ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ତାରିଖ ଘୋଷଣା ହୋଇନାହିଁ। ଅଳ୍ପ ଦିନ ଭିତରେ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ ନେତାମାନଙ୍କୁ ଟିକେଟ୍ ଚିନ୍ତା ଘାରିଛି। ଯେଉଁମାନେ ଦଳୀୟ ଟିକେଟ ପାଇବା ଆଶା ଛାଡ଼ିଛନ୍ତି, ସେମାନେ ଦଳ ଡେଉଁଛନ୍ତି। ଏହି କ୍ରମରେ ବିଗତ ଏକ ସପ୍ତାହ ମଧ୍ୟରେ ୧୦ ଜଣ ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକ ଦଳ ଛାଡ଼ି ବିଜେପି ଶିବିରରେ ଯୋଗ ଦେଇ ସାରିଛନ୍ତି। ଆଗାମୀ ଦିନରେ ଆହୁରି ବହୁ ବିଜେଡି ନେତା ବିଜେପିରେ ଯୋଗ ଦେବେ ବୋଲି ଆଶା କରାଯାଉଛି।
ରାଜ୍ୟର ଚାରିଆଡ଼େ ବିଜେପିର ମାହୋଲ ଦେଖିବାକୁ ମିଳୁଛି। ମତଦାତା କାହାକୁ ଭୋଟ୍ ଦେବେ ଭିନ୍ନ କଥା। କିନ୍ତୁ ବିଜେପି ଶିବିରଗୁଡ଼ିକ ଚଳଚଞ୍ଚଳ ଦେଖାଯାଉଛି। ଦୀର୍ଘ ୨୪ ବର୍ଷ ହେଲା ଓଡ଼ିଶାରେ ବିଜେଡି ସରକାର ଥିବା ବେଳେ ଯେଉଁଭଳି ବିକଶିତ ହେବା କଥା ତାହା ହୋଇପାରି ନାହିଁ। ତେଣୁ ନିର୍ବାଚନ ଭୟରେ ସମାଜର ସମସ୍ତ ବର୍ଗଙ୍କୁ ଖୁସି କରିବା ପାଇଁ ବିଜେଡି ସରକାର ଭୋଟରମାନଙ୍କ ପାଇଁ ମାଗଣା ଓ ଆକର୍ଷିତ କଲା ଭଳି ଯୋଜନା ଆରମ୍ଭ କରୁଛି। ଏହା ପରେ ମଧ୍ୟ ବିଜେଡି ନେତାମାନଙ୍କର ଭୟ ଯେ, ଟିକେଟ୍ ମିଳିବ ନା ନାହିଁ। ଆଶଙ୍କା କରୁଥିବା ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି। ରାଜ୍ୟର ପୂର୍ବ କି ପଶ୍ଚିମ ନୁହେଁ, ଉତ୍ତର ଓ ଦକ୍ଷିଣ ଦିଗରେ ମଧ୍ୟ ବିଜେଡି ନେତାମାନେ ବିଜେପିରେ ମିଶୁଛନ୍ତି।
ଦକ୍ଷିଣରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା
ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତମାସ ୨୧ ତାରିଖ ଦିନ ବିଜେପିରେ ଯୋଗ ଦେଇଥିଲେ। ବିଜେଡିରୁ ବହିଷ୍କୃତ ନେତାଙ୍କ ଯୋଗଦାନ ପରଠାରୁ ବିଜେପି ଶିବିରରେ ବିଜେଡି ନେତାଙ୍କର ଆଗମନ ବଢ଼ି ଚାଲିଛି। ପଦ୍ମ ଧରି ଶ୍ରୀ ପାଣିଗ୍ରାହୀ କହିଥିଲେ, ଆଜି ମୋ ପାଇଁ ଏକ ଗୌରବର ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହେଲି। ଶ୍ରେଷ୍ଠ ଭାରତ ଓ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ସମୟ ଆସିଛି। ଏବେ ସମୟ ପରିବର୍ତ୍ତନର, ସଜାଗର ସମୟ, ସୁଦୃଢ ଓଡ଼ିଶା ଓ ଭାରତ ଗଠନ କରିବାର ସମୟ। ବିଜେପିକୁ ଗୋଟିଏ ଥର ପାଇଁ ସୁଯୋଗ ଦେବାକୁ ସେ ଅପିଲ କରିଥିଲେ। ବର୍ତ୍ତମାନର ସମୟ ହେଉଛି ଏକ ପରିବର୍ତ୍ତନର ସମୟ। ଏକ ସୁଦୃଢ ଭାରତ ଓ ଏକ ସୁଦୃଢ ଓଡ଼ିଶା ଗଠନର ସମୟ। ଏହାରି ମଧ୍ୟରେ ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ରାଜୁ, ନରେନ୍
କେନ୍ଦୁଝର ଜିଲ୍ଲା ତେଲକୋଇର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେ କିଛିଦିନ ତଳେ ବିଜେଡି ଛାଡ଼ିଥିଲେ। ଶେଷରେ ନିଜ ସମର୍ଥକଙ୍କ ଗହଣରେ ସୋମବାର ଦିନ ବିଜେପିରେ ମିଶିଥିଲେ। ଉତ୍ତର ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ୍ ପଲେଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତ ଧାମନଗର ଉପନିର୍ବାଚନରେ ବିଜେଡି ରାଜୁ ଦାସଙ୍କୁ ଟିକେଟ୍ ନଦେବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏହାପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଏହାପରେ ସେ ପୁଣି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲେ ହେଁ ସେ ବିଜେପିରେ ଯୋଗଦେଇଛନ୍ତି। କେବଳ ଏତିକି ନୁହେଁ ଉତ୍ତର ଓଡ଼ିଶାର ଅନ୍ୟ ଜଣେ ଟାଣୁଆ ନେତା ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଘନିଷ୍ଠ ସାରସକଣାର ପୂର୍ବତନ ବିଜେଡ଼ି ବିଧାୟକ ଭାଦବ ହାଂସଦା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ପୂର୍ବ-ଆଭ୍ୟନ୍ତରୀଣରେ ବିଜେଡି ଛାଡ଼ିଲେ ନେତା
ପୂର୍ବ ଓଡ଼ିଶାର ରାଜନୀତିରେ ପୂର୍ବତନ ମନ୍ତ୍ରୀ ତଥା ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅରବିନ୍ଦ ଢାଳି, ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମକୁ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ଏହି ତିନି ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ବିବାଦକୁ ଆସି ବିଜେଡିରୁ ବହିଷ୍କୃତ ହୋଇଥିଲା ବେଳେ ଅରବିନ୍ଦ ଢାଲିଙ୍କୁ ଟିକେଟ ମିଳିବା ଆଶା କ୍ଷଣ ଦେଖାଯାଉଛି ବୋଲି ଚର୍ଚ୍ଚା ହୋଇଥିଲା। କେବଳ ପୂର୍ବ ଓଡ଼ିଶା କାହିଁକି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ନେତାମାନେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହି କ୍ରମରେ କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ବିଜେପିରେ ଯୋଗଦେଇଛନ୍ତି। ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ମହାମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ସେ ଏବଂ ଆହୁରି କେତେଜଣ ନେତା ବିଜେପିରେ ସାମିଲ୍ ହୋଇଛନ୍ତି।
ବିଜେପିରେ ନିହାର
ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନିହାର ରଂଜନ ମହାନନ୍ଦ ବିଜେପିରେ ଯୋଗ ଦେଇଛନ୍ତି। ସେ ବରଗଡ଼ ଜିଲ୍ଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୯ରେ ବିଧାୟକ ହୋଇଥିଲେ। ସେ ୧୯୯୬ ମସିହାରେ ବରଗଡ଼ ଜିଲ୍ଲା ବରପାଲି କଲେଜରୁ ସାଧାରଣ ସଂପାଦକ ହୋଇଥିଲେ। ୧୯୯୯ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ର ଥିବା ବେଳେ ସାଧାରଣ ସଂପାଦକ ହୋଇଥିଲେ।