଖଳାକୁ ଟାର୍ଗେଟ କରୁଛନ୍ତି । ଉତ୍ତର ଓଡ଼ିଶା ବ୍ୟତୀତ ଅନ୍ୟ ସ୍ଥାନରେ ଘରକୁ ଧାନ ଆସିସାରିଛି । ଅନ୍ୟପଟରେ ହାତୀପଲଗୁଡ଼ିକ ଶହ ଶହ ଏକର ଧାନ ଫସଲ ନଷ୍ଟ କରୁଛନ୍ତି । କିନ୍ତୁ ବନ ବିଭାଗ ଦ୍ୱାରା ଏହାର ପ୍ରତିକାର ବ୍ୟବସ୍ଥା କରାଯାଇ ପାରୁନାହିଁ ।
କେମିତି ଋଣ ପରିଷୋଧ କରିବେ ଚାଷୀ
ଚାଷୀର ମୂଳ ସଂପତ୍ତି ହେଉଛି ଧାନ । ଚାଷୀ ଧାନ ଅମଳ କରି ନିଜର ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର କରିଥାଏ । ଧାନ ବିକ୍ରି କରି ଘରୋଇ ଖର୍ଚ୍ଚ ତୁଲାଇଥାଏ । ପୁଅ-ଝିଅର ବାହାଘର, ଘର ନିର୍ମାଣ କରିବା ଓ ଅନ୍ୟାନ୍ୟ କାର୍ଯ୍ୟ ସଂପାଦନ କରିଥାଏ । କିନ୍ତୁ ଧାନ ଘରକୁ ଆସିବା ପୂର୍ବରୁ ଯେତେବେଳେ ହାତୀମାନେ ଖାଇଯାଆନ୍ତି ଅଥବା ନଷ୍ଟ କରିଦେଇଥାନ୍ତି, ସେତେବେଳେ ସେ ଚିନ୍ତାରେ ପଡ଼ିଯାଇଥାଏ । ଚାଷୀ ସେହି ସମୟରେ ଅଧିକ କଷ୍ଟ ଅନୁଭବ କରିଥାଏ, ଯେତେବେଳେ ସାହୁକାର ଋଣ ପରିଷୋଧ କରି ନପାରେ ।