ଭୁବନେଶ୍ବର: ଘାଟିରେ ଅଘଟଣ। ଜୀବନ ଯାଉଛି। ପରିବାର ମଧ୍ୟ ଉଜୁଡିଯାଉଛି। ଲୋକେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଖର୍ଚ୍ଚାନ୍ତ ହେଉଛନ୍ତି। ଘାଟିରେ ଅଘଟଣ ପାଇଁ ଅନିୟନ୍ତ୍ରିତ ଗତି ଓ ଅର୍ଥ ଲୋଭ ମଧ୍ୟ ଅନ୍ୟତମ କାରଣ ହୋଇପାରେ। ବିଗତ ୨୦ ଦିନ ଭିତରେ ରାଜ୍ୟର ୩ଟି ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା ବେଳେ ୩୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଅପରପଟେ ବସ୍ ମାଲିକମାନଙ୍କର ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଛି। ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ହେଲା ଅବହେଳିତ ଭାବେ ଗାଡ଼ି ଚଳାଇବା ଅଥବା ରାସ୍ତା ନିର୍ମାଣରେ ତ୍ରୁଟି। ଘାଟିରେ ବାରମ୍ବାର ଦୁର୍ଘଟଣା କାରଣରୁ ପ୍ରତିବର୍ଷ ଶହ ଶହ ଲୋକଙ୍କର ମୃତ୍ୟୁ ଘଟୁଛି।
ଗଜପତି ଜିଲ୍ଲା ରାୟଗଡରୁ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବୁରାତାଲ ଫେରୁଥିବା ବେଳେ ମାଙ୍କଡଡିଆଁ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ମିନିବସ୍ ‘ରଘୁନାଥ’ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୁହାଯାଉଛି ଯେ, ବସ୍ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ। ବସ୍ର ଫିଟ୍ନେସ୍ ସମସ୍ୟା ହେଉ ଅଥବା ଚାଳକଙ୍କ ଅପାରଗତା କାରଣରୁ ୨ ଜଣ ମହିଳାଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା। ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗଂଜାମରେ ୨ୟ ବସ୍ ଦୁର୍ଘଟଣା
ଗଞ୍ଜାମ ଜିଲ୍ଲାରେ ବିଗତ ୧୫ ଦିନ ଭିତରେ ୨ ଥର ବସ୍ ଦୁର୍ଘଟଣା ଘଟିଛି। ଏହା ପୁଣି ବଣ-ପାହାଡ଼ ଘେରା ଘାଟିରେ। ଗତ ୬ ତାରିଖ ଦିନ ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ କି ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍ଟି ଗଜପତି ଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ ବ୍ରେକ୍ଫେଲ୍ ହୋଇଯିବାରୁ ଭାରସାମ୍ୟ ହରାଇ ପାଳୁଖୋଳା ନିକଟ ବୁଲାଣିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତପ୍ତପାଣି ଘାଟିରେ ବିଗତ ଦିନରେ ମଧ୍ୟ ବସ୍ ଦୁର୍ଘଟଣାର ନଜିର ରହିଛି।
ସୂଚନା ଫଳକ ହ୍ରାସ କରିବ ଦୁର୍ଘଟଣା
ସେହିପରି ଗତ ୮ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଜୁଡ଼ିଆଘାଟିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ଜଣ ଲୋକ ଆହତ ହୋଇଥିଲେ। ଅନୁଗୁଳରୁ ଟାଟା ଯାଉଥିବା ବସ୍ ‘ସାଇବାବା’ ଜୁଡ଼ିଆଘାଟିରେ ବ୍ରେକ୍ଡାଉନ୍ ହୋଇ ଛିଡ଼ା ହୋଇଥିବା ନିୟନ୍ତ୍ରଣ ହରାଇ ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ଫଳରେ ବସ୍ ଡ୍ରାଇଭର ସମେତ ୫ଜଣ ଆହତ ହୋଇଥିଲେ। ରାତିରେ ଜଣା ନ ପଡ଼ିବାରୁ ଦୁର୍ଘଟଣା ଘଟିଥିଲାଲା। କଣ୍ଟେନର ଛିଡା ହୋଇଥିବା ସ୍ଥାନରେ କୌଣସି ସତର୍କ ସୂଚନା ଦିଆଯାଇ ନଥିଲା। ଏଠାରେ ଦୁର୍ଘଟଣାର କାରଣ ହେଲା ପ୍ରଶାସନିକ ଅବହେଳା। ଘାଟି ସ୍ଥାନରେ ସଠିକ ସତର୍କ ସୂଚନା ରହିଲେ ମଧ୍ୟ ଦୁର୍ଘଟଣା ଏଡେଇ ଦିଆଯାଇପାରିବ।
ସୁଡ଼କ ସୁରକ୍ଷା ଜୀବନ ରକ୍ଷା
ଭାରତରେ ପ୍ରତିବର୍ଷ ‘ସ୍ବଚ୍ଛତା ପକ୍ଷ’ ଅନ୍ତର୍ଗତ ଗତ ୧୧ ତାରିଖ ଠାରୁ ୧୭ ତାରିଖ ମଧ୍ୟରେ ‘ସଡ଼କ ସୁରକ୍ଷା ସପ୍ତାହ’ ପାଳନ କରାଯାଇଛି। ସଡ଼କ ଓ ପରିବହନ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ଏକାଧିକ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଲୋକଙ୍କୁ ଦୁର୍ଘଟଣା ନ ଘଟିବା ପାଇଁ ସତର୍କ କରାଯାଉଛି। ଏହାରି ମଧ୍ୟରେ ଚାଳକ ଓ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ମଧ୍ୟ ସତର୍କ କରାଯାଉଛି। କିନ୍ତୁ କ୍ଷୋଭର କଥା ହେଲା ଉଭୟ ଚାଳକ ଓ ରାସ୍ତାରେ ଯାତାୟତ କରୁଥିବା ଲୋକେ ସଡ଼କ ସୁରକ୍ଷା ଉପରେ ସଚେତନ ହେଉନାହାନ୍ତି। ଫଳସ୍ବରୂପ ଦୁର୍ଘଟଣା ଘଟୁଛି। ସଡ଼କରେ ଯାତାୟତ ସମୟରେ ସଚେତନ ରହିଲେ ଜୀବନ ରକ୍ଷା ହୋଇପାରିବ।